ତୋ ବେଳକାଳ ଆସୁଛି

‘ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି
ମଝି ବରଡ଼ା ଥାଇ କହୁଛି, ତୋ ବେଳକାଳ ଆସୁଛି।’
ବୁଝାଇ କହିଲେ, ବୃଦ୍ଧ ପିତାମାତା (ତଳ ବରଡ଼ା), ତାଙ୍କ ତ୍ୟାଗ, ସଂଘର୍ଷରେ ଆଗାମୀ ପିଢ଼ିକୁ ଗଢି ସମୟ ହେଲେ ଶୁଖିଲା ପତ୍ର ପରି ଝଡି ପଡନ୍ତି। ସେତେବେଳେ ଏହି ସବୁ ଗତିବିଧିକୁ ଯୁବପିଢ଼ି ( ଉପର ବରଡ଼ା ) ଅନୁଭବ ନ କରିପାରି ଏକ ସହଜ ଜୀବନ ବଞ୍ଚୁଥାଏଟ୍ଟ କିନ୍ତୁ ଏହି ଦୁଇ ପିଢ଼ି ଭିତରେ ଥିବା ମଝି ପିଢ଼ି ( ମଝି ବରଡ଼ା ) ଉଭୟ ବୃଦ୍ଧ ପିତାମାତା ଏବଂ ନିଜ ସନ୍ତାନମାନଙ୍କ ମଧ୍ୟରେ ଏକ ପାହାଚ ଭଳି ରହି ସବୁ ଦେଖିବାରେ ସକ୍ଷମ ଥାଏ। ସେ ଜାଣିଥାଏ ଯେ ତା’ର ବି ଦିନେ ବାର୍ଦ୍ଧକ୍ୟ ଅବସ୍ଥା ଉପନୀତ ହେବ। ତେଣୁ ସେ ତରୁଣ ପିଢ଼ିକୁ ସାବଧାନ କରି କହୁଛି, ‘ରେ ଉପର ବରଡ଼ା, ତୁ ସାବଧାନ ରହ, କାରଣ ତୁ ବି ଦିନେ ଏହି ସ୍ତରକୁ ଆସିବାକୁ ବାଧ୍ୟ ହେବୁ।’
ଉପରୋକ୍ତ ଅନୁଚ୍ଛେଦ ପଢିବା ପରେ ବାପାମାଆଙ୍କ ପ୍ରତି ଅନ୍ୟାୟ କରିଥିବା ପ୍ରତ୍ୟେକ ପୁଅଝିଅ ସତର୍କ ହୋଇଯିବା ଉଚିତ ଯେ, ଏବେ ସେମାନେ ନିଜ ବୃଦ୍ଧ ପିତାମାତାଙ୍କ ସହିତ ଯେଉଁଭଳି ବ୍ୟବହାର କରୁଛନ୍ତି, ପରିଣତ ବୟସରେ ନିଜ ପିଲାମାନଙ୍କ ଠାରୁ ମଧ୍ୟ ସେହି ବ୍ୟବହାର ପାଇବା ସୁନିଶ୍ଚିତ। କଥାଟି ଦେହକୁ ଲାଗିଲେ ବି ନିରାଟ ସତ ପାଠକଗଣ, କାରଣ କଥାରେ ଅଛି, ‘ଯେମିତି ବୁଣିବ, ସେମିତି ଦାଇବ।”
ମାତାପିତାଙ୍କୁ ଅବହେଳା କରିବା, ବୋଝ ମଣି ତାଙ୍କୁ ଅସମ୍ମାନ କରିବା, ଅଦରକାରୀ ଭାବି ଘରୁ ବାହାର କରିଦେବା କିମ୍ବା ବୃଦ୍ଧାଶ୍ରମ ଯିବାକୁ ବାଧ୍ୟ କରିବା ଭଳି ଘୃଣ୍ୟ ମାନସିକତା ରଖୁଥିବା ସନ୍ତାନମାନେ ଆଗକୁ ଯାଇ ଏହାର ପରିଣାମ ସ୍ୱରୂପ ନିଶ୍ଚୟ ଏହିଭଳି କିଛି ନିଜ ପିଲାମାନଙ୍କ ଠାରୁ ଯେ ନ ଭୋଗିବେ ତାହା କହିହେବ ନାହିଁ ।
ଆଜିକାଲି ବୃଦ୍ଧ ପିତାମାତାଙ୍କୁ ଦୁର୍ବ୍ୟବହାର କରୁଥିବା କିମ୍ବା ଘରେ ରଖି ତାଙ୍କ ଦାୟିତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ସନ୍ତାନ ସନ୍ତତି ମାନେ ବିଚାରଶୂନ୍ୟ ଏବଂ ବିବେକହୀନ ହୋଇଯାଇଛନ୍ତି। ସେମାନଙ୍କ ଧରାପୃଷ୍ଠକୁ ଆସିବାର କାରଣ, ତାଙ୍କର ଅସ୍ତିତ୍ୱକୁ ରୂପ ଦେଇଥିବା ପିତାମାତା, ଯାହାଙ୍କ ଯୋଗୁଁଁ ଆଜି ସେମାନେ ତିଷ୍ଠିଛନ୍ତି ସେମାନଙ୍କୁ ଘରୁ ବାହାର କରିଦେବା, ବୋଝ ଭାବିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ନିଜ ଶ୍ରମ, ଅର୍ଥ, ସମୟ ଦେଇ ସନ୍ତାନକୁ ପାଳନ ପୋଷଣ କରୁଥିବା ପିତାମାତା, ପୁଅ ଯୋଗ୍ୟ ଏବଂ ସକ୍ଷମ ହେଲାମାତ୍ରେ ଅଖୋଜା, ଅଲୋଡ଼ା ହୋଇଯାଉଛନ୍ତି ! ଏହି ବିଚାରଧାରା, ଏହି ହୀନ ମାନସିକତାର ଆରମ୍ଭ କେଉଁଠାରୁ ଖୋଜିବାକୁ ହେବ। ସତ୍ୟତା ଏହା ଯେ, ଏଭଳି ମନୋଭାବର ମୂଳଦୁଆ ସର୍ବପ୍ରଥମେ ପିଲାଟିଏର ନିଜ ପରିବାର ଭିତରେ ହିଁ ପଡ଼ିଥାଏ।
ପିଲାମାନେ ସାଧାରଣତଃ ଘରେ ନିଜଠାରୁ ବଡ଼ ବ୍ୟକ୍ତି ଯେପରି କି ନିଜ ମାତା, ପିତା, କକା, ଖୁଡୀ, ଜେଜେ, ଜେଜେମାଙ୍କ ସଂସ୍ପର୍ଶରେ ସବୁଠାରୁ ବେଶୀ ସମୟ ରହନ୍ତି ଏବଂ ଅଦୃଶ୍ୟରେ ସେମାନଙ୍କୁ ଅନୁସରଣ କରନ୍ତି। ସେମାନଙ୍କ ବ୍ୟବହାର, କଥନଶୈଳୀ, ଭାବନା ଯେମିତି ଆଖି ଆଗରେ ଘଟିଯାଏ, ତାହାକୁ ହିଁ ସେମାନେ ଠିକ ଭାବି ନିଅନ୍ତି। ଉଦାହରଣ ସ୍ୱରୂପ ଯଦି ସେମାନେ କଳି, ଝଗଡ଼ା, ହିଂସା, ଘୃଣା, ସ୍ୱାର୍ଥପରତା, ଚୋରି, ମିଛ ଦେଖିବେ ସେହିସବୁ ଗୁଣ ତାଙ୍କ ବ୍ୟକ୍ତିତ୍ୱରେ ଦେଖାଯିବ। ଅପରପକ୍ଷେ ସେମାନେ ଯଦି ଦୟା, କ୍ଷମା, ପ୍ରେମ, ମିତ୍ରତା, ଏକତା ଭାବରେ ବନ୍ଧା ପରିବାର ସଦସ୍ୟଙ୍କୁ ଦେଖିବେ, ସେହିଭଳି ଗୁଣସବୁ ତାଙ୍କ ଭିତରେ ବିକଶିତ ହେବ। ଜନ୍ମ ହେବା ପରଠାରୁ ପିଲାଟିର ପରିବେଶ, ସେ କିପରି ଲୋକଙ୍କ ସାନ୍ନିଧ୍ୟରେ ରହୁଛି, ପରିବାର ସଦସ୍ୟଙ୍କ ପରସ୍ପର ପ୍ରତି ବ୍ୟବହାରରୁ ଶିକ୍ଷା ନିଏ ଏବଂ କ୍ରମେ ସେମିତି ହିଁ କରେ। ଏଣୁ ଅଭିଭାବକମାନେ ନିଜେ ଭୁଲ କାମ କରି ପିଲାମାନଙ୍କ ଠାରୁ ଭଲ ଗୁଣସବୁ ଆଶା କରିବା ଅତ୍ୟନ୍ତ ହାସ୍ୟାସ୍ପଦ।
ମାତାପିତା ଏବଂ ଗୁରୁଜନ ହୃଦୟଙ୍ଗମ କରିବା ଦରକାର ଯେ, ସେମାନେ କହିଥିବା ପ୍ରତିଟି ଶବ୍ଦ, ପ୍ରତିଟି କାର୍ୟ୍ୟ ଭୁଲ ହେଉ ଅବା ଠିକ୍, ତା’ର ପ୍ରତ୍ୟକ୍ଷ ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି। ଭିନ୍ନ ଭିନ୍ନ ଜାତି, ଧର୍ମ, ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି, ଜୀବନଶୈଳୀକୁ ନେଇ ସମାଜରେ ଦେଖାଦେଇଥିବା ବିଭିନ୍ନତା ଦ୍ୱାରା ସୃଷ୍ଟି ହେଉଥିବା ପିଲାଙ୍କ ବ୍ୟବହାର, ଶଣ୍ଠଣା, ଚାରିତ୍ରିକ ଗୁଣାବଳୀକୁ ପ୍ରତିଫଳନ କରେ। ପିଲାମାନେ ସେସବୁକୁ ଶିଖିବାକୁ ଏକ ପ୍ରକାର ବାଧ୍ୟ ବୋଲି କହିଲେ ଭୁଲ୍ ହେବନାହିଁ। ସୁତରାଂ ବଡ଼ମାନଙ୍କ ‘କରିବା’ ଓ ‘କହିବା’ ଭିତରେ ଫରକ୍ ଆସିଲେ ତାହା ପିଲାମାନଙ୍କ ଦ୍ୱାରା ଗ୍ରହଣୀୟ ହୁଏ ନାହିଁ।
ପିଲାଙ୍କ ଭିତରେ ଭଲଗୁଣ ବିକଶିତ କରିବା ପାଇଁ ପିତାମାତା ନିଜେ ପ୍ରଥମେ ସଦ୍ବ୍ୟବହାର କରିବା ସହ ସେମାନଙ୍କୁ ଅଭିଜ୍ଞ ବୟସ୍କ ବ୍ୟକ୍ତିଙ୍କ ସହିତ ସମୟ ବିତେଇବାର ସୁଯୋଗ ଦେବା ଆବଶ୍ୟକ। ଯଦ୍ଦ୍ବାରା ସେମାନେ ତାଙ୍କଠାରୁ ଭଲକଥା ଶିଖିବାର ସୁଯୋଗ ପାଇବେ। ସେମାନଙ୍କ ବିଚାରଧାରା, ମାନବିକ ମୂଲ୍ୟବୋଧରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପରିଣାମ ନିଜ ପରିବାର, ଗୁରୁଜନ, ପାଖପଡୋଶୀ ଏବଂ ଶେଷରେ ସମଗ୍ର ମଣିଷ ସମାଜ ପ୍ରତି ପିଲାମାନଙ୍କର ସମ୍ମାନ ଏବଂ ଆଦର କେଇ ଗୁଣା ବୃଦ୍ଧି ପାଇବ। ପିଲାଙ୍କ ଅନ୍ତରରେ ଶୁଦ୍ଧ ଏବଂ ସୁସ୍ଥ ଭାବନା ରହିଲେ ସେମାନେ କେବେହେଲେ ପରିବାର ସଦସ୍ୟ, ଆତ୍ମୀୟ କିମ୍ବା ଯେ କୌଣସି ବର୍ଗର ଲୋକଙ୍କୁ ଅସମ୍ମାନ କିମ୍ବା ଅସଦାଚରଣ କରିବେ ନାହିଁ। ଆମର କୋମଳମତି ପିଲାମାନେ ଏବଂ ଆମ ଯୁବପିଢ଼ି ଭବିଷ୍ୟତରେ ନିଜ ପରିବାର ସଦସ୍ୟଙ୍କୁ ବୋଝ ନ ଭାବି ନିଜର ସାମର୍ଥ୍ୟ ମଣିବେ।
ଏବେ ଖବରକାଗଜ ଏବଂ ଟିଭି ଚାନେଲ ଗୁଡିକରେ ପିତାମାତା ଅବହେଳିତ ହୋଇ ଘରୁ ବାହାରେ ବ୍ରିଜ ତଳେ କିମ୍ବା ଫୁଟପାଥରେ ଦିନ ବିତେଇବା ଖବର ଓ ଦୃଶ୍ୟ ହୃଦୟ ବିଦାରକ। ନିଜେ ତୀର୍ଥଯାତ୍ରାରେ ଯିବେ ବୋଲି ବୃଦ୍ଧ ପିତାମାତାଙ୍କୁ ଘରେ ବନ୍ଦ କରି ବାହାରୁ ତାଲା ପକେଇ ଯିବାର ଘଟଣା ବି ଅତ୍ୟନ୍ତ ଲଜ୍ଜାଜନକ। କଣ ମୂଲ୍ୟ ସେ ତୀର୍ଥଯାତ୍ରା କରି ଭଗବାନଙ୍କୁ ପୂଜିବାର ଯେବେ ଗୃହର ଚଳନ୍ତି ଭଗବାନମାନେ ବନ୍ଦ ଘରେ ଏକୁଟିଆ ଅଖିଆ, ଅପିଆ, ସେବାନିବୃତ୍ତ ରହି କଷ୍ଟ ପାଉଥିବେ ଏବଂ ସନ୍ତାନମାନେ ପୁଣ୍ୟ ଲାଭ କରିଛୁ ବୋଲି ଖୁସି ହେଉଥିବେ। ପିତାମାତାଙ୍କର କଷ୍ଟାର୍ଜିତ ସମ୍ପତ୍ତିକୁ ଭୋଗ କଲାପରେ ତାଙ୍କୁ ତାଙ୍କରି ସମ୍ପତ୍ତିରୁ ବେଦଖଲ କରି, ସେମାନଙ୍କୁ ବୃଦ୍ଧାଶ୍ରମ ପଠେଇ ନିଜେ ସେଥିରେ ଆରାମରେ ଚଳିବା ଜଣେ କୃତଘ୍ନ ହିଁ କରିପାରେ। ତଥାପି ସେ ବାପାମାଆ ନିଜର ଅଯୋଗ୍ୟ ସନ୍ତାନମାନଙ୍କୁ ଅଭିଶାପ ଦେଉ ନ ଥିବେ କିମ୍ବା ଖରାପ ବ୍ୟବହାର କରୁ ନ ଥିବେ। ଏବେ ବି ସେମାନେ ହୃଦୟରୁ ପିଲାଙ୍କ ଶୁଭ ମନାସୁ ଥିବେ। ତାଙ୍କ ମନର କେଉଁ କୋଣରେ ଗୋଟିଏ ଆଶା ଥିବ ଯେ ତାଙ୍କ ପିଲାମାନେ ତାଙ୍କୁ ଦିନେ ଆସି ଘରକୁ ଫେରେଇନେବେ।
ବୃଦ୍ଧାଶ୍ରମରେ ମୃତ୍ୟୁକୁ ଅପେକ୍ଷା କରି ଦିନ ଗଣୁଥିବା ବାପା ମାଆ କଣ ଏହି ଦିନ ପାଇଁ ତାଙ୍କ ସନ୍ତାନମାନଙ୍କୁ ଯୋଗ୍ୟ କରିଥିଲେ ? ନିଜ ରକ୍ତକୁ ପାଣି କରି ପିଲାର ଭବିଷ୍ୟତ ପାଇଁ ସଂଚୟ ଓ ଯୋଜନା କରି ତାକୁ ପ୍ରତିଷ୍ଠିତ କରିଥିବା ବାପାମାଆ, ପରିଣତ ବୟସରେ ଖାଇବା ପାଇଁ ମୁଠେ ଏବଂ ରହିବା ପାଇଁ ଉପଯୁକ୍ତ ଖଣ୍ଡେ ସ୍ଥାନ ବି ତାଙ୍କ ସୌଭାଗ୍ୟରେ ନାହିଁ ? କୁଆଡେ ଯାଉଛି ଆମ ସମାଜ ? ବର୍ତ୍ତମାନର ନିର୍ଦୟୀ ସନ୍ତାନମାନେ ଯେତେ ଶୀଘ୍ର ସୁଧୁରି ଯିବେ ଭଲ, କାରଣ ଆଗକୁ ସେମାନେ ବି ନ ଭୁଲନ୍ତୁ ଯେ ଖୁବ୍ ଶୀଘ୍ର ତାଙ୍କର ମଧ୍ୟ ସେହି ‘ବେଳକାଳ ଆସୁଛି’।
Comments are closed.