ଆନ୍ଦୋଳନରତ କୃଷକଙ୍କ ମୁକାବିଲା ପାଇଁ କଣ ରହିଛି କେନ୍ଦ୍ର ସରକାରଙ୍କ ଯୋଜନା

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ ଗତ ୨୦ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ କ୍ରମଶଃ ତୀବ୍ର ହେବାରେ ଲାଗିିଛି। ଏପରି ପରିସ୍ଥିତିରେ କୃଷକଙ୍କ ମୁକାବିଲା ପାଇଁ ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିବା ଜଣାଯାଇଛି।

  • ସରକାର ଏବେ ଛୋଟ କୃଷକ ସଂଗଠନଗୁଡ଼ିକ ସହ ଆଲୋଚନା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତୋଟିକୁ ନିଜ ସପକ୍ଷକୁ ଆଣିବାରେ ସଫଳ ମଧ୍ୟ ହୋଇଛନ୍ତି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୋମବାର ଏଭଳି ୧୦ଟି ସଂଗଠନ ସହିତ କଥାବାର୍ତ୍ତା ହୋଇଛନ୍ତି।
  •  ସରକାର ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ମଧ୍ୟରେ ବିଭେଦ ସୃଷ୍ଟି ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ଭାରତୀୟ କୃଷକ ୟୁନିୟନ (ବିକେୟୁ) ଗୋଷ୍ଠୀ ସ୍ବତନ୍ତ୍ର ଭାବେ ସରକାରଙ୍କ ସହ ଆଲୋଚନା କରିଛି। ଏହାର ଅନ୍ୟ ଏକ ଗୋଷ୍ଠୀ ‘ଭାନୁ’ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିବା ପରେ ଦିଲ୍ଲୀ-ନଏଡ଼ା ରାସ୍ତାରୁ ଧାରଣା ହଟାଇ ନେଇଛନ୍ତି।
  •  ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀମାନେ ଆନ୍ଦୋଳନରତ କୃଷକଙ୍କୁ ଖଲିସ୍ତାନୀ, ନକ୍ସଲ ତଥା ମାଓବାଦୀ ଏବଂ ତୁକ୍‌ଡ଼େ ତୁକ୍‌ଡ଼େ ଗ୍ୟାଙ୍ଗ ବୋଲି ଆକ୍ଷେପ କରୁଛନ୍ତି। କିଛି ନେତା ସେମାନଙ୍କୁ ଦେଶଦ୍ରୋହୀ ବୋଲି ମଧ୍ୟ କହିଛନ୍ତି। ସେମାନଙ୍କୁ ବିଚ୍ଛିନ୍ନତାବାଦୀ ଦର୍ଶାଇ ଆବଶ୍ୟକ ହେଲେ ଦମନ କରିବା ଯୋଜନାରେ ଅଛନ୍ତି ସରକାର। ଏହାର ଫଳ ସ୍ବରୂପ ଉଗ୍ରହନ୍‌ ଗୋଷ୍ଠୀ ଭଳି ଗୋଟିଏ ଅଧେ ସଂଗଠନ ଆନ୍ଦୋଳନରୁ ମୁହଁ ଫେରାଇବା ଆରମ୍ଭ କଲେଣି। ଏହି ସଂଗଠନ ସୋମବାରର ଅନଶନରେ ସାମିଲ ହୋଇ ନାହିଁ।
  •  କୃଷିମନ୍ତ୍ରୀ ବାରମ୍ବାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହୁଛନ୍ତି। ଏହା ଦ୍ବାରା ସରକାର ଆନ୍ଦୌ ଜିଦ୍‌ରେ ଅଟଳ ନାହାନ୍ତି ବା ଅହଂକାରୀ ନୁହନ୍ତି ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଚାହାନ୍ତି ବୋଲି ଦର୍ଶାଉଛନ୍ତି। ଆଇନରେ ସଂଶୋଧନ ପାଇଁ ସମ୍ମତି ପ୍ରକାଶ କରି ସରକାର ସକାରାତ୍ମକ ଅଭିମୁଖ୍ୟ ପୋଷଣ କରୁଛନ୍ତି; ଯଦିଓ ଆଇନ ପ୍ରତ୍ୟାହାର ପାଇଁ ରାଜି ନାହାନ୍ତି।
  •  ସରକାର ଏହି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇବା ପ୍ରୟାସ ଚଳାଇଛନ୍ତି। ବିରୋଧୀ ଦଳ; ବିଶେଷକରି କଂଗ୍ରେସ ପୂର୍ବରୁ କୃଷି ସଂସ୍କାର କଥା କହୁଥିଲେ ମଧ୍ୟ ଏବେ ଆଇନକୁ ବିରୋଧ କରୁଛି ଓ ଆନ୍ଦୋଳନକୁ ରାଜନୈତିକ ରୂପ ଦେବାକୁ ଉଦ୍ୟମ ଚଳାଇଛି। କୃଷକମା​‌େ​‌ନ ସେମାନଙ୍କ ହାତବାରିଶି ସାଜିଥିବା ସରକାର ଦର୍ଶାଉଛନ୍ତି। ନିଜେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକମାନେ ବିରୋଧୀ ଦଳଙ୍କ ଦ୍ବାରା ବିଭ୍ରାନ୍ତ।
  •  ବିଜେପି ପକ୍ଷରୁ ଦେଶର ୭୦୦ ଜିଲାରେ ଆଇନ ସପକ୍ଷରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ପ୍ରତି ଜିଲାରେ ସଭା-ଶୋଭାଯାତ୍ରା ସହ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଉଛି। ଆନ୍ଦୋଳନ ଯେମିତି ଅଧିକ ନ ବ୍ୟାପେ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
  •  ହରିୟାଣାର ବିଜେପି ସାଂସଦ ଓ ବିଧାୟକମାନେ କୃଷକଙ୍କ ପାଇଁ ହିତକାରୀ ସତଲେଜ-ଯମୁନା ନଦୀ ଜଳ ସମସ୍ୟା ଭଳି କିଛି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ଏହା ଦ୍ବାରା ପଞ୍ଜାବ ଚାଷୀଙ୍କ ପ୍ରତି ହରିୟାଣା ଚାଷୀଙ୍କ ସମର୍ଥନ ହ୍ରାସ ପାଇଁ ପ୍ରୟାସ ହେଉଛି।
  •  ହରିୟାଣା ସରକାର କୃଷକ ଆନ୍ଦୋଳନରୁ ଧ୍ୟାନ ହଟାଇବା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ଘୋଷଣା କରିବା ଯୋଜନା ଚଳାଇଛନ୍ତି। ଏଥିସହିତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅନ୍ୟ ରାଜ୍ୟରେ କିଛି ରାଜନୈତିକ ବିବାଦ ସୃଷ୍ଟି ମାଧ୍ୟମରେ କୃଷକ ଆନ୍ଦୋଳନରୁ ଗଣମାଧ୍ୟମର ଧ୍ୟାନ ହଟାଇବା ପ୍ରୟାସ ଜାରି ରହିଛି। ପଶ୍ଚିମବଙ୍ଗରେ ବିଜେପି ସଭାପତିଙ୍କ ଗାଡ଼ି ଉପରେ ଆକ୍ରମଣ ଏହାର ଅଂଶବିଶେ​ଷ‌ ବୋଲି ଚର୍ଚ୍ଚା ହେଉଛି।
  •  ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କୃଷକଙ୍କ ସମ୍ଭାବ୍ୟ ଆନ୍ଦୋଳନକୁ ଟାଳିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। କୃଷକଙ୍କ ପ୍ରତିକ୍ରିୟାକୁ ଯେମିତି ନିରୁତ୍ସାହିତ କରାଯିବ ସେଥିପାଇଁ ଉଦ୍ୟମ କରିବାକୁ କୁହାଯାଇଛି। ବସ୍ତୁତଃ କୃଷକ ଆନ୍ଦୋଳନ ଯେତେ ଦୀର୍ଘ ହେବ, ଏହାକୁ ବିଫଳ କରିବା ସରକାରଙ୍କ ପାଇଁ ସେତେ ସହଜ ହେବ ବୋଲି ବିଚାର କରାଯାଉଛି।

Comments are closed.