ମାର୍ଚ୍ଚ ୩୧ ସୁଦ୍ଧା ସୁଭଦ୍ରା ଆବେଦନ କରିଥିଲେ ମିଳିବ ଏକକାଳୀନ ୨ଟି କିସ୍ତି
ଭୁବନେଶ୍ବର : ରାଜ୍ୟ ଯୋଗାଣ ନିଗମକୁ ବ୍ୟାଙ୍କ ଋଣ ପାଇଁ ସରକାରୀ ଗ୍ୟାରେଣ୍ଟି ପ୍ରଦାନ କରାଯିବ। ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ମିଳିବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସୌର ପ୍ରକଳ୍ପ ପାଇଁ ମଧ୍ୟ ରିଆତି ମିଳିବ। ଅନ୍ୟପକ୍ଷରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ପାଇଁ ଆବେଦନ କରିଥିଲେ ଏକକାଳୀନ ମିଳିବ ୨ଟି କିସ୍ତି। ରାଜ୍ୟ କ୍ୟାବିନେଟରେ ଏ ସଂକ୍ରାନ୍ତ ବିଭିନ୍ନ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗତ ବିଧାନସଭା ଅଧିବେଶନର ସତ୍ରାବସାନ ସମେତ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା
ରାଜ୍ୟ ଯୋଗାଣ ନିଗମ ଲି. ଦ୍ବାରା ଆଗାମୀ ୫ ବର୍ଷ ପାଇଁ ନିଆଯିବାକୁ ଥିବା ନୂତନ ଋଣ ପାଇଁ ସରକାର ଗ୍ୟାରେଣ୍ଟି ଦେବେ। ମୋଟ ୧୭,୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ସେହିପରି ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲି. ଏକ ବିନା ଲାଭ-କ୍ଷତି ସଂସ୍ଥା ହୋଇଥିବାରୁ ଚାଷୀ ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଜିଏଫ୍ଆର, ୨୦୨୩ ର ଧାରା-୩୪୨ ଅନୁସାରେ ଗ୍ୟାରେଣ୍ଟି କମିସନ ଦେୟ ୪୩୭.୫ କୋଟି ଟଙ୍କା ଛାଡ଼ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୫-୨୬ ପର୍ଯ୍ୟନ୍ତ ପାଞ୍ଚବର୍ଷ ନିମନ୍ତେ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ କରାଯାଇଛି। ଏହା କୃଷି ଉଦ୍ୟୋଗୀଙ୍କୁ ରିଆତି ପ୍ରଦାନରେ ସହାୟକ ହେବ। ସେହିପରି ଉଭୟ ମଧୁବାବୁ ପେନ୍ସନ ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡ଼ା ୮୦ କିମ୍ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମତା ଥିବା ହିତାଧିକାରୀଙ୍କ ଭତ୍ତା ରାଶିକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରୀରୁ ଏହା ଲାଗୁ ହେବ। ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମୁଫ୍ତ ବିଜୁଳି’ ଯୋଜନାକୁ ରାଜ୍ୟରେ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ରିଆତି ପ୍ରଦାନ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ଘର ପିଛା ସର୍ବାଧିକ ୩ କିଲୋୱାଟ୍ କ୍ଷମତାସମ୍ପନ୍ନ ଛାତ ଉପର ସୌର ପ୍ରକଳ୍ପ ସ୍ଥାପନ ପାଇଁ କିଲୋୱାଟ୍ ପିଛା ୨୫ ହଜାର ଟଙ୍କା ହିସାବରେ ଦୁଇ କିଲୋୱାଟ୍ ପର୍ଯ୍ୟନ୍ତ ଏବଂ ତୃତୀୟ କିଲୋୱାଟ୍ ପାଇଁ ଆଉ ୧୦ ହଜାର ଟଙ୍କାର ଅତିରିକ୍ତ ରିଆତି ପ୍ରଦାନ କରିବେ। ଗ୍ରୁପ୍ ହାଉସିଂ ସୋସାଇଟି ଏବଂ ଆବାସିକ କଲ୍ୟାଣ ସଂଘଗୁଡ଼ିକରେ ଇଭି ଚାର୍ଜିଂ ତଥା ବିଦ୍ୟୁତ୍ର ସର୍ବସାଧାରଣ ବ୍ୟବହାର ପାଇଁ ସର୍ବାଧିକ ୫୦୦ କିଲୋୱାଟ୍ ପର୍ଯ୍ୟନ୍ତ (ପ୍ରତି ଘରକୁ ୩ କିଲୋୱାଟ୍ ଅନୁସାରେ) ରୁଫ୍-ଟପ୍ ସୌର ପ୍ରକଳ୍ପ ସ୍ଥାପନ କରିବାକୁ କିଲୋୱାଟ୍ ପିଛା ୧୮୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏହି ଯୋଜନାକୁ ଫଳପ୍ରଦ କରାଇବା ପାଇଁ ରାଜ୍ୟ ବଜେଟରୁ ଆର୍ଥିକ ବର୍ଷ ୨୦୨୪-୨୫ ରୁ ୨୦୨୬-୨୭ ମଧ୍ୟରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ପ୍ରାୟ ୩ ଲକ୍ଷ ଘରୋଇ ବିଜୁଳି ଉପଭୋକ୍ତା ଲାଭାନ୍ବିତ ହେବେ ବୋଲି ସରକାର ଆଶା ରଖିଛନ୍ତି। ‘ସୁଭଦ୍ରା’ ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ‘ସୁଭଦ୍ରା’ରେ ପଞ୍ଜୀକରଣର ଶେଷ ତାରିଖ ୨୦୨୫ ମାର୍ଚ୍ଚ ୩୧କୁ ଧାର୍ଯ୍ୟ କରାଯାଇଛି। ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ନୂଆ ଆବେଦନ କଲେ ଆବେଦନକାରୀ ୨ଟି କିସ୍ତି ସହାୟତା ଏକକାଳୀନ ପାଇବେ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ୨୦୨୪ ଅଗଷ୍ଟ ୨୨ରେ ରାଜ୍ୟ କ୍ୟାବିନେଟ୍ ‘ସୁଭଦ୍ରା’ ଯୋଜନାକୁ ଅନୁମୋଦନ କରିଥିଲେ। ଏହି ଯୋଜନାରେ ୫ ବର୍ଷ ପାଇଁ ବଜେଟରେ ୫୫,୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବର୍ଭମାନ ସୁଦ୍ଧା ସୁଭଦ୍ରାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜିକୃତ ହୋଇଛି। ସମସ୍ତ ପଞ୍ଜିକୃତ ଆବେଦନକାରୀଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ ଆବେଦନକାରୀଙ୍କୁ ମଞ୍ଜୁର କରାଯାଇ ପ୍ରଥମ କିସ୍ତିର ୫୦୦୦ ଟଙ୍କା ବିତରଣ କରାଯାଇଛି। ଏନ୍ଏଫ୍ଏସ୍ଏ କିମ୍ବା ଏସ୍ଏଫ୍ଏସ୍ଏ ହିତାଧିକାରୀ ନଥିବା ଅବଶିଷ୍ଟ ଆବେଦନଗୁଡ଼ିକ ବିଚାରାଧୀନ ରହିଛି। କ୍ଷେତ୍ରୀୟସ୍ତରରେ କ୍ଷେତ୍ର ଅନୁସନ୍ଧାନ ଦଳ (ଏଫ୍ଇଟି) ଦ୍ବାରା ମାର୍ଗଦର୍ଶିକା ଅନୁଯାୟୀ ସେମାନଙ୍କର ଯୋଗ୍ୟତା ନିର୍ଦ୍ଧାରଣ କରିବା ପାଇଁ ଯାଞ୍ଚ କରାଯାଉଛି। ଯୋଜନା ଓ ସଂଯୋଜନ ବିଭାଗ ଅଧୀନସ୍ଥ ‘ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ସେବା ବର୍ଗ’ ଏବଂ ଓଡ଼ିଶା ଅଧସ୍ତନ ଅର୍ଥନୀତି ଓ ପରିସଂଖ୍ୟାନ ସେବା ବର୍ଗର ପୁନର୍ଗଠନ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଅନୁମୋଦନ ଲାଭ କରିଛି। ସହକାରୀ ନିର୍ଦେଶକ ଏବଂ ପରିସଂଖ୍ୟାନ ଅଧିକାରୀ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ସଂଶୋଧିତ ହୋଇଛି। ଉଭୟ ପଦ ପାଇଁ ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଏକକ ନିଯୁକ୍ତି ପରୀକ୍ଷା ମାଧ୍ୟମରେ କରାଯିବ। ପରିସଂଖ୍ୟାନ ଅଧିକାରୀ ପଦ ସଂଖ୍ୟା ୧୭୨ରୁ ୧୫୫କୁ ହ୍ରାସ ହୋଇଛି। ସହକାରୀ ପରିସଂଖ୍ୟାନ ଅଧିକାରୀ ପଦ ସଂଖ୍ୟା ଅପରିବର୍ତ୍ତିତ ରହିଛି। ଓଡ଼ିଶା ପରିସଂଖ୍ୟାନ ଓ ଅର୍ଥନୀତି ସେବା ବର୍ଗ ଅନ୍ତର୍ଗତ ନିର୍ଦେଶକଠାରୁ ଉପନିର୍ଦେଶକ ପର୍ଯ୍ୟନ୍ତ ଆଂଶିକ ପୁନର୍ଗଠନର କାେର୍ଯ୍ୟାତ୍ତର ଅନୁମୋଦନପ୍ରାପ୍ତ ହୋଇଛି। ଏଥିସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନବ ମଳ ସଫାଇ କର୍ମଚାରୀ ନିଯୁକ୍ତି, ଅପରିଷ୍କୃତ ଶୌଚାଳୟକୁ ହଟାଇବା ତଥା ସେହିଭଳି ପାଇଖାନାର ନିର୍ମାଣ (ନିଷେଧ) ଅଧିନିୟମ, ୧୯୯୩ର ପ୍ରତ୍ୟାହାର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ଓଡ଼ିଶା ସରକାରଙ୍କ କାର୍ଯ୍ୟ ନିୟମାବଳୀରେ ଥିବା ଇସ୍ପାତ ଓ ଖଣି ବିଭାଗର ବିଷୟରେ ସଂଶୋଧନ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହି ସଂଶୋଧନ ଅନୁଯାୟୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ସଇରାତ ବ୍ୟତୀତ ଲଘୁ ଖଣିଜ ପଦାର୍ଥର ପରିଚାଳନା ଓ ପ୍ରଶାସନ ଇସ୍ପାତ ଓ ଖଣି ବିଭାଗକୁ ସ୍ଥାନାନ୍ତରଣ ହେବ। ରାଜ୍ୟରେ ଖଣିଜ ସମ୍ପଦର ସର୍ବେକ୍ଷଣ ଓ ଅନ୍ବେଷଣ, ଖଣିଜ ପଦାର୍ଥ ବ୍ଲକ୍ଗୁଡ଼ିକର ନିଲାମ ସହ ରାଜ୍ୟରେ ଖଣି ଓ ଭୂତତ୍ତ୍ବ ନିର୍ଦେଶାଳୟ ଏବଂ ଲଘୁ ଖଣିଜ ନିର୍ଦେଶାଳୟ ପ୍ରତିଷ୍ଠା ହୋଇପାରିବ।
Comments are closed.