ରେଡ଼ିଓ, ଏକ ପ୍ରେମକଥା

ରେଡିଓ, ଏକ ପ୍ରେମ କଥା। ହଁ, ଅଶୀ ଦଶକ ପୂର୍ବରୁ ଯେଉଁମାନେ ଜୀବନ କାଟିଛନ୍ତି, ସେହି ପିଢ଼ିର ଲୋକମାନେ ନିଶ୍ଚିତ ରେଡିଓ ପ୍ରେମରେ ଥିଲେ ଏହା ନିଃସନ୍ଦେହ। ସେମାନଙ୍କ ପାଇଁ ରେଡିଓ ଫଗୁଣ ମଲ୍ଲୀର ମୁଠାଏ ମହକ। ନିଦାଘ ଦ୍ବିପ୍ରହରର ଦଲକାଏ ସୁଶୀତଳ ପବନ। କର୍ମକ୍ଳାନ୍ତ ଜୀବନର ଏକମାତ୍ର ମନୋରଞ୍ଜନ। ସେହି ଅଶୀ ଦଶକ ପୂର୍ବର ପିଢ଼ି ଯେଉଁମାନଙ୍କ ହାତରେ ଏବେ ସ୍ମାର୍ଟ ଫୋନ ସେମାନେ କଣ ଭୁଲି ଯାଇଛନ୍ତି ରେଡିଓକୁ?? ହୁଏତ ନା। ଏବେ ବି ରେଡିଓ ସେମାନଙ୍କ ପାଇଁ ସ୍ମୃତିର ପାଉଁଶ ତଳେ ଦିକ ଦିକ ହୋଇ ଜଳୁଥିବା ଚିମୁଟେ ନିଆଁ। ପାଉଁଶ ଆଡ଼େଇ ଦେଲେ ସତେଜ ହୋଇ ଉଠିବ ସେ ସ୍ମୃତି। ଅକାଶରେ ସିନ୍ଦୂରା ଫାଟିବା ବେଳକୁ ଚେଇଁ ଉଠିବ ରେଡିଓ। ଜନପଦ ଘୁମାଇ ପଡ଼ିଲେ ସେ ବି ଶୋଇଯିବ। ଅଣନିଶ୍ବାସୀ ହୋଇ ଧାଉଁଥିବା ଓ ରାତିସାରା ପଲକ ପକାଉ ନ ଥିବା ଆଜିର ମଣିଷ, ଟେଲିଭିଜନ ଓ ମୋବାଇଲ ଭଳି ସେ ନ ଥିଲା। ସେ ଉଠୁଥିଲା ସକାଳ ୫.୫୫ ରେ। ବାଜୁଥିଲା ବନ୍ଦେ ମାତରମ୍, ସୁଜଳାମ୍ ସୁଫଳାମ୍, ସକାଳକୁ ଆହୁରି ସତେଜ କରି। ଛୁଆଙ୍କ ପାଇଁ ସେଇ ଥିଲା ଘଣ୍ଟାର ଆଲାର୍ମ। ତା ପରେ ଭକ୍ତିମୟ କଣ୍ଠରେ ଶାନ୍ତିଲତା ବାରିକ, ଭିକାରି ବଳ, ଶ୍ୟାମାମଣି ଦେବୀ ପ୍ରମୁଖଙ୍କ କଣ୍ଠରେ ବନ୍ଦନା କାର୍ୟ୍ୟକ୍ରମ। ଆଜି ବି କଣ ଭୁଲି ହେଇଛି ଆଞ୍ଚଳିକ କିମ୍ବା ମୁଖ୍ୟ ସମାଚାରର ପାଠକଙ୍କ ଗୁରୁଗମ୍ଭୀର ସ୍ବର। ଆକାଶବାଣୀ କଟକ। ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ସିଂହ। ସୁଗମ ସଙ୍ଗୀତ, ଲଘୁ ସଙ୍ଗୀତ, ଗୀତ ଗୀତିକାର ଓଡ଼ିଆ ଚଳଚ୍ଚିତ୍ରର ଗୀତ କିମ୍ବା ବିବିଧ ଭାରତୀ।