www.samajalive.in
Sunday, December 14, 2025
23.1 C
Bhubaneswar

ସମୟ ସ୍ରୋତରେ ଚେତନାର ପ୍ରବାହ

ସାତକୋଡ଼ି ହୋତା

ଯେଉଁଦିନ ଇଂଲଣ୍ଡର ରାଜା ଜନ୍‌ ଦେଶର ସାଧାରଣ ଲୋକଙ୍କଠାରୁ ଦାବି ପତ୍ର (ମାଗନାକାର୍ଟା) ଗ୍ରହଣ କରିବା ପାଇଁ ଜୁନ୍‌ ୧୫, ଖ୍ରୀଷ୍ଟାବ୍ଦ ୧୨୨୫ରେ ବାଧ୍ୟ ହେଲେ ସେଇଦିନ ପ୍ରଜାଙ୍କ ଭାଗ୍ୟଲିପିରେ ଲେଖି ହୋଇଗଲା ଯେ ଈଶ୍ବରଙ୍କ ପ୍ରତିନିଧି ରୂପେ ରାଜା ଶାସନ କରିବାର ଅଧିକାର ପାଇଛନ୍ତି ସତ, କିନ୍ତୁ ପ୍ରଜାମାନଙ୍କୁ ଦମନ କରିବାର ନିରଙ୍କୁଶ ଅଧିକାର ପାଇ ନାହାନ୍ତି। ଏହାର କେତେ ଶହ ବର୍ଷ ପରେ ଇଂଲଣ୍ଡର ରାଜାଙ୍କ ଏକଚ୍ଛତ୍ର ଶାସନ ମନ୍ଥର ଗତିରେ ହେଲେ ମଧ୍ୟ ମତ ପ୍ରକାଶ କରିବାର ଅଧିକାର ପ୍ରଜାମାନଙ୍କ ହାତକୁ ଗଲା। ସ୍ପେନରେ ମଧ୍ୟ ରାଜାଙ୍କୁ ସତର୍କ କରିଦେଇ କହିଥିଲେ ପ୍ରଜାମାନେ, ‘ଯଦି ରାଜ୍ୟ ଶାସନ ଚଳାଇବା ପାଇଁ ଦକ୍ଷତା ନାହିଁ ତେବେ ଶାସନ ଦାୟିତ୍ବ ଛାଡ଼ିଦିଅ ନତୁବା ତୁମକୁ ଗାଦିରୁ ଆମେ ଓହ୍ଲାଇ ଆଣିବୁ।’ ଗଣତନ୍ତ୍ରରେ ପ୍ରଜାମାନେ ହିଁ ସର୍ବେସର୍ବା। ସାମ୍ୟବାଦୀ ଦେଶମାନଙ୍କରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପ୍ରଜାଙ୍କୁ ପୂରାପୂରି କ୍ଷମତା ହସ୍ତାନ୍ତର କରି ନଥିଲେ ସୁଦ୍ଧା ଗଣତାନ୍ତ୍ରିକ ଶାସନ ପଦ୍ଧତିକୁ ଧୀରେଧୀରେ ହେଲେ ମଧ୍ୟ ଲୋକମାନଙ୍କୁ ହସ୍ତାନ୍ତର କରାଯାଉଛି। ଏବେ ପୃଥିବୀର ପ୍ରାୟ ଶହେଟି ଦେଶରେ ଗଣତାନ୍ତ୍ରିକ ଶାସନ ପରିଚାଳିତ ହେଉଛି। ହୁଏତ ଗଣତାନ୍ତ୍ରିକ ଶକ୍ତିକୁ ଫଳବତୀ କରି ଆଗାମୀ କାଲିର ଅଧିକ ଯୁଗାନ୍ତକାରୀ ପରିବର୍ତ୍ତନ ନୂତନ ଚେତନାର ପ୍ରବାହ ନେଇ ଅବତରଣ କରିବ ଜଗତରେ।
