www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରବାସୀ ଭାରତୀୟ ଦିବସ; ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିନ

ଓଡ଼ିଶାରେ ଆୟୋଜନ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ୱାକାଂକ୍ଷୀ କାର‌୍ୟ୍ୟର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଦେଶରେ ରହୁଥିବା ଭାରତୀୟଙ୍କୁ ଏକ ସୂତ୍ରରେ ବାନ୍ଧି ସେମାନଙ୍କ ସହ ସମ୍ପର୍କ ମଜବୁତ୍‌ କରିବା । ବିଦେଶରେ ରହୁଥିବା ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କୁ ନିଜ ସଂସ୍କୃତି, ପରମ୍ପରା, ଐତିହ୍ୟ ତଥା ନିଜ ପୂର୍ବ ପୁରୁଷଙ୍କ ସ୍ମୃତି ସହ ଯୋଡି ମାତୃଭୂମି ମନସ୍କ କରିବାକୁ ଏହା ଏକ ଅନନ୍ୟ କାର‌୍ୟ୍ୟକ୍ରମ। ପରସ୍ପର ସହ ଭାବର ଆଦାନ ପ୍ରଦାନ ଓ ଆଲୋଚନା ପାଇଁ ଏହା ଅନନ୍ୟ ମଞ୍ଚ। ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ସାଢେ ୪ କୋଟି ଓଡିଆଙ୍କ ତରଫରୁ ମୁଁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡିଶାକୁ ଏହାର ଆୟୋଜନର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ଓଡିଶା କାହିଁକି, ପୂରା ପୂର୍ବଭାରତରେ ଭାରତ ସରକାରଙ୍କର ଏଭଳି ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମର ଆୟୋଜନ କେବଳ ଓଡିଶାକୁ ଲାଭ ଦେଇଦେବ କହିବାକୁ ଚାହୁଁନି । ଏହି ଆୟୋଜନ ପଛର ଯେଉଁ ବିଶାଳ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ଅଛି, ଯଦି ଆମେ ସାଢେ ୪ କୋଟି ଓଡିଆ ତାହାକୁ ହୃଦୟଙ୍ଗମ କରିବା ଓ ନିଜକୁ ବିକାଶର ମଞ୍ଚରେ ସାମିଲ ପାଇଁ ଉଦ୍ୟମ କରିବା, ତେବେ ଆମେ ରାଜ୍ୟକୁ ପ୍ରଗତିର ଶୀର୍ଷକୁ ନେଇପାରିବା ମୋଦିଜୀ ଯେତେବେଳେ ଓଡିଶାକୁ ପ୍ରବାସୀ ଭାରତୀୟ ଦିବସର ଭବ୍ୟ ଆୟୋଜନର ଦାୟିତ୍ୱ ଦେଇଛନ୍ତି ତାଙ୍କ ନେତୃତ୍ୱରେ ଯଦି ସାଢେ ୪ କୋଟି ଓଡିଆ ପାଦେପାଦେ ଆଗକୁ ଚାଲିବେ ତାହାହେଲେ ଓଡିଶା ସାଢେ ୪ କୋଟି ପାଦ ଆଗକୁ ବଢିବ। ଆମେ ଓଡିଶାବାସୀ ଓଡିଶାର ଭାଗ୍ୟ ନିର୍ଦ୍ଧାରକ । ଯଦି ଏ ଜାତି ଆଗକୁ ବଢିବା ପାଇଁ ଦୃଢ ନିଶ୍ଚିତ ହୁଏ, ଏହାର ପ୍ରଗତିକୁ କେହି ରୋକିପାରିବେ ନାହିଁ ।
ପ୍ରବାସୀ ଭାରତୀୟ ଦିବସ ଏକ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ହୋଇଥାଏ ପାରେ । ମାତ୍ର ଏହାର ଦର୍ଶନ ଆମେ ଓଡିଆଙ୍କୁ ହୃଦୟଙ୍ଗମ କରିବାକୁ ପଡିବ ଓ ରାଜ୍ୟକୁ ପ୍ରଗତିର ଶୀର୍ଷରେ ପହଁଞ୍ଚାଇବା ପାଇଁ ଦୃଢ ସଂକଳ୍ପ କରିବାକୁ ପଡିବ ।
ଛ’ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ଓ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଯେତେବେଳେ ମୁଁ ନୂଆ ଓଡିଶାର ନୂଆ ପିଢି ସହ ମିଶିଛି, ସେମାନଙ୍କ ଆଖିରେ ନିଜେ ବଡ ହେବାର ଓ ଆମ ମାତୃଭୂମିକୁ ପ୍ରଗତିର ଶିଖରରେ ପହଁଞ୍ଚାଇବାର ଶପଥର ଝଲକକୁ ମର୍ମେ ମର୍ମେ ଅନୁଭବ କରିଛି ।
ଓଡିଶା ଧନୀ ଓ ଓଡିଆ ଗରିବ କହି ଆମେ କେତେଦିନ ଶାନ୍ତିରେ ଶୋଇପାରିବା? ବୋଧହୁଏ ମୋଦିଜୀଙ୍କ ଓଡିଶାକୁ ପ୍ରବାସୀ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା ଆମକୁ ସାଢେ ୪ କୋଟି ଓଡିଆଙ୍କୁ ଆତ୍ମସମୀକ୍ଷା ପାଇଁ ସୁଯୋଗ ସୃଷ୍ଟି କରିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆମକୁ ମାଟିତଳେ ଦେଇଛନ୍ତି ଅମାପ ଖଣିଜ ସମ୍ପଦ। ଆମ ନଦନଦୀ, ଜଳଶକ୍ତିରେ ଓଡିଶାକୁ ସମୃଦ୍ଧ କରିଛି । ୪୮୦ କିଲୋମିଟର ସୁଦୀର୍ଘ ବେଳାଭୂମି ଆମ ନୀଳ ଅର୍ଥନୀତି ପାଇଁ ବଡ଼ ସମ୍ଭାବନାର ସୁଯୋଗ ଦେଇଛି। ଅମାପ ଜଙ୍ଗଲ ସମ୍ପଦ ସହ ଜଡିତ ଆଦିବାସୀ ଓ ବନଜାତ ଦ୍ରବ୍ୟ ତଥା ଜଙ୍ଗଲ ସହିତ ଜଡିତ ଆର୍ଥିକ ବିକାଶର ଅନେକ ଦିଗ ଆମ ରାଜ୍ୟକୁ ବିକାଶର ବାଟରେ ଆଗେଇ ନେବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି।
ଓଡିଆ ଜାତି ପରିଶ୍ରମୀ । ଏକଥା ସତ, ଆମେ ଆମ ଲୋକଙ୍କୁ ଆମ ମାଟିରେ ରୋଜଗାରର ସୁଯୋଗ ଯୋଗାଇ ଦେଇପାରିନାହୁଁ । ମାତ୍ର ଆମ ଲୋକଙ୍କ ଶ୍ରମରେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରଦେଶମାନେ ଯେ, ଆର୍ଥିକ ପ୍ରଗତିର ଶୀର୍ଷକୁ ଯିବାରେ ସଫଳ ହୋଇଛନ୍ତି ଏଥିରେ କେହି ଦ୍ୱିମତ ହେବେନି। ଏସବୁ ପ୍ରସଙ୍ଗ ଉଠାଇବା ପଛରେ ମୋ ମନରେ ଏକ ଆବେଗ ଅଛି। ଆମେ ଆମ ଅପାର ସମ୍ଭାବନାକୁ ଠିକ୍ ଉପଯୋଗ ନ କରିବା କାରଣରୁ ସାରା ଦେଶରେ ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ପ୍ରଗତିର ମାପଦଣ୍ଡରେ ପଛରେ ପଡିଛେ। କାହାକୁ ଦୋଷ ଦେଇ ନିଜ ଦାୟିତ୍ୱରୁ ହଟିଯିବା ମୋ ଭଳି ଗରିବ ପୁଷ୍ଠଭୂମିରୁ ସଂଘର୍ଷର ରାସ୍ତା ଆପଣାଇ ଏହି ସ୍ଥାନରେ ପହଁଞ୍ଚିଥିବା ମେହନତୀ ମଣିଷ ପକ୍ଷରେ ସମ୍ଭବ ନୁହେଁ । ମୋଦିଜୀ ଦେଇଥିବା ପ୍ରବାସୀ ଭାରତୀୟ ଦିବସର ଆୟୋଜନର ସୁଯୋଗ ଭିତରେ ଓଡିଶାର ଭାଗ୍ୟ ପରିବର୍ତ୍ତନର ସ୍ୱପ୍ନ ମୁଁ ଦେଖୁଛି। ବର୍ତ୍ତମାନ ଓଡିଶାର ସ୍ଥିତିର ଆଲୋଚନା କରିବାର ଇଚ୍ଛାଥିଲେ ମଧ୍ୟ ସାଙ୍କେତିକ ଭାବେ ଗୋଟିଏ ଆବେଗପୂର୍ଣ୍ଣ ବିଷୟକୁ ମୋର ପ୍ରିୟ ଓଡିଶାବାସୀଙ୍କ ସାମ୍ନାରେ ରଖିବାକୁ ଚାହୁଁଛି ।
ତଥ୍ୟ କହୁଛି, ଓଡ଼ିଶାର ଗର୍ଭବତୀ ମହିଳାଙ୍କ ମଧ୍ୟରେ ୬୨ପ୍ରତିଶତ ରକ୍ତହୀନତାର ଶିକାର। ଏହା ରାଷ୍ଟ୍ରୀୟ ହାରଠୁ ୧୦ ପ୍ରତିଶତ ଅଧିକ । ତଥ୍ୟ କହୁଛି, ଗତ ୫ ବର୍ଷରେ ରକ୍ତହୀନତାର ଶିକାର ମହିଳା ସଂଖ୍ୟା ଆମ ରାଜ୍ୟରେ ୧୪ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ୫ ବର୍ଷରୁ କମ୍ ଶିଶୁଙ୍କ ସ୍ବାଭାବିକ ଓଜନ ଠାରୁ ୩୦ ପ୍ରତିଶତ କମ୍‌ ଓଜନ ରହିଛି। ବୟସ ଅନୁସାରେ ଉଚ୍ଚତା ଓ ଉଚ୍ଚତା ଅନୁସାରେ ଓଜନର ମାପଦଣ୍ଡରେ ରାଷ୍ଟ୍ରୀୟ ହାର ଠାରୁ ଓଡିଶା ବହୁ ପଛରେ । ଯଦି ନୂଆପିଢି ନିର୍ବଳ ଓ ଦୁର୍ବଳ ହୁଏ, ସଶକ୍ତ ଓଡିଶାର ଭାର କିଏ ବୋହିବ ? ଓଡିଶା ପ୍ରଗତି କରିନି ବୋଲି କହୁନିଟ୍ଟ କିନ୍ତୁ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାରରେ ରାଷ୍ଟ୍ରୀୟ ପରିସଂଖ୍ୟାନ ଠାରୁ ଓଡିଶା କାହିଁକି ପଛରେ ରହିବ ଏ ଚିନ୍ତା ମୋତେ ବ୍ୟଥିତ କରୁଛି ।
ଗତ କିଛିବର୍ଷରେ ମୋଦୀ ସରକାରଙ୍କର ଖଣି ଓ ଖଣି ଆଧାରିତ ନୀତିରେ ପରିବର୍ତ୍ତନ ଓ ଖଣିଥିବା ରାଜ୍ୟକୁ ଏହାର ସବୁ ଫାଇଦା ଦେବା କାରଣରୁ ଓଡିଶା ରୋଜଗାରର ଆକାରକୁ ବହୁତ ବଢିଛି। ସରକାରଙ୍କର ବଜେଟ୍ ଆକାର ବଡ ହୋଇଛି ସତଟ୍ଟ କିନ୍ତୁ ଆମ ଲୋକଙ୍କ ରୋଜଗାର ଯେତିକି ବଢିବା କଥା ତାହା ହୋଇପାରିନାହିଁ। ଆମକୁ ଲୋକଙ୍କ ପାଖରେ ରୋଜଗାର ପହଁଞ୍ଚାଇବାକୁ ପଡିବ। କୃଷି, କୃଷି ଆଧାରିତ ଆନୁଷଙ୍ଗିକ କ୍ଷେତ୍ର ଓ କୃଷି ଉତ୍ପାଦର ପ୍ରକ୍ରିୟାକରଣର ସମ୍ଭାବନାକୁ ଖୋଜିବାକୁ ହେବ । ଚାକିରିଆ ନୁହେଁଟ୍ଟ ରୋଜଗାର