ବଳରାମପ୍ରସାଦ ସିତୁରା ବସ୍ତିକୁ ବିକାଶ ଅପହଞ୍ଚ, ରାହା ଖୋଜୁଛନ୍ତି ତିନି ଭିନ୍ନକ୍ଷମ ଭାଇଭଉଣୀ

ଅନୁଗୋଳ: ଆର୍ଥିକ ଅନଗ୍ରସର ଲୋକଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ଏପିରକି ଭିନ୍ନକ୍ଷମଙ୍କୁ ଜାତୀୟ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମଧ୍ୟ ସରକାର ଯୋଜନା ପରେ ଯୋଜନା କରିଛନ୍ତି, ହେଲେ ସେସବୁ ଯୋଜନା ପ୍ରକୃତ ଲୋକଙ୍କ ପାଇଁ ଯେ କେତେ ଅପହଞ୍ଚ ତାହା ଅନୁଗୋଳ ସହରଠାରୁ ମାତ୍ର ୬ କିଲୋମିଟର ଦୂର ନାଲକୋ ଟାଉନସିପ ପାଚେରି କଡରେ ଗଢି ଉଠିଥିବା ବଳରାମପ୍ରସାଦ ଗ୍ରାମ ସନ୍ନିକଟ ସିତୁରା ସାହିର ବାସ୍ତବ ସ୍ଥିତିକୁ ଅବଲୋକନ କଲେ ଜାଣି ହୁଏ। ଏହି ସାହିରେ ପ୍ରାୟ ୫୦ ଗରିବ ପରିବାର ବସବାସ କରନ୍ତି।

ଏଠାକାର ବାସିନ୍ଦାଙ୍କ ଜୀବିକା କହିଲେ ନାଲକୋ ଅଞ୍ଚଳର ରାସ୍ତା ଓ ନାଳ ନର୍ଦମାରୁ ଭଙ୍ଗା କାଚ ଓ ପ୍ଲାଷ୍ଟିକ ବୋତଲ ଏବଂ ଜରି ଗୋଟାଇବା। ରାତି ପାହିଲେ ଦଳଦଳ ହୋଇ ମହିଳା ଓ ପୁରୁଷ ଏବଂ ସେମାନଙ୍କ ଶିଶୁମାନେ ହାତରେ ଜରିଅଖାଟିଏ ଧରି ବାହାରି ପଡନ୍ତି ଉପରୋକ୍ତ ପରିତ୍ୟକ୍ତ ସାମଗ୍ରୀ ଗୋଟାଇବାକୁ। ଦିନତମାମ ଯାହା ଗୋଟାନ୍ତି ତାହାକୁ ସନ୍ଧ୍ୟାରେ କବାଡିଆ ଦୋକାନରେ ବିକି ସେଥିରେ ସେମାନଙ୍କ ପରିବାର ଚଳେ।
ଏହି ସାହିରେ ରହୁଥିବା ଗୋଟିଏ ପରିବାର ୩ ଭାଇ ଓ ଭଉଣୀ ଜନ୍ମରୁ ମୂକ ଓ ବଧୀର। ପରିବାର କହିଲେ ୫ ଜଣ ସଦସ୍ୟ। ପିତା ସନା ପ୍ରଧାନ ଓ ମାତା ଝୁମିରି ପ୍ରଧାନ। ଏମାନଙ୍କ ବଡ଼ ଝିଅ ଝୁଲଣା, ସାନଝିଅ ଖୁଲଣା ଏବଂ ସାନପୁଅ କ୍ରିଷ୍ଣା ଜନ୍ମରୁ ମୂକ ଓ ବଧୀର। ଝୁଲଣାର ବୟସ ଏବେ ୧୪ ବର୍ଷ ହୋଇଥିବାବେଳେ ସାନ ଭଉଣୀ ଖୁଲଣାର ବୟସ ୧୨ ବର୍ଷ ଓ ପୁଅ କ୍ରିଷ୍ଣାର ବୟସ ୯ ବର୍ଷ । ତିନି ମୂକ ଓ ବଧୀର ପିଲାଙ୍କୁ ନେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ କାଳାତିପାତ କରୁଛନ୍ତି ସନା ଓ ତାଙ୍କ ପତ୍ନୀ ଝୁମୁରି।

prayash

ଏଭଳି ଅବସ୍ଥା ଭିତରେ ପରିବାର କାଳାତିପାତ କରୁଥିବା ବେଳେ ସେମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ଜରି ପାଲ ତଳେ ଜୀବନ ଜୀଉଁଥିବା ଏହି ୩ ଭାଇ ଭଉଣୀଙ୍କ ପାଖରେ ସରକାରଙ୍କ କୌଣସି ଯୋଜନା ପହଞ୍ଚି ପାରିନି। ଓଳିଏ ଖାଇଲେ ଆର ଓଳି ଉପାସରେ ରହୁଥିବା ଏହି ପରିବାରର ୩ ଭାଇ ଭଉଣୀ ସରକାରଙ୍କ ଠାରୁ ଭତ୍ତା ପାଇବାରେ ବଞ୍ଚିତ ହୋଇଥିବାବେଳେ ଚାଉଳ ଗଣ୍ଡାଏ ମଧ୍ୟ ପାଉନଥିବା ପ୍ରକାଶ କରିଛି ମା’ ଝୁମୁରି। ରାସ୍ତାକଡ଼ରୁ ପ୍ଲାଷ୍ଟିକ ବୋତଲ ଗୋଟାଇଲେ ଗଣ୍ଡେ ଖାଇବାକୁ ଯୋଗାଡ କରୁଛନ୍ତି ବୋଲି କହିଛନ୍ତି ମା’ ଝୁମୁରି। ଏପରିକି ତିନି ଭିନ୍ନକ୍ଷମ ପିଲାଙ୍କୁ ପରିଚୟ ପତ୍ରଟିଏ ମଧ୍ୟ ମିଳିନି ବୋଲି ଅତ୍ୟନ୍ତ ଦୁଃଖର ସହ ସେ କହିଛନ୍ତି।

ବିକାଶର ଅସଲ ଚିତ୍ର ଏହି ବସ୍ତିରେ ପହଞ୍ଚିବା ପରେ ବାରି ହୋଇ ପଡିଛି । ଏହି ବସ୍ତିର ପିଲାମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ୩ ଭାଇ ଓ ଭଉଣୀଙ୍କ ମଧ୍ୟରୁ ଝୁଲଣା ଓ ଖୁଲଣାଙ୍କୁ ସେହି ବଳରାମପ୍ରସାଦ ଗ୍ରାମରେ ଥିବା ନକୂଳ ଚନ୍ଦ୍ର ଅନ୍ଧ ଓ ମୂକ ବିଦ୍ୟାଳୟ କର୍ତ୍ତୃପକ୍ଷ କିଛିଦିନ ବିଦ୍ୟାଳୟକୁ ନେଇଥିଲେ । ମାତ୍ର ଉକ୍ତ ବିଦ୍ୟାଳୟର ପରିଚାଳନାକୁ ନେଇ ବିବାଦ ଉପୁଜିବା ପରେ ସରକାର ପ୍ରାୟ ୨ ବର୍ଷରୁ ଅଧିକ ସମୟ ହେବ ଅନୁଦାନ ବନ୍ଦ କରି ଦେଇଛନ୍ତି । ଏହା ପରଠାରୁ ସେହି ବିଦ୍ୟାଳୟକୁ ଝୁଲଣା ଓ ଖୁଲଣା ଆଉ ଯାଉ ନାହଁାନ୍ତି ।
ଜିଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ଅନୁଗୋଳ ସହରର ରାଣୀଗୋଡା ଗ୍ରାମରେ ଏକ ସ୍ୱତନ ବିଦ୍ୟାଳୟ ଖୋଲା ଯାଇଥିଲେ ମଧ୍ୟ ଏହି ୩ ଭାଇ ଭଉଣୀଙ୍କ ପାଖରେ ଜିଲା ପ୍ରଶାସନ ପହଞ୍ଚି ପାରି ନାହିଁ। ମାତ୍ର ୭ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପରିଚାଳିତ ଉକ୍ତ ସରକାରୀ ଭିନ୍ନକ୍ଷମ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଏହି ତିନି ଭିନ୍ନକ୍ଷମ ଭାଇ-ଭଉଣୀଙ୍କ ନିକଟରେ ପହଞ୍ଚି ପାରି ନାହାନ୍ତି। ଜିଲା ସଦରମହକୁମାଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ସମାଜର ସବୁଠୁ ଅବହେଳିତ ଭିନ୍ନକ୍ଷମ ପରିବାର ପାଖରେ ସରକାରୀ ଯୋଜନା ନପହଞ୍ଚିବା ଦୁର୍ଭାଗ୍ୟଜନକ।

Comments are closed.