ସମାଜ ସୁଧାରକ

0

ଆଚାର୍ଯ୍ୟ ମହୀଧର ଶିଷ୍ୟ ପରିବେଷ୍ଟିତ ହୋଇ ତୀର୍ଥାଟନରେ ଯାଉଥାନ୍ତି। ପଦଯାତ୍ରାରେ ଯାଉଥିବା ସମୟରେ ଯେଉଁଠି ସନ୍ଧ୍ୟାହୁଏ ସେଇଠାରେ ଅଟକି ଯାଆନ୍ତି। ଯାତ୍ରା ସମୟରେ ଏକଦା ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ସଞ୍ଜ ହୋଇଗଲା। ଆଉ ଆଗକୁ ଯିବା ସମ୍ଭବ ନହେବାରୁ ସେହିଠାରେ ଶିଷ୍ୟମାନଙ୍କ ସହ ଡେରା ପକାଇଲେ। ଗଭୀର ନିଦରେ ଶୋଇଥିବା ବେଳେ ଆଚାର୍ଯ୍ୟ ହଠାତ୍‌ କାହାର କ୍ରନ୍ଦନ ଧ୍ବନି ଶୁଣିବାକୁ ପାଇଥିଲେ। ସେହି କ୍ରନ୍ଦନ ଧ୍ବନି ଥିଲା ଅତି କରୁଣ। ଆଚାର୍ଯ୍ୟ ପ୍ରଥମେ ଏହା ଶୁଣି ଭୟଭୀତ ହୋଇଯାଇଥିଲେ। ହେଲେ କେହି ଜଙ୍ଗଲ ମଧ୍ୟରେ ବିପତ୍ତିରେ ପଡ଼ି କାନ୍ଦୁଛି ଭାବି ସେହିସ୍ବର ଅନୁସରଣ କରି ଯାଇଥିଲେ। ଦେଖିଲେ ଏକ କୂପ ଭିତରୁ ସେହି ଶବ୍ଦ ଆସୁଛି। କୂପ ନିକଟକୁ ଯାଇ ଆଚାର୍ଯ୍ୟ ସେମାନଙ୍କୁ ପ୍ରଶ୍ନ କରିଥିଲେ- ତୁମେ କିଏ, ଏଠାରେ କିପରି ପଡ଼ିଲ। କାନ୍ଦୁଛ ବା କାହିଁକି? ଦୁଃଖ କ’ଣ କହିବ କି?
ଉତ୍ତର ମିଳିଥିଲା- ଏଠି ଜଣେ ନୁହେଁ, ଆମେ ପାଞ୍ଚଜଣ ପତିତ ହୋଇଛୁ। ଆମେ ଆମ କର୍ମଫଳ ଭୋଗ କରୁଛୁ। ସେମାନଙ୍କ ଦୁର୍ଗତିର କାରଣ ପଚାରିବାରୁ ଜଣେ କହିଥିଲେ- ମୁଁ ପୂର୍ବଜନ୍ମରେ ଜଣେ ବ୍ରାହ୍ମଣ ଥିଲି। ଯଜମାନଙ୍କୁ ଠକି ଅଧିକ ଦକ୍ଷିଣା ଆଣି ବିଳାସିତା ଭିତରେ ଜୀବନ ନିର୍ବାହ ସହ କର୍ମୋପାସନାକୁ ଭୁଲିଯାଇଥିଲି। ଦ୍ବିତୀୟଜଣକ କହିଥିଲେ ମୁଁ ଜଣେ କ୍ଷତ୍ରିୟ ଥିଲି। ଅପରକୁ ପୀଡ଼ା ଦେଉଥିଲି। ମଦମାଂସ ଭୋଜନସହ ବେଶ୍ୟାଳୟ ଗମନ ଆଦି ସକଳପ୍ରକାର କୁକାର୍ଯ୍ୟ କରୁଥିଲି। ତୃତୀୟଜଣକ କହିଲେ- ମଁୁ ବୈଶ୍ୟ ଥିଲି, ସର୍ବଦା ବେପାର ବଣିଜରେ ଅନ୍ୟକୁ ଠକୁଥିଲି। କେବେ କାହାରିକୁ ଟଙ୍କାଟିଏ ସୁଦ୍ଧା ଦାନ ଦେଇନଥିଲି। ଅପରକୁ ଠକି