ଏବେ ବି ଛାତି ଭିତରେ କେଉଁଠି ନା କେଉଁଠି ନଈଟିଏ ହୋଇ ବୋହୁଥାଏ। ଆକାଶବାଣୀ ଶିଲଂର ବିନାକା ଗୀତମାଲା। ତା’ପୁଣି ଉଦ୍ଘୋଷକ ଅମିନ ସାୟାନିଙ୍କ କଣ୍ଠରେ। ସେ ତ ପ୍ରତୀକ୍ଷାର ଆଉ ଗୋଟିଏ ପୃଷ୍ଠା। ସବୁ ଅଳିଅର୍ଦଳିର କାମ ସାରି ଦ୍ବିପ୍ରହରରେ ଫୁର୍ସତରେ ଘରର ଗୃହିଣୀଟିଏ କାନ ଡେରିଥାଏ ନାରୀମହଲ କିମ୍ବା ଘରସଂସାର କାର୍ୟ୍ୟକ୍ରମକୁ। କଥାଟିଏ କହୁଁ କଥାଟିଏ, କି କଥା, ବେଙ୍ଗୁଲୀ କଥା, କି ବେଙ୍ଗୁଲୀ, କାଠ ବେଙ୍ଗୁଲୀ……..ଏମିତି ଅସରନ୍ତି କଥାରେ ଲମ୍ବି ଆସେ ରବିବାରରେ ଶିଶୁ ସଂସାର କାର୍ୟ୍ୟକ୍ରମ। ଅପା ଭାଇ ନମସ୍କାରର ମିଳିତ ସ୍ବର, ଏବେ ବି କାନ ଡେରିଲେ ଶୁଭେ। ନଦିଆ ବିହାରୀ ମହାନ୍ତି ଭାଇ ରୂପରେ ଏବେ ବି ମନେ ପଡ଼ନ୍ତି। ଇଟିକିଲି ମିଟିକିଲି, ଶିଶୁସଂସାର, କିଶୋରଚକ୍ର ମନେ ପଡ଼ିଲେ ଏବେ ବି ସତୁରି ଦଶକର ଜିଇ ଥିବା ପାଚିଲା ବାଳର ପ୍ରୌଢ଼ଟିଏ ଭିତରେ ଶୈଶବ ଫକଫକ କରି ଡିଏଁ। ଭୋଦୁଅ ମାସର ରବିବାରରେ ପ୍ରସାରିତ ତଅପୋଇର ଘରମଣି ଡାକ ଏବେ ବି କଣ ଭୁଲି ହେଇଛି। ଭାଉଜମାନଙ୍କର ଗଞ୍ଜଣା ଆଉ ଝରଣା ଦାସଙ୍କର କୋହଭରା ସ୍ବରର ଅଭିନୟ ଭୁଆସୁଣୀ ବୋହୂର ଆଖିତଳେ ଟୋପେ ଲୁହ ହୋଇ ଝରିପଡ଼େ। ମାଂସର ବିଳାପ, ରୁବିର ରୁବାୟତ, ବୁଢ଼ାଶଙ୍ଖାରିର ସଂଳାପରେ ଯେମିତି ଛାତି ରୁନ୍ଧି ହୋଇ ଯାଉଥାଏ। ଖାଲି କାନରେ ଶୁଣିଲେ ବି ଆଖି ଆଗରେ ଦୃଶ୍ୟ ପରେ ଦୃଶ୍ୟ ଆପଣା ଛାଏଁ ଅଭିନୀତ ହୋଇ ଚାଲିଥାଏ। କୃଷି ସଂସାରର ମଙ୍ଗୁଳି ଭାଇ ସତେ ଯେମିତି ସବୁଜ ଧାନ କ୍ଷେତର ଚିର ସବୁଜ ମଣିଷଟିଏ। ଯୁବବାଣୀ ସେ ବେଳ ଯୁବ ସମାଜର ସ୍ପର୍ଦ୍ଧିତ ସ୍ବର। ବିଦ୍ୟାଳୟ କାର୍ୟ୍ୟକ୍ରମ, ହିନ୍ଦୀ ଶିକ୍ଷା କାର୍ୟ୍ୟକ୍ରମ ଅବା ଗୋଷ୍ଠୀ ସଙ୍ଗୀତ ଶିକ୍ଷା ସତେ ଯେମିତି ଶିଖିବାର ଅସରନ୍ତି ଭଣ୍ଡାର। ଭାରି ଖାଁ ଖାଁ ଲାଗେ, ଯେବେ କେହି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପରଲୋକ ହେଲେ ଶୋକଦିବସ ରୂପେ ରେଡିଓ କାର୍ୟ୍ୟକ୍ରମ ବନ୍ଦ ହୋଇଯାଏ।
ଘରେ ରେଡିଓ ଥିବା ସେ ସମୟର ଗର୍ବ ଓ ଗୌରବର କଥା। ଯେ ବିଦେଶ ଯାଏ କାମ କରିବାକୁ ଗାଁକୁ ଫେରିବା ପରେ ବେକରେ ଖଣ୍ଡେ ରେଡିଓ ଝୁଲାଇ ନିଜର କାଟତି ଦେଖାଏ। ଶ୍ବଶୁର ଘରୁ ଜ୍ୱାଇଁପୁଅର ଅଳି ରାଲେ ସାଇକେଲ, ଏଚ.ଏମ.ଟି ଘଣ୍ଟା ସହ ଫିଲିପ୍ସ କିମ୍ବା ମର୍ଫି ରେଡିଓଟିଏ। ଯଦିବା ରେଡ଼ିଓ ଉଦ୍ଭାବନରେ ଅନେକ ବୈଜ୍ଞାନିକଙ୍କ ଅବଦାନ ରହିଛି କିନ୍ତୁ ରେଡିଓର ଜନକ ଭାବରେ ଇଟାଲୀୟ ବୈଜ୍ଞାନିକ ମାର୍କୋନି ହିଁ ବିଶ୍ବବିଦିତ। ସେ ୧୮୬୫ ମସିହାରେ ବେତାର ତରଙ୍ଗ ପ୍ରେରଣ କରି ରେଡ଼ିଓ ବଜାଇବାରେ ସଫଳ ହୋଇଥିଲେ। ତା ପରଠାରୁ ରେଡ଼ିଓ ହିଁ ସଞ୍ଚାରଣର ମାଧ୍ୟମ ପାଲଟିଗଲା। ଆମୋଦପ୍ରମୋଦ ତଥା ଦେଶ ବିଦେଶର ଖବର ପହଞ୍ଚାଇବାରେ ରେଡ଼ିଓ ହିଁ ପ୍ରମୁଖ ସାଧନ ଥିଲା। ୧୯୭୩ ରେ ଭାରତରେ ଯେବେ ଜରୁରିକାଳୀନ ପରିସ୍ଥିତି ଚାଲିଥିଲା, ସମସ୍ତ ଖବରକାଗଜ ବନ୍ଦ ଥିଲା। ସେହି ପରିସ୍ଥିତିରେ ରେଡିଓ ହିଁ ସୂଚନା ପ୍ରଦାନର ଏକମାତ୍ର ମାଧ୍ୟମ ଥିଲା। ଫେବୃଆରି ୧୩ କୁ ପ୍ରତ୍ୟେକ ବର୍ଷ ବିଶ୍ବ ରେଡିଓ ଦିବସ ରୂପେ ପାଳିତ ହୁଏ।
ଆଜିକାଲିର ସ୍ମାର୍ଟଫୋନ ଯୁବ ପିଢ଼ିକୁ କରୁଛି ବିପଥଗାମୀ। କରୁଛି ବାଚାଳ ଓ ଯନ୍ତ୍ରବତ୍। ଛିଣ୍ଡାଇ ଦେଉଛି ସମ୍ପର୍କ। ସ୍ମାର୍ଟ ଫୋନରୁ ନିର୍ଗତ ନୀଳ ରଶ୍ମି ଚକ୍ଷୁର ରେଟିନାକୁ କରୁଛି ପ୍ରଭାବିତ। ତାହାର ତରଙ୍ଗ ମସ୍ତିଷ୍କକୁ କରୁଛି ନିଷ୍କ୍ରିୟ। ରେଡିଓ କୌଣସି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନାହିଁ। ଦୂରଦର୍ଶନର କାର୍ୟ୍ୟକ୍ରମ ଗୁଡ଼ିକ ବିଜ୍ଞାପନ ଥାଳିରେ ପରଷା ଯାଇ ଖୁବ୍ ବିରକ୍ତିକର ବୋଧହୁଏ ବେଳେବେଳେ। ରେଡିଓର କାର୍ୟ୍ୟକ୍ରମରେ ଥିଲା ନିଜର ଅସ୍ତିତ୍ବ। ରେଡିଓ ଏକ ଶ୍ରାବ୍ୟ ଯନ୍ତ୍ର। ବିଜ୍ଞାନର ଜୟଯାତ୍ରାରେ ସଂଚାର କ୍ଷେତ୍ରରେ ଆଉ ଗୋଟିଏ ଫର୍ଦ ଯୋଡ଼ିହେଲା ଦୂରଦର୍ଶନ। ଯାହାକି ଦୃଶ୍ୟ ଓ ଶ୍ରାବ୍ୟ ଉଭୟ ଅଟେ। ସଂଚାର ଓ ଆମୋଦପ୍ରମୋଦ ପାଇଁ ଏବେ ଆମ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ। ରେଡିଓ ପାଇଁ ଶ୍ରବଣେନ୍ଦ୍ରିୟ, ଦୂରଦର୍ଶନ ପାଇଁ ଦର୍ଶନ ଓ ଶ୍ରବଣ ଉଭୟ ଇନ୍ଦ୍ରିୟ କାର୍ୟ୍ୟକାରୀ ହେବାବେଳେ, ସ୍ମାର୍ଟ ଫୋନରେ ଦର୍ଶନ, ଶ୍ରବଣ ଓ ସ୍ପର୍ଶ ଇନ୍ଦ୍ରିୟ କାର୍ୟ୍ୟ କରିଥାଏ। କିନ୍ତୁ ରେଡିଓର ପୁଲକ ସ୍ବତନ୍ତ୍ର। ନିଆରା। ଏବେ ତ ସ୍ମାର୍ଟ ଫୋନ ଗୋଟିଏ ଛାତ ତଳେ ଅନେକ ପୃଥିବୀ ଗଢ଼ିଛି.। ଘରର ପ୍ରତ୍ୟେକ ସଦସ୍ୟ ପାଖରେ ନିଜସ୍ୱ ମୋବାଇଲ ଫୋନ। ରେଡିଓ କିନ୍ତୁ ସାହି କି ଗାଁରେ ଗୋଟିଏ ଥିଲା। ସେ ଗାଁ ଗୋଟାକର ଲୋକକୁ ଗୋଟିଏ ସୂତ୍ରରେ ବାନ୍ଧି ଦେଉଥିଲା। ଖାଲି କାନରେ ଶୁଣିଲେ ମଧ୍ୟ ମନରେ ଭରି ଯାଉଥିଲା ଆବେଗ, ଉତ୍କଣ୍ଠା ଆଉ ପ୍ରତୀକ୍ଷା। ଏତେ ସବୁ ଭାବାବେଗ ଯେଉଁଠି ଫେଣ୍ଟି ହୁଏ ତାହା ହିଁ ତ ପ୍ରେମ।
Comments are closed.