mission shakti banner

ଅଜେୟା-ଅପରାଜିତା

BSKY banner  750×100
0

ଆବହମାନ କାଳରୁ ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଆସୁଥିବା ନାରୀ ପ୍ରମାଣିତ କରିଛି- ସେ ଅବଳା, ଦୁର୍ବଳା ନୁହେଁ। ନାରୀ ଏକ ଅଗ୍ନିସ୍ଫୁଲିଙ୍ଗ, ନାରୀ ଶକ୍ତି ଏକ ପ୍ରଚଣ୍ଡ ଶକ୍ତି। କେବଳ ଭାରତ ନୁହେଁ, ଅକ୍ସଫୋର୍ଡ ଡିକ୍ସନାରୀ ୨୦୧୮ ବର୍ଷର ଶବ୍ଦ ଭାବେ ‘ନାରୀଶକ୍ତି’କୁ ଗ୍ରହଣ କରିଛି। ସୃଷ୍ଟିଠାରୁ ସଂହାର ଯାଏ ନାରୀର ଭୂମିକା ଅନସ୍ବୀକାର୍ଯ୍ୟ। ନାରୀର ମହନୀୟତା ପ୍ରତିପାଦନ ପାଇଁ ଅନ୍ତର୍ଜାତୀୟ ମହିଳା ଦିବସର ପରିକଳ୍ପନା କରାଯାଇଥିବା ବେଳେ ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ବାଲାନ୍ସ ଫର୍‌ ବେଟର’ (ଉନ୍ନତ ପାଇଁ ସନ୍ତୁଳନ)। ଏହି କ୍ରମରେ ଉନ୍ନତି ପଥରେ ଆଗେଇ ବର୍ଷ ଆରମ୍ଭରୁ ଦେଶ ତଥା ରାଜ୍ୟକୁ ଗୌରବାନ୍ବିତ କରିଥିବା କେତେଜଣ ଓଡ଼ିଆ ଝିଅଙ୍କ ସମ୍ପର୍କରେ-

ସ୍ନେହା ପଡ଼ାଲା: ଇଣ୍ଡିଆ ଫେଶନ୍‌ ଫିଏସ୍ତା (ଆଇଏଫ୍‌ଏଫ୍‌) ଦ୍ବାରା ଆୟୋଜିତ ୱଗିସ୍‌ ମିସେସ୍‌ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାରେ ସର୍ବୋତ୍ତମ ଚାଲି (ବେଷ୍ଟ ୱାକ୍‌) ଶ୍ରେଣୀରେ ବିଜୟିନୀ ହୋଇଛନ୍ତି ଓଡ଼ିଆ ଝିଅ ସ୍ନେହା ପଡାଲା। ସୁନାବେଡାର ହାଲ୍‌ ଟାଉନ୍‌ସିପ୍‌ ବାସିନ୍ଦା ସେ। ପିତା ସହଦେବ ପଡାଲା ବ୍ୟବସାୟୀ ହୋଇଥିବା ବେଳେ ମା’ ଈଶ୍ବରୀ ପୋଷାକ ତିଆରିରେ ନିପୁଣା। ତାଙ୍କର ହାଲ୍‌ ଟାଉନ୍‌ସିପ୍‌ରେ ଏକ ରେଡିମେଡ୍‌ ପୋଷାକ ଷ୍ଟୋର ରହିଛି। ପିଲାଦିନୁ ଫେଶନ୍‌ ଡିଜାଇନିଂ ପ୍ରତି ସ୍ନେହାଙ୍କର ଆକର୍ଷଣ ରହିଥିଲା। ତେଣୁ ଗ୍ଲାମର ଦୁନିଆରେ ପାଦ ଦେବା ସହିତ ଓଡ଼ିଆ ଚଳଚ୍ଚିତ୍ର ‘୨୦୧୪ ଫିଅର ଅଫ୍‌ ଦି ଇୟର’ରେ ସେ ପୋଷାକସଜ୍ଜା କରିଥିଲେ। ଏହି ଚଳଚ୍ଚିତ୍ରଟି ପରେ ତେଲଗୁ ଭାଷାରେ ‘ପ୍ରମଧମ ଚାବୁ ୧୦୦%’ ନାମରେ ଭାଷାନ୍ତରିତ ହୋଇଥିଲା।

ପ୍ରଭାତୀ ଝୋଡ଼ିଆ: ରାୟଗଡା ଜିଲା କାଶିପୁର ଅନ୍ତର୍ଗତ ପହଣ୍ଡି ଗ୍ରାମର ଝିଅ ପ୍ରଭାତୀ ଝୋଡିଆ ସମ୍ପ୍ରଦାୟର ପ୍ରଥମ ମହିଳା ଓଏଏସ୍‌ ଅଫିସର। ଝୋଡିଆ ପରଜା ସମ୍ପ୍ରଦାୟର ଝିଅମାନେ ଖୁବ୍‌ କମ୍‌ ବୟସରୁ ବାହା କରିଦିଆଯାଉଥିବାରୁ ସେମାନଙ୍କର ଉଚ୍ଚଶିକ୍ଷା ଲାଭର ସୁଯୋଗ ନଥାଏ। ପ୍ରଭାତୀ ନିଜ ନିଷ୍ଠାରେ ଅଟଳ ରହି ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ସହ ନିଜ ସମ୍ପ୍ରଦାୟରେ ପ୍ରଥମ ମହିଳା ଗଣିତ ଅଧ୍ୟାପିକା ହୋଇପାରିଲେ। ତେବେ ପ୍ରଶାସନିକ ଅଧିକାରୀ ହେବା ତାଙ୍କର ସ୍ବପ୍ନ ଥିଲା, ଯାହା ପୂରଣ ହୋଇଛି। କୋରାପୁଟ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରିବା ସହ ସେ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଛନ୍ତି। ଯେତେ ପଛୁଆ ଅଞ୍ଚଳର ବାସିନ୍ଦା ହେଲେ ମଧ୍ୟ ଦୃଢ ଇଚ୍ଛାଶକ୍ତି ସାଙ୍ଗକୁ ଉପଯୁକ୍ତ ଦିଶାନିର୍ଦେଶ ମିଳିପାରିଲେ ସଫଳତା ବେଶୀ ଦୂର ନୁହେଁ ବୋଲି କହନ୍ତି ପ୍ରଭାତୀ।

ନୀଳିମା ମିଶ୍ର: ପରିବେଶ ସୁରକ୍ଷା ଲାଗି ୨୦୪୧ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏକ ଅଭିଯାନ ‘କ୍ଲାଇମେଟ୍‌ ଫୋର୍ସ ଆର୍କଟିକ୍‌ ଏକ୍ସପେଡିସନ୍‌’ରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ନୀଳିମା। ସାରା ବିଶ୍ବରୁ ୮୦ଜଣଙ୍କୁ ଏଥିରେ ମନୋନୀତ କରାଯାଇଥିବା ବେଳେ ଭାରତରୁ ଏକମାତ୍ର ସଦସ୍ୟ ଭାବେ ନୀଳିମା ସ୍ଥାନ ପାଇଛନ୍ତି। ଆସନ୍ତା ଜୁନ୍‌ ମାସରେ ଏହି ଅଭିଯାନ ଆରମ୍ଭ ହେବ। ଏଥିରେ ସେମାନେ ପାଣିପାଗ ପରିବର୍ତ୍ତନ, ନବୀକରଣ ଯୋଗ୍ୟ ଶକ୍ତିର କ୍ଷମତା ଆଦି ମଣିଷର ବର୍ତ୍ତମାନ ଏବଂ ଭବିଷ୍ୟତକୁ କିପରି ପ୍ରଭାବିତ କରୁଛି- ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିଚାଲିବେ। ସବୁବେଳେ ଆଣ୍ଟାର୍କଟିକା ସମ୍ପର୍କରେ ଶୁଣି ଆସିଥିବା ନୀଳିମା ଏହି ଯାତ୍ରାରେ ସାମିଲ ହେବାକୁ ନିଜର ସୌଭାଗ୍ୟ ମନେକରନ୍ତି।

ଜୟନ୍ତୀ ଏକ୍କା: ସୁନ୍ଦରଗଡ ଜିଲାର ଏହି ଆଦିବାସୀ ମହିଳାଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ୨୦ମିନିଟ୍‌ କାଳ ଶୁଣିବା କିଛି କମ୍‌ କଥା ନୁହେଁ। ଜୟନ୍ତୀଙ୍କ ଜୀବନଯାତ୍ରା ମଧ୍ୟ ଉତ୍‌ଥାନ-ପତନର ଅଧ୍ୟାୟରେ ଭରପୂର। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜୟନ୍ତୀ କଲ୍ୟାଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଅଧ୍ୟକ୍ଷା। ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସେ କାହିଁକି ବିଭିନ୍ନ ଯୋଜନାରେ ଏତେ ପରିଶ୍ରମ କରୁଛନ୍ତି ବୋଲି ପ୍ରଶ୍ନର ସୁନ୍ଦର ଉତ୍ତର ଦେଇ ଜୟନ୍ତୀ କହନ୍ତି- କର୍ମ ହିଁ ଜୀବନ। ବିନା କର୍ମରେ ମଣିଷର ଉନ୍ନତି ନାହିଁ। ଏବେ ଉଡାଜାହାଜରେ ବସିବା ତାଙ୍କର ସ୍ବପ୍ନ ବୋଲି ଜୟନ୍ତୀ କହିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ କର୍ମମୟ ଜୀବନ, ନିଷ୍ଠା ଏବଂ ବାକ୍‌ପଟୁତା ଦେଖି ଖୁବ୍‌ ଶୀଘ୍ର ତାଙ୍କର ଏହି ସ୍ବପ୍ନ ସାକାର ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସନ୍ଧ୍ୟା ସମର୍ଥ: ମାଓ ଅଧ୍ୟୁଷିତ ମାଲକାନଗିରି ଜିଲାର ମାଥିଲି ବ୍ଲକ୍‌ ଅନ୍ତର୍ଗତ ସାଲିମି ଗ୍ରାମର ଝିଅ ସନ୍ଧ୍ୟା କଟକ ଏବଂ ଭୁବନେଶ୍ବରର ଖ୍ୟାତନାମା ଶିକ୍ଷାନୁଷ୍ଠାନ ରେଭେନ୍‌ସା ବିଶ୍ବବିଦ୍ୟାଳୟ ଓ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଗ୍ରହଣ କରିବା ଆଦୌ ସହଜ ନଥିଲା। ତେବେ ଏହାକୁ ସମ୍ଭବ କରିବା ସହ ଓଏଏସ୍‌ ପରୀକ୍ଷାରେ କୃତିତ୍ବ ହାସଲ କରିଛନ୍ତି ସେ। ମାଲକାନଗିରିର ଜବାହର ନବୋଦୟ ବିଦ୍ୟାଳୟରୁ ଶିକ୍ଷାଲାଭ ପରେ ବିଜେବିରୁ ସ୍ନାତକ ଏବଂ ରେଭେନ୍‌ସା ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର କରିଛନ୍ତି ସନ୍ଧ୍ୟା। ଓଏଏସ୍‌ ପରୀକ୍ଷାରେ ସେ ୯୧ତମ ସ୍ଥାନ ଅଧିକାର କରିବା ପରେ ପିତାମାତାଙ୍କ ସମେତ ସାଲିମି ଗ୍ରାମବାସୀ ଖୁବ୍‌ ଆନନ୍ଦ ଉଲ୍ଲାସରେ ସଫଳତାର ପର୍ବ ପାଳନ କରିଥିଲେ।

କ୍ରୀଡାରେ ମଧ୍ୟ ଆଗୁଆ ଅଛନ୍ତି ଓଡ଼ିଆ ଝିଅ। ଭାରତୀୟ ମହିଳା ହକି ଜାତୀୟ ଶିବିରକୁ ୫ଜଣ ଓଡ଼ିଆ ଝିଅ ମନୋନୀତ ହୋଇଥିଲେ। ସେମାନେ ହେଲେ- ଦୀପ୍‌ ଗ୍ରେସ୍‌ ଏକ୍କା, ସୁନିତା ଲାକ୍ରା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଏବଂ ଅନୁପା ବାର୍ଲା। ଜାନୁଆରୀ ୪ରୁ ଭାରତୀୟ କ୍ରୀଡା ପ୍ରାଧିକରଣ, ବେଙ୍ଗାଲୁରୁ ପରିସରରେ ଏହି ଶିବିର ଆରମ୍ଭ ହୋଇଥିଲା। ଇଣ୍ଡିଆନ୍‌ ଗ୍ରାଁ ପ୍ରିକ୍ସରେ ଦୂତି ଚାନ୍ଦଙ୍କୁ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଫେବୃଆରୀ ୨୪ରୁ ୨୭ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଆୟୋଜିତ ହୋଇଥିବା ଜାତୀୟ ମାଷ୍ଟର୍ସ ଦୌଡକୁଦ ପ୍ରତିଯୋଗିତାରେ ଓଡ଼ିଆ ଆଥଲେଟ ପାର୍ବତୀ ସେଠୀ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ବିଜୟିନୀ ହୋଇଥିଲେ। ରୁଷ୍‌ର ମସ୍କୋଠାରେ ଆୟୋଜିତ ମସ୍କୋ ଉଷୁ ଷ୍ଟାର୍ସ ଚମ୍ପିଆନସିପ୍‌ରେ କେନ୍ଦୁଝର ଜିଲା ଯୋଡା ବ୍ଲକ୍‌ର ଦେଓଟର ପଞ୍ଚାୟତ ଅନ୍ତର୍ଗତ ସିଆଳିଯୋଡ଼ା ଗ୍ରାମର ଝିଅ ମଞ୍ଜୁ ମୁଣ୍ଡା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭାରତରୁ ପ୍ରତିନିଧିତ୍ବ କରିଥିବା ୨୮ଜଣଙ୍କ ମଧ୍ୟରେ ମଞ୍ଜୁ ଥିଲେ ଏକମାତ୍ର ଓଡ଼ିଆ।

Leave A Reply