ମାଗନାକାର୍ଟା ମାଧ୍ୟମରେ ଇଂଲଣ୍ଡର ରାଜା ଜନ୍‌ ଗଣଶକ୍ତି ହାତକୁ କ୍ଷମତା ହସ୍ତାନ୍ତର ଆରମ୍ଭ କଲେ ସତ, କିନ୍ତୁ ପୂର୍ଣ୍ଣ ଗଣତନ୍ତ୍ର ଶାସନର ଅଧିକାର ଲୋକମାନଙ୍କୁ ହସ୍ତାନ୍ତର କରିବାପାଇଁ ଦ୍ବିତୀୟ ବିଶ୍ବଯୁଦ୍ଧ ପାଇଁ ଅପେକ୍ଷା କରିବାକୁ ପଡ଼ିଲା। ସେଥିପାଇଁ ବୌଦ୍ଧିକ ଜଗତର ଚିନ୍ତାଶୀଳ ବ୍ୟକ୍ତିମାନେ କହନ୍ତି ଯେ ଦିନେ ନା ଦିନେ ଲୋକଙ୍କ ହାତକୁ କ୍ଷମତା ଆସିବ। ବିଂଶ ଶତାବ୍ଦୀ ହିଁ ଲୋକଶକ୍ତି ଗଣତାନ୍ତ୍ରିକ ମାନବିକ ମୂଲ୍ୟବୋଧର ଯୁଗ। ସାଧାରଣ ରାଜା, ମହାରାଜା ଓ ସମ୍ରାଟମାନଙ୍କ ହାତରୁ ବିଂଶ ଶତାବ୍ଦୀରେ ହିଁ କ୍ଷମତା ହସ୍ତାନ୍ତର ହେଲା। ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ପ୍ରଯୁକ୍ତି, ଗଣତନ୍ତ୍ର ଓ ଆଣବିକ ଶକ୍ତିର ଶତାବ୍ଦୀ। ବିଂଶ ଶତାବ୍ଦୀରେ ଭାରତ ପରି ଏକ ବିରାଟ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ରର ଜନ୍ମ। ଭଲ ହେଉ ବା ମନ୍ଦ ହେଉ, ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନର ନାଗାସାକି ଉପରେ ଆମେରିକା ଆଣବିକ ବୋମା ବିସ୍ଫୋରଣ କରି ଯୁଦ୍ଧ ଜୟ କଲା। ଏହା ପୂର୍ବରୁ ଆଉ କେବେ ଜଗତ ଏପରି ଭୟଙ୍କର ଯୁଦ୍ଧ ଦେଖି ନଥିଲା। ଆମେରିକାର ସମ୍ବିଧାନରେ ଘୋଷଣା କରାଯାଇଛି ଯେ ସବୁ ମଣିଷ ସମାନ। ଏଇ ଭବିଷ୍ୟତ ବାଣୀ ବାସ୍ତବ ହେଲା ୧୯୬୨ ବେଳକୁ। ଗୋରା ଓ କଳା ଲୋକଙ୍କ ମଧ୍ୟରେ ଥିବା ଆକାଶପାତାଳ ପାର୍ଥକ୍ୟ ଲୋପ ପାଇଲା ଏଇ ସମୟରୁ ଏବଂ କଳା ଲୋକମାନେ ଭୋଟ ଦେବାର ଅଧିକାର ପାଇଲେ। ଶାନ୍ତି ଓ ଅହିଂସାର ଯୁଗ ପ୍ରବର୍ତ୍ତକ ମହାତ୍ମା ଗାନ୍ଧୀ ଏବଂ ଆମେରିକାର କୃଷ୍ଣକାୟ ନେତା ମାର୍ଟିନ୍‌ ଲୁଥର କିଙ୍ଗଙ୍କ ହାତରୁ ବର୍ଣ୍ଣ, ଜାତି, ଧର୍ମ ନିର୍ବିଶେଷରେ ‘ସବୁ ମଣିଷ ସମାନ’ ଏଇ ଘୋଷଣା ଜଗତକୁ ସ୍ବର୍ଗର ବାଣୀ ପରି ଶୁଣାଗଲା।