ସୃଷ୍ଟି ପାଇଁ ଉଦ୍ୟମୀ ହେବାକୁ ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ପଡିବ। ଶିଳ୍ପ, କ୍ଷୁଦ୍ର, ଲଘୁ ଉଦ୍ୟୋଗ ଏବଂ ଓଡିଶାର ପାରମ୍ପରିକ ବୟନଶିଳ୍ପ, ହସ୍ତକଳା ଆଦିକୁ ବିଶ୍ୱ ଦରବାରରେ ପହଁଞ୍ଚାଇବାର ବଡ ଯୋଜନାକୁ କ୍ରିୟାନ୍ୱିତ କରିବାକୁ ହେବ।
ଦେଶ ଏବେ ଅମୃତକାଳରେ । ୨୦୪୭ରେ ଆମ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ। ମାତ୍ର ଏହା ପୂର୍ବରୁ ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଆମର ସଂକଳ୍ପ ଦେଶ ଯେତେବେଳେ ୧୦୦ ବର୍ଷ ପୂରଣ କରିବ, ଦେଶକୁ ବିଶ୍ୱର ଏକ ନମ୍ବର ଅର୍ଥନୀତି କରିବାରେ ଓଡିଶା ଏକ ନିର୍ଣ୍ଣାୟକ ଭୂମିକା ନେବ। ସେଥିପାଇଁ ୨୦୩୬ ସୁଦ୍ଧା ଓଡିଶାକୁ ଖାଲି ଭାରତର ନୁହେଁ ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଆଗୁଆ ଭୂଖଣ୍ଡ ଭାବେ ଗଢି ତୋଳିବା ପାଇଁ ଆମକୁ ଯୋଜନାରେ ସଫଳ ହେବାକୁ ପଡିବ।
ଆମ ଆତ୍ମବିଶ୍ୱାସ ଆମର ଶକ୍ତି । ମୋର ବିଶ୍ୱାସ ଓଡିଆଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ କରି ଓଡିଶାକୁ ପ୍ରଗତିର ଶୀର୍ଷରେ ପହଁଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଉତ୍‌ପ୍ରେରକର ଭୂମିକା ନେବ। ମହାତ୍ମାଗାନ୍ଧୀ ୧୯୧୫ ଜାନୁୟାରୀ ୯ରେ ଦକ୍ଷିଣ ଆଫ୍ରିକାରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜୀ ଏହି ତାରିଖକୁ ସ୍ମରଣ ରଖିବା ଲାଗି ପ୍ରବାସୀ ଭାରତୀୟ ଦିବସ ଭାବେ ୨୦୦୩ ମସିହାରୁ ପାଳନ କରିବାର ଶୁଭାରମ୍ଭ କରିଥିଲେ। ଏହି ଧାରାକୁ ମୋଦୀ ଜୀ ଏବେ ନୂଆ ଦିଶା ଦେଇ ପ୍ରବାସୀଙ୍କୁ ନିଜ ଦେଶ ସହ ଯୋଡି ବିକାଶ ଧାରାରେ ସାମିଲ କରିବାକୁ ନୂଆ ରାସ୍ତା କାଢିଛନ୍ତି। ସାଢେ ୪ କୋଟି ଓଡିଆଙ୍କୁ ମୋର ନିବେଦନ, ଓଡିଶାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ସାମିଲ ହୁଅନ୍ତୁ। ଦେଶ ଓ ରାଜ୍ୟକୁ ବିକାଶର ଶୀର୍ଷକୁ ନେବା ପାଇଁ ନିଅନ୍ତୁ ଦୃଢ ସଂକଳ୍ପ।

ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ, ଓଡ଼ିଶା

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories