www.samajalive.in
Sunday, December 7, 2025
23.1 C
Bhubaneswar

ସଂଶୋଧିତ ଡିଏଲ୍‍ଏସ୍‍ ନିୟମ ଲାଗୁହେଲା

ଦୁବାଇ : ରବିବାରଠାରୁ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‍ରେ ସଂଶୋଧିତ ବର୍ଷା ନିୟମ ଡିଏଲ୍‍ଏସ୍‍ (ଡକ୍‍ୱର୍ଥ-ଲୁଇସ୍‍-ଷ୍ଟର୍ନ) ନିୟମ ଲାଗୁ କରାଯାଇଛି। ଏହାସହ ନୂତନ ଭାବେ ପ୍ରଣୀତ ଖେଳାଳିଙ୍କ ଆଚରଣବିଧି ନିୟମକୁ କାର୍ଯ୍ୟକାରୀ କରାଯାଇଛି ବୋଲି ଆଇସିସି ସୂତ୍ରରୁ ଜଣାପଡିଛି। ରବିବାର କିମ୍ବର୍ଲିରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ଖେଳା ଯାଇଥିବା ଦିନିକିଆ ମ୍ୟାଚ୍‍ରୁ ଏହି ପରିବର୍ତ୍ତନ ଲାଗୁହୋଇଛି।
ଆନ୍ତର୍ଜାତିକ କ୍ରିକେଟରେ ୧୯୯୭ରେ ପ୍ରଥମଥର ଡକ୍‍ୱର୍ଥ-ଲୁଇସ (ଡିଏଲ୍‍) ନିୟମ ପ୍ରଚଳନ କରାଯାଇଥିଲା। ବର୍ଷା କିମ୍ବା ଅନ୍ୟ କାରଣ ଯୋଗୁଁ ଯଦି କୌଣସି ସୀମିତ ଓଭର କ୍ରିକେଟ ମ୍ୟାଚ ବାଧାପ୍ରାପ୍ତ ହୁଏ; ତାହାହେଲେ ଏହି ନିୟମ ଅନୁଯାୟୀ ୨ୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ପାଇଁ ନୂତନ ବିଜୟଲକ୍ଷ୍ୟ ସ୍ଥିର କରା ଯାଇଥାଏ। ୨୦୧୪ରେ ଏହି ନିୟମକୁ ସଂଶୋଧନ କରାଯିବା ପରେ ଏହାକୁ ଡିଏଲଏସ୍‍ ନାମରେ ନାମିତ କରା ଯାଇଥିଲା। ତେବେ ଡିଏଲଏସ୍‍ ନିୟମକୁ ନେଇ ଆପତ୍ତି ଉଠିବା ପରେ ଆଇସିସି କର୍ତ୍ତୃପକ୍ଷ ପୁଣି ଏହାକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବ୍ରିଟେନର ଦୁଇଜଣ ପରିସଂଖ୍ୟାନବିତ୍‍ ଫ୍ରାଙ୍କ୍‍ ଡକ୍‍ୱର୍ଥ ଓ ଟନି ଲୁଇସ ଉଦ୍ଭାବନ କରିଥିବା ଫର୍ମୁଲା ଅନୁଯାୟୀ ଏହି ନିୟମକୁ ଡିଏଲ୍‍ ନାମରେ ନାମିତ କରା ଯାଇଥିଲା। ୨୦୧୪ରେ କ୍ୱିନ୍‍ସଲାଣ୍ଡ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗ ପ୍ରଫେସର ଷ୍ଟିଭେନ ଷ୍ଟର୍ନଙ୍କ ସଂଶୋଧିତ ଫର୍ମୁଲାକୁ ଗ୍ରହଣ କରାଯିବାପରେ ଏହା ଡିଏଲଏସ ନାମରେ ପରିଚିତ ହୋଇଥିଲା। ତେବେ ବିଗତ ଚାରିବର୍ଷ ମଧ୍ୟରେ ଡିଏଲଏସ୍‍ ନିୟମର ପ୍ରଯୋଗକୁ ନେଇ ବିତର୍କ ସୃଷ୍ଟି ହେବାପରେ ପୁନଃ ସଂଶୋଧନ ନିମନ୍ତେ ଆଇସିସି କର୍ତ୍ତୃପକ୍ଷ ଚିନ୍ତା କରିଥିଲେ। ଏହି ୪ ବର୍ଷରେ ଖେଳା ଯାଇଥିବା ୭୦୦ ଆନ୍ତର୍ଜାତିକ ଦିନିକିଆ ଓ ୪୨ଟି ଟ୍ୱେଣ୍ଟି୨୦ ମ୍ୟାଚର ପରିସଂଖାନକୁ ଆଧାରକରି ସଂଶୋଧିତ ନିୟମ ପ୍ରଚଳନ କରାଯାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ମ୍ୟାଚରେ ବୋଲିଂ କରା ଯାଇଥିବା ପ୍ରାୟ ୨,୪୦,୦୦୦ ବଲ୍‍ର ଫଳାଫଳକୁ ଅନୁଧ୍ୟାନ କରା ଯାଇଥିଲା। ଦିନିକିଆ ହେଉ କିମ୍ବା ଟ୍ୱେଣ୍ଟି୨୦; ପ୍ରତ୍ୟେକ ମ୍ୟାଚରେ ସଂପୃକ୍ତ ଦଳର ସ୍କୋରିଂ ଶୈଳୀକୁ ସମୀକ୍ଷା କରାଯାଇଛି। ଆଇସିସି ଜାଣିବାକୁ ପାଇଛି ଯେ ଦଳଗୁଡ଼ିକ ଇନିଂସ ଆଗକୁ ବଢ଼ିବା ସହ ରନ୍‍ଗତିରେ ବୃଦ୍ଧି କରି ପାରିଛନ୍ତି। ତେଣୁ ଡିଏଲ୍‍ଏସ୍‍ ନିୟମରେ ବିଜୟଲକ୍ଷ୍ୟ ହିସାବ କରିବା ବେଳେ ଧରି ନିଆଯିବ ଯେ ୨ୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ମଝି ଓଭର ଅପେକ୍ଷା ଶେଷଆଡ଼କୁ ଅଧିକ ଗତିରେ ସ୍କୋର୍‍ କରିବ। ପୁଣି ଟ୍ୱେଣ୍ଟି୨୦ ମ୍ୟାଚର ପୂରା କୋଡିଏ ଓଭରରେ କିଭଳି ରନ ସ୍କୋର ହେଉଛି; ତାହାକୁ ଭିତ୍ତିକରି ଡିଏଲଏସ ନିୟମରେ ସଂଶୋଧନ ଅଣାଯାଇଛି।
ଅପରପକ୍ଷରେ ଖେଳାଳିଙ୍କ ପ୍ରତି ଲାଗୁ ହେଉଥିବା ଆଚରଣବିଧିରେ ମଧ୍ୟ ସଂଶୋଧନ କରାଯାଇଛି। ପଡିଆରେ ଅନୁଚିତ ଫାଇଦା ଉଠାଇବା ପାଇଁ ଖେଳାଳିଙ୍କ ଉଦ୍ୟମକୁ ବର୍ତ୍ତମାନ ଲେଭଲ୍‍ ୨ ଓ ୩ ଅପରାଧ ଭାବେ ବିବେଚନା କରାଯିବ। ଏଥିସହିତ ଲେଭଲ-୩ ଅପରାଧ ପାଇଁ ଖେଳାଳିଙ୍କ ବାସନ୍ଦ ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ଏଣିକି ଲେଭ୍‍ଲ-୩ ଅପରାଧ ପାଇଁ ଖେଳାଳିଙ୍କୁ ୮ରୁ ୧୨ ନିଲମ୍ବନ ପଏଣ୍ଟ ମିଳିବ। ଅର୍ଥାତ୍‍ ଖେଳାଳି ୬ଟି ଟେଷ୍ଟମ୍ୟାଚ୍‍ କିମ୍ବା ୧୨ଟି ଦିନିକିଆ ମ୍ୟାଚ୍‍ରୁ ବାସନ୍ଦହେବେ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories