ବର୍ଷା ଓ ଚାଷବାସ
ପାଣିପାଗ ବିଭାଗର ଅନୁମାନ ଅନୁସାରେ ଏସନ ଦେଶସାରା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସନ୍ତୋଷଜନକ ରହି ମୋଟାମୋଟି ଭଲ ବର୍ଷା ହୋଇଛି। ଦେଶର କେତେକ ଭାଗରେ ଅତି ବୃଷ୍ଟି ଓ ଆଉ କେତେକ ଅଞ୍ଚଳରେ ସ୍ବଳ୍ପବୃଷ୍ଟି ହୋଇଛି ଯାହା ଅସ୍ବାଭାବିକ ନୁହେଁ। ସେପ୍ଟେମ୍ବର ପହିଲା ସୁଦ୍ଧା ମୋଟ ବୃଷ୍ଟିପାତ ସ୍ବାଭାବିକଠାରୁ ମାତ୍ର ୬ ଶତାଂଶ କମ୍ ଥିବା ପାଣିପାଗ ବିଭାଗର ହିସାବରୁ ଜଣାପଡ଼ିଛି। ଚତୁର୍ମାସ୍ୟା କାଳରେ ଭାରତରେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୭୨୧.୧ ମିଲିମିଟର ବର୍ଷା ହୋଇଥାଏ ଯାହା ସ୍ବାଭାବିକ ଭାବେ ଗଣ୍ୟହୁଏ। ଏଥର ଏପର୍ଯ୍ୟନ୍ତ ୬୭୬.୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ବିଶେଷତ୍ବ ହେଲା ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହ ବେଳକୁ ଦେଶର ଉତ୍ତର-ପଶ୍ଚିମାଞ୍ଚଳରୁ ବାହୁଡ଼ିବା ଆରମ୍ଭ କରେ। ଏଥର କିନ୍ତୁୁ ସେହି ଲକ୍ଷଣ ଦେଖାଯାଉନାହିଁ। ଏଯାଏ ଏହା ରାଜସ୍ଥାନର ପଶ୍ଚିମାଞ୍ଚଳ ଛୁଇଁନି। ବର୍ଷେବର୍ଷେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସାଧାରଣତଃ ଅକ୍ଟୋବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ସକ୍ରିୟ ରହେ। ଏଥର ଯେଉଁ ଆଭାସ ମିଳୁଛି ମୌସୁମୀ ପ୍ରବାହ ଏମାସ (ସେପ୍ଟେମ୍ବର) ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିପାରେ; କାରଣ ଏଯାଏ ପବନର ଦିଗ ପରିବର୍ତ୍ତନ ହୋଇନାହିଁ କିମ୍ବା ଉତ୍ତର-ପୂର୍ବ ମୌସୁମୀର ସୂଚନା ମିଳିନି।
ପାଣିପାଗ ବିଭାଗର କହିବା କଥା ଯେ ମୌସୁମୀ ପ୍ରତ୍ୟାହାର ବିଳମ୍ବିତ ହେଲେ ଦେଶରେ ବର୍ଷା ପରିମାଣ ବଢ଼ିବ ଓ ଅଧିକ ବୃଷ୍ଟିପାତ ରବିଫସଲ ପାଇଁ ସହାୟକ ହେବ। କଥାଟି ସତ ହେଲେ ମଧ୍ୟ ଚଳିତ ମୌସୁମୀ ପ୍ରକ୍ରିୟା ଯଦି ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ ଲାଗିରହେ ବର୍ଷା, ପରିମାଣ ବଢ଼ିବାସହ କେତେକ ସ୍ଥାନରେ ବିତ୍ପାତ ସୃଷ୍ଟି ହୋଇପାରେ। ଆହୁରି ମଧ୍ୟ ଅକ୍ଟୋବର ବେଳକୁ ଉତ୍ତର-ପୂର୍ବ ମୌସୁମୀ ପ୍ରବାହ ଦେଶର ପୂର୍ବ ଓ ଦକ୍ଷିଣ-ପୂର୍ବ ତଟବର୍ତ୍ତୀ ଅଞ୍ଚଳରେ ଆରମ୍ଭ ହେବ। ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର, ତାମିଲନାଡ଼ୁ ଓ ତତ୍ସଂଲଗ୍ନ ତଟବର୍ତ୍ତୀ ଇଲାକାରେ ପ୍ରବଳବର୍ଷା ଓ ଝଡ଼ତୋଫାନର ସମ୍ଭାବନା ଥାଏ। ଏହି ସମୟରେ ଏସବୁ ରାଜ୍ୟରେ ରବିଫସଲ ବୁଣାବୁଣିର ପ୍ରସ୍ତୁତି ସମୟ। ଅତଏବ ଏହା ପ୍ରଭାବିତ ହୋଇପାରେ। ଆଗକୁ କେଇଦିନ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଓ ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳବର୍ଷା ହେବବୋଲି ପାଣିପାଗ ବିଭାଗ ଅନୁମାନ କରୁଛି। ତେଣୁ ବର୍ଷା ଲାଗି ରହିଲେ ଏସବୁ ଅଞ୍ଚଳରେ ରବିଚାଷ ବିଳମ୍ବିତ ହୋଇପାରେ। ତେଣେ କେରଳରେ ବର୍ଷା ଓ ବନ୍ୟା ବିତ୍ପାତ ସତ୍ତ୍ବେ ଦକ୍ଷିଣ ଭାରତର ୪୦ଭାଗରୁ ଅଧିକ ଜିଲାରେ ବର୍ଷାଭାବ ଏଥର ପରିଲକ୍ଷିତ ହୋଇଛି। ହିସାବ ଅନୁସାରେ ଦେଶର ଚାଷ ଉପଯୋଗୀ ୩୦୯ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବାବେଳେ ୨୪୭ଟିରେ ବର୍ଷା ସ୍ବାଭାବିକଠାରୁ କମ୍ ଅଛି। ସେଥି ମଧ୍ୟରେ ଓଡ଼ିଶାର କେତେକ ପଶ୍ଚିମ-ଆଭ୍ୟନ୍ତରୀଣ ଜିଲା ରହିଛି। ଏହାର ଅର୍ଥ ହେଲା ବର୍ଷା ନିଅଣ୍ଟ ଜିଲାରେ ରବିଚାଷ ପାଇଁ ଜଳସେଚନ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ ଏବଂ ଏହି ସମୟରେ ଜଳଭଣ୍ଡାର ଓ ଅନ୍ୟାନ୍ୟ ଜଳଉତ୍ସର ସ୍ଥିତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବର୍ଷାଭାବ ଅଞ୍ଚଳରେ ଜଳଭଣ୍ଡାରଗୁଡ଼ିକର ସ୍ଥିତି ଭଲ ନଥିବାରୁ ରବିଚାଷ ପାଇଁ ସମସ୍ୟା ସୃଷ୍ଟି ହେବା ପ୍ରାୟ ନିଶ୍ଚିତ। ଏଭଳି ପରିସ୍ଥିତିରେ ରବିଚାଷ ଭଲ ହେବା ସମ୍ଭାବନାକୁ ନେଇ ବିଶେଷ ଆଶାବାଦୀ ହେବାର ସୁଯୋଗ କମ୍। ଜଳ ପରିଚାଳନା, ଏହାର ସୁବିନିଯୋଗ, ନିପାଣିଆ କିମ୍ବା ସ୍ବଳ୍ପ ପାଣି ଲୋଡ଼ୁଥିବା ତୈଳବୀଜ, ଡାଲିଜାତୀୟ ଫସଲ ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷପାଇଁ ଚାଷୀଙ୍କୁ ପରାମର୍ଶ ଦେବାସହ ସରକାର ଏବେଠୁ ଅନ୍ୟାନ୍ୟ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।