ଧନ ବଢ଼ାଇବା ମୋର ଏକମାତ୍ର ଲକ୍ଷ୍ୟ ଥିଲା। ଧନ କମାଇବା ପାଇଁ ମୁଁ ପାପପୁଣ୍ୟ ଭୁଲିଯାଇଥିଲି। ଚତୁର୍ଥଜଣକ କହିଲା- ମୁଁ ଶୂଦ୍ର ଥିଲି। ଅହଂକାରୀ, ଆଳସ୍ୟପରାୟଣ, ଦୁର୍ବିନୀତ, ଉଦ୍ଧତ ଥିଲି। କେବେବି ନିଜର ଦାୟିତ୍ବ ପାଳନ କରୁନଥିଲି। ପଞ୍ଚମ ଜଣକ ନିଜ ମୁହଁ ଲୁଚାଇ ଅହରହ କାନ୍ଦୁଥିଲା। ବଡ଼ ବିଚିତ୍ର ଥିଲା ତା’ର ବ୍ୟବହାର। ସେ ନିଜ ବ୍ୟଥା-ବେଦନା କହିବାକୁ ନାରାଜ ଥିଲା। ଆଚାର୍ଯ୍ୟ ମହୀଧର ବାରମ୍ବାର ପଚାରିବାରୁ କହିଥିଲା ପୂର୍ବଜନ୍ମରେ ଜଣେ ସାହିତ୍ୟିକ ଥିଲି। ଲେଖନୀ ମାଧ୍ୟମରେ ମୁଁ ସମାଜସୁଧାରକ ଲେଖା ପରିବର୍ତ୍ତେ ଅଶ୍ଳୀଳତା, କାମୁକତା, ଅଶୋଭନୀୟ ଲେଖା ଲେଖୁଥିଲି ଶସ୍ତା ଲୋକପ୍ରିୟତା ପାଇବା ଆଶାରେ। ପରିଣାମ ଥିଲା ଏହା ପାଠ କରି ସମାଜରେ ବ୍ୟଭିଚାର ବଢ଼ିଯାଇଥିଲା। ସମାଜ ଭ୍ରଷ୍ଟ ହୋଇଯାଇଥିଲା। ସ୍ବକୃତ ପାପର ଫଳସ୍ବରୂପ ମୋତେ ବ୍ରହ୍ମ ରାକ୍ଷସଭାବରେ ଜନ୍ମ ନେବାକୁ ପଡ଼ିଥିଲା। ସେହି କାରଣରୁ ମୁଁ ଏଭଳି ସ୍ଥିତିରେ ପହଞ୍ଚିଛି। ପାଞ୍ଚଜଣଯାକ ପ୍ରେତ ଆଚାର୍ଯ୍ୟଙ୍କୁ ଅନୁରୋଧ କରିଥିଲେ, ସେମାନଙ୍କ ଦୁର୍ଗତିର କାରଣ ସମ୍ପର୍କରେ ସାଧାରଣରେ ପ୍ରଚାର କରିବାକୁ। ଏହାଦ୍ବାରା ସମସ୍ତେ ସତର୍କ ହେବେ, ସଚେତନ ହୋଇ ଏଭଳି ଭୁଲ କରିବେନି। ଏହା ଜାଣିଲା ପରେ ଯିଏ ଭୁଲ କରିବେ ସେ ଏହାର ପରିଣାମ ଅବଶ୍ୟ ପାଇବେ। ଆଚାର୍ଯ୍ୟ ମହୀଧର ତାଙ୍କର ସମସ୍ତ ଶିଷ୍ୟମାନଙ୍କୁ ଏହି ବୃତ୍ତାନ୍ତ କହିବା ପରେ ସାଧାରଣରେ ଜଣଜଣ କରି ଏହି ତଥ୍ୟ ପ୍ରକାଶ କରିଥିଲେ। ଆଜି ପର୍ଯ୍ୟନ୍ତ ସମାଜ​‌େ​‌ର ସେହି ଧାରା ଚାଲିଆସିଛି। ସାଧୁ, ସନ୍ଥ ମହାମନୀଷୀମାନେ ପଥଭ୍ରଷ୍ଟମାନବକୁ ଉଦ୍ଧାରିବା ନିମନ୍ତେ ସେମାନଙ୍କ ଦିଗ୍‌ଦର୍ଶକ ଭୂମିକା ନିର୍ବାହ କରି ଆସୁଛନ୍ତି।

Leave A Reply