ବର୍ଷା ଅଭାବରୁ ଉଠିଲାନି ଗଜା, ଫସଲ ହାନୀ ଆଶଙ୍କାରେ ଋଣଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା 

ଚାନ୍ଦିପୁଟ : ଗଜପତି ଜିଲ୍ଲାରେ ଚାଷୀ ମୃତ୍ୟୁ । ଫସଲ ହାନୀ ସହ ଋଣ ଭାର ନ ସୁଝି ନ ପାରିବା ଆଶଙ୍କାରେ ଚାଷୀ ଜଣକ କୀଟନାଶକ ବିଷ ପିଇ ନିଜ ପ୍ରାଣ ହାରିଥିବା ଅଭିଯୋଗ ଆସିଛି । ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ ଚାଷୀଙ୍କର ମେଡିକାଲରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ପଟାଚାଞ୍ଛଡା ଗାଁରେ । ମୃତ ଚାଷୀ ଜଣକ ହେଲେ ପଟାଚାଞ୍ଚଡା ଗ୍ରାମର ଗୌରଚନ୍ଦ୍ର କାର୍ଯୀ (୩୩) ।

ଗୋଟିଏ ପଟେ ଋଣ ଭାର, ଆଉ ଅନ୍ୟ ପଟେ ଘରେ ଚାରି ଚାରୋଟି କୁନି କୁନି ଛୁଆ ସହ ସ୍ତ୍ରୀଙ୍କୁ ନେଇ  ଚାଲିଥିବା ସଂସାର କିଭଳି ବଞ୍ଚିବେ ସେନେଇ ଚିନ୍ତାରେ ଗୌର ଚନ୍ଦ୍ର ଗତକାଲି ସନ୍ଧ୍ୟାରେ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଶୋଇଥିବା ଅବସ୍ଥାରେ ପାଟିରୁ ଫେଣର ବାହାରୁଥିବା ଦେଖି ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଡାବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ମୋହନା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରିଥିଲେ। ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ପୁଲିସ ଏ ନେଇ ଏକ ଆପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତ ଚାଷୀ ଗୌରଙ୍କର ଘରେ ସ୍ତ୍ରୀ କୁନି କାର୍ଯୀ (୨୩) , ପୁଅ ରାଜା କାର୍ଯୀ (୧୨), ପୁଅ ରାଜେନ୍ଦ୍ର କାର୍ଯୀ(୧୦), ପୁଅ ରାଜେସ୍ବର କାର୍ଯୀ (୭) ଓ ଶିଶୁ କନ୍ୟା ପୁଜା କାର୍ଯୀ (୧୩ ମାସ) ଅଛନ୍ତି । ଏଭଳି ସ୍ଥିତିରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ପିଲାଙ୍କ ପାଠ ପଢା ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଘର ନିକଟରେ ଫିଙ୍ଗାଯାଇଥିବା କୀଟନାଶକ ଔଷଧ ବୋତଲ ଦେଖିବାକୁ ମିଳିଛି। ମୃତ ଚାଷୀଙ୍କ ମରଶରୀର ଗ୍ରାମକୁ ଆସିବା ପରେ ଘଟଣା ସ୍ଥଳରେ ମୋହନା ତହସିଲ ହିମାଂଶୁ ଭୁଷଣ ପଲେଇ, ରାଜସ୍ବ ନିରିକ୍ଷକ ସାଗର ଦଳେଇ, ଅଡବା ସରପଞ୍ଚ ସୁନେମୀ ଗମାଙ୍ଗ ପହଞ୍ଚି ତଦନ୍ତ କରି ଫେରିଛନ୍ତି।
prayash
ମିଳିଥିବା ସୂଚନା ପ୍ରକାରେ ଚାଷୀ ପଟାଚାଞ୍ଚଡା ଗ୍ରାମରେ ଗୌର ଚନ୍ଦ୍ର କାର୍ଯୀ ଜଣେ ଗରିବ ଆଦିବାସୀ ଚାଷୀ ହୋଇଥିବା ବେଳେ ଅନେକ ବର୍ଷ ଧରି ଚାଷ କାମ କରିଆସୁଥିଲେ। ସାହୁକାର ଠାରୁ ଧାର କରଜ କରି ସାର ବିହନ ଆଣି ଫସଲ କରୁଥିଲେ ହେଲେ ଗତ ଦୁଇ ବର୍ଷ ହେବ କରୁଥିବା ଚାଷରୁ ଫସଲ ଆମଦାନି ନ ହେବା ସହ କ୍ଷତି ସହିଆସୁଥିଲେ। ଚଳିତ ବର୍ଷ ମଧ୍ୟ ୫ ଏକର ଜମିରେ ମକା ଓ ଧାନ ଚାଷ କରିଥିଲେ । ହେଲେ ସ୍ୱଳ୍ପ ବର୍ଷା ଯୋଗୁଁ ଧାନ ବିଲରେ ପାଣି ସୁଖି ମାଟି ଫାଟିବା ସହ ଧାନ ଗଛ ଖରାରେ ପୋଡି ନଷ୍ଟ ହୋଇଯାଇଥିଲା । ସେପଟେ ବର୍ଷା ଆଶାରେ ଜମିରେ ଟ୍ରାକ୍ଟରରେ ଚାଷ କରି ମକା ବିହନ ବୁଣିଥିଲେ। ହେଲେ କୌଣସି ଗଜା କିମ୍ବା ଗଛ ଉଠିନଥିବାରୁ ନିରାଶ ହେବା ସହ ହତାଶ ଅବସ୍ଥାରେ ଘରକୁ ଆସି ନିଜ ସ୍ତ୍ରୀ ନିକଟରେ ଋଣ କିଭଳି ପରିଷୋଧ କରିବା ବୋଲି ଚିନ୍ତା ପ୍ରକାଶ କରିଆସୁଥିଲେ ।
ସେପଟେ ଗଜପତି ଉପଜିଲ୍ଲାପାଳ ଆଲୋକ ରଞ୍ଜନ ପ୍ରଧାନଙ୍କୁ ଏ ନେଇ ପଚାରିବାରେ ଅନୁସନ୍ଧାନ ପରେ ପ୍ରକୃତ କାରଣ ଜଣାପଡ଼ିବ ଏବଂ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ହରଭଙ୍ଗୀ ଜଳ ଭଣ୍ଡାର ତଟବର୍ତ୍ତୀ ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମି ରହିଥିବା ବେଳେ ଜଳସେଚନର କୌଣସି ବ୍ୟବସ୍ଥା ନାହିଁ ଯାହା ଫଳରେ ସର୍ବଦା ଖରିଫ ହେଉ କିମ୍ବା ରବି ଋତୁରେ ଚାଷୀଙ୍କୁ ବର୍ଷା ଜଳ ଉପରେ ହିଁ ନିର୍ଭରଶୀଳ ହେବକୁ ପଡୁଛି । ବାରମ୍ବାର ଅଞ୍ଚଳବାସୀ ଜଳ ସେଚନ ପାଇଁ ପ୍ରଶାସନ ପାଖରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣନଥିବା ହେତୁ ଚାଷୀ ହତାଶ ହୋଇ ଏଭଳି ଭାବେ ଆତ୍ମହତ୍ୟା କରୁଛନ୍ତି ଯାହା ପାଇଁ ସରକାର ହିଁ ଦାୟୀ ବୋଲି ସ୍ଥାନୀୟ ଚାଷୀ ମାନେ ଅଭିଯୋଗ କରିଛନ୍ତି ।

Comments are closed.