ଭାରତପରି ଶହେକୋଟି ଲୋକଙ୍କ ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ଲୋକ କହନ୍ତି ମହାତ୍ମା ଗାନ୍ଧୀ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବ୍ରିଟେନ୍‌ ସରକାର ବାଧ୍ୟ ହେଲେ ଦେଢ଼ଶହ ବର୍ଷର ପରାଧୀନ ଭାରତ ହାତକୁ ସ୍ବାଧୀନତା ସମର୍ପଣ କରିବା ପାଇଁ। ଗାନ୍ଧିଜୀ ଆଫ୍ରିକା ମାଟିରେ ଅହିଂସା ମାର୍ଗରେ ବିପ୍ଳବର ବାଣୀ ଛାଡ଼ି ଚାଲିଆସିଥିଲେ ଭାରତର ସ୍ବାଧୀନତା ସଂଗ୍ରାମକୁ ସତ୍ୟ ଓ ଅହିଂସା ମାର୍ଗରେ ବିଜୟୀ କରିବା ପାଇଁ। ସତ୍ୟ, ଅହିଂସା, ଦେଶପ୍ରେମ ଓ ଜାତୀୟତା ଏକବିଂଶ ଶତାବ୍ଦୀର ମଣିଷଙ୍କୁ କରିଛି ଶକ୍ତିଶାଳୀ। ଗଣ ଚେତନାର ପ୍ରବାହକୁ ଯେଉଁ ଦୁଇଜଣ ମହାତ୍ମା ଗତିଶୀଳ କରିଥିଲେ ସେମାନେ ହେଲେ ମହାଯୋଗୀ ଶ୍ରୀଅରବିନ୍ଦ ଏବଂ ମୋହନଦାସ କରମଚାନ୍ଦ ଗାନ୍ଧୀ।
ଆମ ଦେଶର ଅନୁପମ, ଅସାମାନ୍ୟ, ମହିଳାମାନଙ୍କ ସଂଖ୍ୟା ଅନେକ। ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ, ମନ୍ଦୋଦରୀ- ଏ ପଞ୍ଚକନ୍ୟା ଆକାଶର ତାରା ପରି ବିଶ୍ବଲୋକକୁ ଆଲୋକିତ କରୁଛନ୍ତି। ପ୍ରଖ୍ୟାତ ଐତିହାସିକ ଟୟନବି ନିଜ ଲିଖିତ ପୁସ୍ତକରେ ଲେଖିଛନ୍ତି: ମଣିଷ କେବଳ ଏକ ସାମାଜିକ ପ୍ରାଣୀ ନୁହଁ, ସେ ମଧ୍ୟ ଏକ ବ୍ୟକ୍ତି ଯିଏ ସର୍ବଶେଷ ଆଧ୍ୟାତ୍ମିକ ବାସ୍ତବତା ସହିତ ପ୍ର‌ତ୍ୟକ୍ଷ ସମ୍ପର୍କ ସ୍ଥାପନ କରିବାପାଇଁ ଚାହେଁ। ଟୟନବିଙ୍କ ଉକ୍ତି ଏ କାଳରେ ପ୍ରଯୁଜ୍ୟ ଏବଂ ଆମେ ସହଜରେ କହିପାରିବୁ ଯେ ପୁରୁଷ ଅପେକ୍ଷା ମହିଳାମାନେ ହିଁ ଧର୍ମ ଓ ଆଧ୍ୟାତ୍ମିକତା ସହିତ ଅଧିକ ସଂପୃକ୍ତ। ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ କମିଯାଉଛି ବୋଲି ଜଗତରେ ଚହଳ ପଡ଼ିଛି। ସେମାନଙ୍କ ସଂଖ୍ୟା କମିଗଲେ ଜଗତର ମହତ୍ତ୍ବ କମିଯିବ ଏବଂ ଜନନୀ ହେବାର ଗୌରବ କମିବ। ସେଥିପାଇଁ କୁହାଯାଇଛି ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ଗରିୟସୀ। ଜନନୀ ସ୍ବର୍ଗଠାରୁ ମଧ୍ୟ ଉଚ୍ଚତର। ନାରୀର ଅବାରିତ ଅନୁକମ୍ପା, ଅସରନ୍ତି ଶ୍ରଦ୍ଧା ଏବଂ ଅଶେଷ କରୁଣା ତାଙ୍କୁ ଧନ୍ୟ କରିଛି ଧରଣୀରେ।
ଯାଜ୍ଞବଳ୍‌କ୍ୟ ପ୍ରଥମ ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବା ପରେ ଦ୍ବିତୀୟ ମୈତ୍ରେୟୀଙ୍କୁ କହିଲେ- ମୁଁ ବାନପ୍ରସ୍ଥ ଯିବି। ଧନ, ଜମି, ଗୋ, ଅଳଂକାର ଯାହା ଆବଶ୍ୟକ ତାହା ପାଇବ। ତୁମର କ’ଣ ଲୋଡ଼ା? ମୈତ୍ରେୟୀଙ୍କ ଅନ୍ତସ୍କରଣ ଆକାଶ ପରି ଉଚ୍ଚ, ସମୁଦ୍ର ପରି ଗଭୀର ଏବଂ ଜଗତ ପରି ଅନନ୍ତ। ଏଇଥିପାଇଁ ସେ ସ୍ବାମୀଙ୍କ ବଦାନ୍ୟତା ପୂର୍ଣ୍ଣ କରିବା ପାଇଁ ପ୍ରାର୍ଥନା କଲେ: ‘ଅସତୋ ମା ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମା ଅମୃତଂ ଗମୟ’। ଜମି, ଗୃହ, ନାରୀ, ଧନରତ୍ନ, ଅଳଙ୍କାର ଏବଂ ଅନ୍ୟ ସବୁ ପ୍ରାର୍ଥନୀୟ ସାମଗ୍ରୀ ସେ ମାଗି ପାରିଥାନ୍ତେ, କିନ୍ତୁ ନା, ସେ ତାହା କଲେ ନାହିଁ। ସେ ପ୍ରାର୍ଥନା କଲେ- ପ୍ରଭୁ! ଅସଦ୍‌ ମାର୍ଗରୁ ସଦ୍‌ମାର୍ଗକୁୁ, ଅନ୍ଧକାରରୁ ଆଲୋକକୁ ଏବଂ ମୃତ୍ୟୁରୁ ମୃତ୍ୟୁହୀନତା ପାଇଁ ପ୍ରାର୍ଥନା କରୁଛି। ଯାଜ୍ଞବଳ୍‌କ୍ୟ ଗଦ୍‌ଗଦ୍‌ ସ୍ବରରେ କହିଲେ- ତଥାସ୍ତୁ। ସତ୍ୟଯୁଗର କଥା ଇଏ। କିନ୍ତୁ କଳିଯୁଗରେ ବି ଯେ ଅସତ୍ୟରୁ ସତ୍‌ ମାର୍ଗକୁ ଯିବାପାଇଁ ମହିୟସୀ ନାରୀ ହିଁ ପ୍ରାର୍ଥନା କରିପାରନ୍ତି- ଏହା ଶ୍ରୀମା ଓ ମଦର ଟେରେସାଙ୍କ ସ୍ବରରୁ ଜଗତ ଜାଣିଲା। ମଦର ଟେରେସା କହିଛନ୍ତି: ‘ପରସ୍ପର ମଧ୍ୟରେ ବାଣ୍ଟିବା ପାଇଁ, ପ୍ରାର୍ଥନା କରିବା ପାଇଁ, କଷ୍ଟ ଭୋଗ କରିବା ପାଇଁ ଏବଂ କାର୍ଯ୍ୟ କରିବା ପାଇଁ ମଣିଷ ମନରେ ପ୍ରବଳ ଶକ୍ତି ବୃଦ୍ଧି ପାଉଛି’। ଅତିମାନସ ଶକ୍ତି ଜଗତକୁ ଓହ୍ଲାଇ ଆଣିବା ପାଇଁ ଶ୍ରୀଅରବିନ୍ଦ ତପସ୍ୟା କରି ସିଦ୍ଧିଲାଭ କରିଥିଲେ।
ସୀତା ରାବଣର ବଗିଚାରେ ବନ୍ଦୀ ଥିଲେ। ରାମଙ୍କୁ ମୁହୂ​‌େ​‌ର୍ତ୍ତ ମାତ୍ର ସୀତା ଭୁଲି ନଥିଲେ ମଧ୍ୟ ଯେଉଁ ଦିନ ସେ ଜାଣିଲେ ଯେ ରାବଣ ଆଉ ନାହିଁ, ଯୁଦ୍ଧରେ ପରାସ୍ତ ଓ ନିହତ ହୋଇଛି ସେତେବେଳେ ସୀତା ନିଶ୍ଚିତ ହୋଇଗଲେ ଯେ ଏବେ ସେ ମୁକ୍ତି ପାଇବେ। କିନ୍ତୁୁ ହାୟ, ଯେତେବେଳେ ସୀତାଙ୍କୁ କୋଳାଗ୍ରତ ନକରି ଶ୍ରୀରାମ ତାଙ୍କୁ କହିଲେ ଯେ ସେ ରାବଣର ବନ୍ଦିନୀ ଥିବାରୁ ନାରୀର ପବିତ୍ରତା ହରାଇଛନ୍ତି। ଏହା ପ୍ରମାଣ କରିବାପାଇଁ ତାଙ୍କୁ ସତୀତ୍ବ ଓ ପବିତ୍ରତାର ଅଗ୍ନି ପରୀକ୍ଷା ଦବାକୁ ପଡ଼ିବ। ଏଇ ବାଣୀ ଶ୍ରୀରାମଙ୍କ ତୁଣ୍ଡରୁ ଶୁଣିବା ମାତ୍ରେ ସୀତାଙ୍କ ପାଦ ତଳର ପୃଥିବୀ ଶତଧା ବିଦୀର୍ଣ୍ଣ ହେଉଥିବା ପରି ଲାଗୁଥିଲା ତାଙ୍କୁ। ସେ କିନ୍ତୁ ଜାଣନ୍ତି ଯେ ବାରମ୍ବାର ଅଗ୍ନି ପରୀକ୍ଷା ଦେଲେ ମଧ୍ୟ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବେ। ଅଗ୍ନିଶିଖା ଭିତରେ ସୀତା ଝାସ ଦେଲେ। ଅଗ୍ନି ସତ୍ୟ ଓ ସତୀତ୍ବକୁ ଧ୍ବଂସ କରିପାରିଲା ନାହିଁ। ଶ୍ରୀରାମ ତାଙ୍କୁ ପ୍ରତ୍ୟାଖ୍ୟାନ କରି ନପାରି ଗ୍ରହଣ କଲେ। ଯୁଗଯୁଗକୁ କଥା ରହିଗଲା ଯେ ସୀତା ସବୁ ଯୁଗରେ ସତ୍ୟ, ପବିତ୍ରତା ଓ ସତୀତ୍ବର ଅମର କାହାଣୀ ହୋଇ ରହିବେ।
ଜନସଂଖ୍ୟାର ୪୮ ପ୍ରତିଶତ ହେଉଛନ୍ତି ନାରୀ। ଏମାନଙ୍କୁ ବାଦ୍‌ ଦେଇ ଗଣତନ୍ତ୍ର ସଫଳ ହେବନାହିଁ। ପୁରୁଷମାନଙ୍କ ପରାଜୟ ହେଲେ ନାରୀ ସାହସ ଓ ସାନ୍ନିଧ୍ୟ ଦିଏ ପାଖରେ ଥାଇ। ପୁରୁଷର ଆଣ୍ଠୁ ଭାଙ୍ଗିଗଲେ ନାରୀ ପାଖରେ ଥାଏ ତାକୁ ଉଠାଇବା ପାଇଁ। ଭାରତର ନାରୀମାନେ ଅନନ୍ୟା। ଶ୍ରୀମା ଦିବ୍ୟ ଚେତନାର ଅଧିକାରିଣୀ। ଶ୍ରୀଅରବିନ୍ଦଙ୍କ ଅତିମାନସ ଶକ୍ତିର ଧରାବତରଣ ଯେ ଦିବ୍ୟଜୀବନ ସଂସ୍ଥାପନ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ, ଏହା ପୃଥିବୀର ଲୋକମାନେ ଯେଉଁଦିନ ହୃଦୟଙ୍ଗମ କରିବେ ସେହି ଦିନ ଅତିମାନସର ଅବତରଣକୁ ଶୁଦ୍ଧ ଚିତ୍ତରେ ମାନବ ସମାଜ ଗ୍ରହଣ କରିନବ। ଏଥିପାଇଁ ଚରିତ୍ର ଓ ଚେତନାର ପରିବର୍ତ୍ତନ ଲୋଡ଼ା। ବାହ୍ୟ ଜୀବନ ନୁହେଁ, ଅନ୍ତସ୍କରଣର ପବିତ୍ରତାର ଆବଶ୍ୟକତା ଅଛି। ଶ୍ରୀମା’ଙ୍କ ଭାଷାରେ: ‘ପ୍ରଭୁ! ତୁମେ ଯାହା ଇଚ୍ଛା କରିଛ ମୁଁ ତାହା କାର୍ଯ୍ୟକାରୀ କରୁଛି। ପୃଥିବୀ ଉପରେ ଏକ ନୂତନ ଆଲୋକ ଉଦ୍‌ଭାସିତ ହେଉଛି। ଗୋଟିଏ ନୂତନ ଜଗତ ଜନ୍ମ ହେଉଛି। ଯାହାସବୁ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା ତାହା ପୂର୍ଣ୍ଣ ହୋଇଛି’। ଏଇ ନୂତନ ପୃଥିବୀ ଯେ ଚଳଣି ଚିନ୍ତା ଓ ଚେତନାକୁ ପରିବର୍ତ୍ତନ ବୋଲି ପ୍ରତିଶ୍ରୁତି ମିଳିଥିଲା ତାହା ପୂର୍ଣ୍ଣ ହୋଇଛି। ଏଇ ନୂତନ ପୃଥିବୀ ଯେ ଚଳଣି ଚିନ୍ତା ଓ ଚେତନାକୁୁ ପରିବର୍ତ୍ତନ କରିବ, ଏହା ଆଗାମୀ କାଳର ସୂ‌େ‌ର୍ଯ୍ୟାଦୟ ହିଁ କହିବ। ଚେତନା ଓ ଚୈତନ୍ୟର ପରିବର୍ତ୍ତନ ଲୋଡ଼ା। ସମଷ୍ଟିର ସଂଗଠିତ ଶକ୍ତି ଓ ସଫଳତା ସର୍ବାଧିକ। ସେଥିପାଇଁ ଗଣତନ୍ତ୍ର ଶାସନର ମୂଲ୍ୟବୋଧଗୁଡ଼ିକ ଗ୍ରହଣ କରି ଯଦି ଜାତୀୟ ଜୀବନକୁ ସତ୍‌ ପଥରେ ପରିଚାଳିତ କରାଯାଏ ତେବେ ମର୍ତ୍ତ୍ୟରେ ନୂତନ ମଣିଷ ଜନ୍ମ ହେବ। ଋଷିମାନେ ଶିଷ୍ୟମାନଙ୍କ ମନରେ ଉଚ୍ଚତର ଚେତନା ସୃଷ୍ଟି କରିବାପାଇଁ ସେମାନଙ୍କୁ ସମଷ୍ଟିଗତ ଜୀବନରେ ସମସ୍ତେ ସମାନ ହେବାପାଇଁ ଆସ୍ପୃହା ସୃଷ୍ଟି କରୁଥିଲେ। ଶିଷ୍ୟମାନଙ୍କ ପ୍ରାର୍ଥନା ଥିଲା ଏହିପରି:
ସଂଗଚ୍ଛଧ୍ବଂ ସଂ ବଦଧ୍ବଂ ସଂ ବୋ ମନାଂସି ଜାନତାମ୍‌।
ଦେବା ଭାଗଂ ଯଥାପୂର୍ବେ ସଂ ଜାନାନା ଉପାସତେ।। (ଋ.ବେ.୧୦.୧୯୧.୨)
ଅର୍ଥାତ୍- ତୁମେ ସମସ୍ତେ ମିଳିମିଶି ଗତି କର, ମିଳିମିଶି ବାର୍ତ୍ତାଳାପ କର, ପରସ୍ପର ମଧ୍ୟରେ ସହଯୋଗ ପୂର୍ବକ ଜ୍ଞାନ ଅର୍ଜନ କର। ପୂର୍ବ କଳ୍ପର ମଣିଷ ଏଇପରି ଜ୍ଞାନ ଅର୍ଜନ କରୁଥିଲେ। ମିଳିମିଶି ଜ୍ଞାନ ଅର୍ଜନ କରିବା ଏବଂ ସମବେତ ଜୀବନଯାପନ କରିବାହିଁ ଜାତୀୟ ଜୀବନକୁ ଶକ୍ତି ପ୍ରଦାନ କରେ। ସେ କାଳର ମଣିଷର ଚିନ୍ତା ଓ ଚେତନାରେ ନଥିଲା ଘୃଣା, ଅହଂକାର, ଶତ୍ରୁତା। ସେମାନେ ନିଜନିଜର ସ୍ବାର୍ଥ ଅପେକ୍ଷା ସମଷ୍ଟିଗତ ସ୍ବାର୍ଥ ପ୍ରତି ଅଧିକ ଗୁରୁତ୍ବ ଦେଉଥିଲେ। ମଣିଷର ଦୁଃଖ, ହତାଶାକୁ ଅସହାୟତାରୁ ମୁକ୍ତ କରିବା ପାଇଁ ଆମେରିକାର ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ରେ ଏମ୍ମା ଲଜରାସ୍‌ଙ୍କ ବାଣୀ ଉଲ୍ଲିଖିତ ରହିଛି- ଆମେରିକାରେ ଆଶ୍ରୟ ନବା ପାଇଁ ବିଭିନ୍ନ ଦେଶରୁ ଆସୁଥିବା ଦୁଃଖୀ ରଙ୍କୀ, ଦୁୁଃସ୍ଥ, ଦୁର୍ବଳ, ରୁଗ୍‌ଣ ସମସ୍ତଙ୍କୁ ସ୍ବାଗତ କରୁଛନ୍ତି ଲଜରସ୍‌। ଷ୍ଟାଚ୍ୟୁଅଫ୍‌ ଲିବର୍ଟିଠାରେ ମଶାଲ ଧରି ଆଗନ୍ତୁକମାନଙ୍କୁ ସ୍ବାଗତ କରୁଥିଲେ ଏମ୍ମା ଲଜରସ୍‌। ଏଇ ମମତା ସତ୍‌ ସାହସ ଓ ମାତୃ ଚେତନା ହିଁ ଆମେରିକାକୁ ଧନ୍ୟ କରିଛି। ଜଗତର ବିଭିନ୍ନ ଦେଶରୁ ଅଜସ୍ର ଲୋକ ଧାଇଁ ଆସିଛନ୍ତି ଆମେରିକାରେ ବସବାସ କରିବାପାଇଁ। ଏହିଠାରୁ ଜନ୍ମ ନେଇଛି ଆମେରିକାର ଆନ୍ତର୍ଜାତିକ ସଂସ୍କୃତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories