ସମାଜଲାଇଭ ଡେସ୍କ: ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଛି। ଏହି ଘଟଣାରେ ୨୫ ଜଣଙ୍କ ପ୍ରାଣହାନୀ ଘଟିଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ପ୍ରୋଗ୍ରାମ ଚାଲିଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ନୃତ୍ୟ ଚାଲିଥିବାବେଳେ କିପରି ନିଆଁ ଲାଗିଲା ତାହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।
ଭିଡିଓରୁ ଦେଖିବାକୁ ମିଳିଛି ଯେ, କ୍ଲବରେ ଜଣେ ଯୁବତୀ ଡାନ୍ସ କରୁଛନ୍ତି। ତାଙ୍କ ପଛରେ କଳାକାରମାନେ ବାଦ୍ୟ ପରିବେଷଣ କରୁଛନ୍ତି। ଅନେକ ଲୋକ ଏହାର ମଜା ନେଉଛନ୍ତି। ହଠାତ ଏକ ଲାଇଟ୍ ପାକରେ ନିଆଁ ଜଳିବା ଆରମ୍ଭ ହୋଇଥିଲା। ଏହା ଦେଖି କଳାକାରମାନେ କାର୍ଯ୍ୟକ୍ରମ ବନ୍ଦ କରିଦେଇଥିଲେ। ହଠାତ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଉକ୍ତ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଯଦି ସେହି ସମୟରେ ତୁରନ୍ତ ଦର୍ଶକ ଓ କଳାକାରମାନେ ସେଠାରୁ ବାହାରି ଯାଇଥାଆନ୍ତେ, ତେବେ ଜୀବନ ବଞ୍ଚି ଯାଇଥାଆନ୍ତା। କିନ୍ତୁ ସେଠାରୁ ବାହାରିବାରେ ବିଳମ୍ବ ହୋଇଥିବା ଭିଡିଓରୁ ଜଣାପଡ଼ିଛି। ଅଣନିଃଶ୍ଵାସୀ ହୋଇ ଏକାଧିକ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି।



