ଆଜି ଭଉଁରି ଯାତ୍ରା,ତିନି ରଥରେ ସଂଯୋଗ ହେବ ଚକ

ପୁରୀ: ଆଜି (ବୁଧବାର) ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ନୌବିହାର କରିବେ ମହାପ୍ରଭୁ। ୩ ରଥର ତିନି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରାଯିବ । ଏହାକୁ ଚକ ଡେରା ନୀତି କୁହାଯାଏ। ସଂକୀର୍ତ୍ତନ, ସାହିଯାତ, ପାରମ୍ପରିକ ଗୀତ, ନୃତ୍ୟ, ହରିବୋଲ , ହୁଳହୁଳିରେ ପ୍ରକମ୍ପିତ ହେବ ବଡଦାଣ୍ଡ। ମହାପ୍ରଭୂ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ଧରି ୩ଜଣ ପୂଜାପଣ୍ଡା ସେବକ ଘଣ୍ଟ, ଛତା ଓ କାହାଳୀ ବାଦ୍ୟ ସହ ଶୋଭାଯାତ୍ରାରେ ବଡଦାଣ୍ଡ ରଥଖଳାକୁ ଯିବେ । ୩ଟି ଅଖରେ ଆଜ୍ଞାମାଳ ଲାଗି କରାଯିବ । ମହାରଣା ଏବଂ ଭୋଈ ସେବକମାନେ ଅଖରେ ଚକ ଲାଗି କରିବେ। ଏହାପରେ ଶ୍ରୀମନ୍ଦିରରେ ଭୋଗମଣ୍ଡପ, ମଇଲମ, ଆଲଟଲାଗି , ଚନ୍ଦନ ଲାଗି , ଦକ୍ଷିଣ ଘର ଭୋଗ , ଯାତଭୋଗ ଏବଂ ଦ୍ଵାଦଶ ଯାତ୍ରା ବନ୍ଦାପନା କରାଯିବ। ଭୋଗ ବନ୍ଦାପନା ପରେ ଦିନ ପ୍ରାୟ ୨ଟାବେଳେ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ରାମକୃଷ୍ଣ, ମଦନମୋହନ , ଭୂଦେବୀ ଏବଂ ଶ୍ରୀଦେବୀ ମଣି ବିମାନ ସମେତ ପାଲିଙ୍କିରେ ବିଜେ କରିବେ। ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଚନ୍ଦନ ଠାକୁର ବିଜେ କରିବାର ପରମ୍ପରା ରହିଛି।

Comments are closed.