ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍ ଟିକେଟ ଦର ବୃଦ୍ଧି କରିଦେଇଛନ୍ତି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି। ବିମାନ କମ୍ପାନୀଗୁଡ଼ିକର ମନଇଚ୍ଛା ଟିକେଟ ବୃଦ୍ଧି ଉପରେ ବ୍ରେକ୍ ଲଗାଇଛନ୍ତି। ସରକାର ତ୍ଵରିତ ଭାବେ ଅଧିକତମ ଭଡ଼ା ସୀମା(ଫେୟାର କ୍ୟାପ) ଲାଗୁ କରିଛନ୍ତି। ସାର୍ବଜନିକ ହିତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଆଦେଶ ଜାରି କରାଯାଇଥିବା କୁହାଯାଇଛି। କୌଣସି ବିମାନ କମ୍ପାନୀ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ।
ସରକାରଙ୍କ ନିର୍ଦେଶ ଅନୁସାରେ, ୫୦୦ରୁ ୧ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାତ୍ରା ଲାଗି ବିମାନ ଭଡ଼ା ସର୍ବାଧିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ।
ସେହିପରି ୧୦୦୦ରୁ ୧୫୦୦ କିମି ପାଇଁ ସର୍ବାଧିକ ୧୫ ହଜାର ଏବଂ ୧୫୦୦ କିଲୋମିଟରରୁ ଅଧିକ ଦୂର ଯାତ୍ରା ପାଇଁ ସର୍ବାଧିକ ୧୮ ହଜାର ଟଙ୍କା ଟିକେଟ ଦର ଧାର୍ଯ୍ୟ କରାଯାଇଛି। ଦେଶ ଭିତରେ ଯାତ୍ରା ପାଇଁ ଏହି ଦର ଲାଗୁ ହେବ।
ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଆଦେଶ ବିମାନ କମ୍ପାନୀର ୱେବସାଇଟ, ଅନଲାଇନ ଟ୍ରାଭେଲ ସଂସ୍ତା ଏବଂ ସମସ୍ତ ଟିକେଟ ବୁକିଂ ପ୍ଳାଟଫର୍ମ ଉପରେ ଲାଗୁ ହେବ। କୌଣସି ବୁକିଂ ପ୍ଲାଟଫର୍ମ ଏହାଠାରୁ ପୃଥକ ଟିକେଟ ଦର ଧାର୍ଯ୍ୟ କରିପାରିବେ ନାହିଁ।
ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନର ଉଡ଼ାଣ ବନ୍ଦ ହେବା ଫଳରେ ବହୁ ଯାତ୍ରୀ ବିମାନ ଯାତ୍ରା କରି ନ ପାରି ସମସ୍ୟାରେ ପଡିଛନ୍ତି। ଏହି ସମୟରେ ଅନ୍ୟ ବିମାନ କମ୍ପାନୀଗୁଡ଼ିକ ଫାଇଦା ହାସଲ ଲାଗି ଟିକେଟ ଦରକୁ ୪/୫ ଗୁଣା ବୃଦ୍ଧି କରିଥିଲେ। ଦିଲ୍ଲୀରୁ ମୁମ୍ବଇ ଯାତ୍ରା ଯେଉଁଠି ୧୫ ହଜାର ଟଙ୍କା ମଧ୍ୟରେ ହୋଇଯାଉଥିଲା ତାହାର ନୂଆ ଦର ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସେହିପରି ଦିଲ୍ଲୀରୁ ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଟିକେଟ ଦର ୪୦ ହଜାରରୁ ୮୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା।



