ଫୁଲବାଣୀ: ରାଜ୍ୟ ଗୃହ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଦିନିକିଆ ଫୁଲବାଣୀ ଗସ୍ତ ଅବସରରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲା ତଥା ସହରାଞ୍ଚଳର ପାନୀୟଜଳ ସମସ୍ୟା, ପରିମଳ ବ୍ୟବସ୍ଥା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ତଳ ସ୍ତର ପର୍ଯ୍ୟନ୍ତ ବିନା ବାଟମାରଣାରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି। ଏଥିରେ ଖିଲାପକାରୀ ଦଣ୍ଡର ଭାଗୀଦାରୀ ହେବେ ବୋଲି ମନ୍ତ୍ରୀ ତାଗିଦ କରିଛନ୍ତି। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଜିଲ୍ଲାରେ ଚାଲିଥିବା ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ କ୍ଲାସ ରୁମ, ଗେଣ୍ଡୁ ଫୁଲ ଚାଷ ଓ ବହୁସ୍ତରୀୟ ବହୁଫସଲ ଚାଷ ଆଦି ବିଷୟରେ ଅବଗତ କରାଇଥିଲେ। ଜିଲ୍ଲା ମୁଖ୍ୟାଳୟରେ ୧୦୦୦ ଲୋକ ବସିବା କ୍ଷମତାବିଶିଷ୍ଟ ଅଡିଟୋରିୟମ୍ ନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଉନ୍ନୟନ ଅଧିକାରୀ। ଅନ୍ୟ ବିଭାଗୀୟ ଅଧିକାରୀମାନେ ନିଜ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଅବଗତ କରାଇଥିଲେ।
Popular Categories



