ମାଟିତଳେ ରହିଛି ବହୁ ଦୁର୍ମୂଲ୍ୟ ସାମଗ୍ରୀ, ପ୍ରତ୍ନତାତ୍ତ୍ୱିକ ଉତଖନନ ସହ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷାକୁ ଦିଆଯାଉ ଗୁରୁତ୍ବ
ସାଲେପୁର: ସାଲେପୁର ନିକଟସ୍ଥ ପବିତ୍ର ଚିତ୍ରୋତ୍ପଳା ନଦୀକୂଳରେ ଅବସ୍ଥାପିତ ଐତିହାସିକ ବ୍ରହ୍ମାବଣ ପୀଠ ଠାରେ ୧୯୭୬ ମସିହାରେ ପ୍ରତ୍ନତାତ୍ତ୍ୱିକ ଅନ୍ଵେଷଣ ଓ ପ୍ରତ୍ନତାତ୍ତ୍ୱିକ ଉତଖନନ ହେବା ଫଳରେ ସେଠାରେ ବୌଦ୍ଧ ଯୁଗର ବହୁ କୀର୍ତ୍ତିରାଜି ମିଳିଥିଲା।ବ୍ରହ୍ମାବଣ ପୀଠ ଠାରେ ପ୍ରତ୍ନତାତ୍ତ୍ୱିକ ଉତଖନନର ଦୀର୍ଘ ୪୯ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ମାଟି ତଳେ ପଟିହୋଇ ରହିଥିବା ଅନେକ ପ୍ରତ୍ନତାତ୍ତ୍ୱିକ ସାମଗ୍ରୀଗୁଡିକର ଉଦ୍ଧାର ପାଇଁ ପୁନର୍ବାର ଏହାର ଖନନ କାର୍ଯ୍ୟ କରାଯାଉନାହିଁ।
ବ୍ରହ୍ମାବଣ ପୀଠରେ ପୁନର୍ବାର ପ୍ରତ୍ନତାତ୍ତ୍ୱିକ ଉତଖନନ କାରାଯିବା ସହିତ ଏଠାରୁ ଉଦ୍ଧାର ହୋଇଥିବା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଓ ଗବେଷଣା ଉପରେ ଗୁରୁତ୍ବ ଦିଆଯାଉ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଚିତ୍ରୋତ୍ପଳା ନଦୀ କୂଳରେ ଥିବା ଏହି ପୀଠ ନିକଟସ୍ଥ ମାଟିତଳେ ବହୁ ଦୁର୍ମୂଲ୍ୟ ସାମଗ୍ରୀ ରହିଛି। ଏହି ସ୍ଥାନରେ ବୌଦ୍ଧ ଯୁଗର ସହର ବିକଶିତ ହୋଇଥିବାବେଳେ ଏହି ସମ୍ପର୍କରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ କୌଣସି ଗବେଷଣା କରାଯାଉନାହିଁ। ରାଜ୍ୟ ସରକାର ଏହି ସାଲେପୁର ଅଞ୍ଚଳର ଚିତ୍ରୋତ୍ପଳା ନଦୀ କୂଳରେ ଥିବା ବହୁ ଗୁରୁତ୍ବପୂର୍ଣ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଓ ଗବେଷଣା ଉପରେ ଗୁରୁତ୍ବଦେଲେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ରୂପେ ସ୍ଥାନ ପାଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ କୁହାଯାଇଛି।
ରାଜ୍ୟର ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ସ୍ବର୍ଗତ ସେକ୍ ମତଲୁବ ଅଲ୍ଲୀଙ୍କ ନିର୍ଦେଶକ୍ରମେ ଏହି ବ୍ରହ୍ମାବଣ ପୀଠରେ ପ୍ରତ୍ନତାତ୍ତ୍ୱିକ ଉତଖନନ କରାଯାଇଥିଲା। ସେତେବେଳେ ପ୍ରତ୍ନତାତ୍ତ୍ୱିକ ଉତଖନନ ସମୟରେ ଭୂମିମୁଦ୍ରାରେ ଥିବା ଏକ ବୁଦ୍ଧ ମୂର୍ତ୍ତି ଏଠାରୁ ଉଦ୍ଧାର କରାଯାଇଥିଲା। ସେହିପରି ଏଠାରୁ ସପ୍ତମ ଏବଂ ନବମ ଶତାବ୍ଦୀର ଅବଲୋକିତେଶ୍ବର ମୂର୍ତ୍ତି, ଏକତାରା ମୂର୍ତ୍ତି, ବୌଦ୍ଧ ବିହାରର ବିଦ୍ୟାଦାୟିନୀ ଦେବୀ ମଞ୍ଜୁଶ୍ରୀ ମୂର୍ତ୍ତି ସମେତ ବହୁ ମୂଲ୍ୟବାନ ମୂର୍ତ୍ତି ମାଟିତଳୁ ଆବିଷ୍କାର କରାଯାଇଥିଲା। ସେତେବେଳେ ଏହି ସବୁ ମୂର୍ତ୍ତି ଗୁଡ଼ିକୁ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ସଂଗ୍ରହ କରାଯାଇ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରଖାଯାଇଥିଲା।
ପରବର୍ତ୍ତୀ ସମୟରେ ସାଲେପୁରଠାରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ବ୍ରହ୍ମାବଣ ପୀଠରୁ ପ୍ରତ୍ନତାତ୍ତ୍ୱିକ ଉତଖନନ ସମୟରେ ଉଦ୍ଧାର ହୋଇଥିବା କିଛି ମୂର୍ତ୍ତି ଏଠାରେ ମଧ୍ୟ ଏଠାରେ ରଖାଯାଇଛି। କୋଲଣପୁରସ୍ଥିତ ବ୍ରହ୍ମାବଣ ପରିସରରେ ମଧ୍ୟ ବହୁ ମୂର୍ତ୍ତି ଦେଖିବାକୁ ମିଳୁଛି । ଏବେ ସେଠାରେ ରଖାଯାଇଥିବା ସେହି ମୂର୍ତ୍ତିଗୁଡିକୁ ପୂଜା କରାଯାଉଛି। ସେହିପରି ଏଠାରେ ମନ୍ଦିରର ପାଦଦେଶ ବ୍ୟତୀତ ଏକ ମିଟର ଗଭୀର ତଳେ ଦୁଇ ମିଟର ଲମ୍ବ ବିଶିଷ୍ଟ ଏକ ଇଟାକାନ୍ଥ ଖନନରୁ ବାହାରିଛି । ଏହି ମୂର୍ତ୍ତିମାନଙ୍କର ଗଠନ ପ୍ରଣାଳୀ ଓ ଇଟାକାନ୍ଥର ନିର୍ମାଣଭଙ୍ଗୀକୁ ଦେଖ୍ ଏହା ନବମ ଶତାବ୍ଦୀର ବୋଲି ଐତିହାସିକ ଡ. ଅର୍ଜୁନ ଯୋଶୀ ମତ ଦେଇଥିଲେ। ଏବେ ଏହି ବ୍ରହ୍ମାବଣ ଖନନ କାର୍ଯ୍ୟ ଅଧା ରହିଥିବାବେଳେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଏଠାରେ ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ପାଚେରି ସମେତ ବହୁ ଘର ନିର୍ମାଣ କରାଯାଇଛି ।
Comments are closed.