ମର୍ଯ୍ୟାଦା ପୁରୁଷୋତ୍ତମ

ଭୁବନେଶ୍ବର : ଆଜି ପବିତ୍ର ଶ୍ରୀରାମ ନବମୀ। ସବୁଠି ଶୁଭୁଛି ରାମ ନାମ। ଜୟ ଶ୍ରୀରାମ ଧ୍ୱନିରେ ଉତ୍ସବ ମୁଖର ହୋଇଛି ଗାଁଠୁ ସହର। ଏହି ପବିତ୍ର ଦିନରେ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ସବୁଠି ଚାଲିଛି ପୂଜା ଆରାଧନା।ଧର୍ମ ଶାସ୍ତ୍ର ଅନୁଯାୟୀ ଚୈତ୍ର ମାସର ନବମ ଦିବସରେ ରାମ ନବମୀ ଉତ୍ସବ ପାଳନ କରାଯାଇଥାଏ। ଏହା ନବରାତ୍ରିର ଶେଷ ଦିନ ହୋଇଥାଏ। ଏହି କାରଣରୁ ହିନ୍ଦୁମାନଙ୍କ ପର୍ବରେ ରାମ ନବମୀର ବିଶେଷ ମହତ୍ତ୍ବ ରହିଥାଏ। ବିଶ୍ବରେ ରାମ ନବମୀ ପର୍ବକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଥାଏଟ୍ଟ କିନ୍ତୁ ଉତ୍ତର ଭାରତର ଅଯୋଧ୍ୟରେ ବିଶେଷ ରୂପେ ଏହି ପର୍ବର ଆୟୋଜନ କରାଯାଇଥାଏ।ଏହି ଦିନ ଭଗବାନ ବିଷ୍ଣୁଙ୍କ ଜନ୍ମ ଅଯୋଧ୍ୟାର ରାଜା ଦଶରଥ ଏବଂ ମାତା କୌଶଲ୍ୟାଙ୍କ ଜ୍ୟେଷ୍ଠ ପୁତ୍ର ରାମଙ୍କ ରୂପରେ ହୋଇଥିଲା।
ଶ୍ରୀରାମଚନ୍ଦ୍ରଙ୍କ ଜନ୍ମର ମୂଳ ଉଦ୍ଦେଶ୍ୟ ଥିଲା ରାବଣର ଦୁଷ୍ଟ ଆତ୍ମାକୁ ବିନାଶ କରିବା। ଏହି କାରଣରୁ ରାମ ନବମୀରେ ଶାସ୍ତ୍ରରେ ଶକ୍ତିର ମହିମା ଏବଂ ଭଲ ଓ ଖରାପ ମଧ୍ୟରେ ସଂଘର୍ଷ ଦର୍ଶାଇଥାଏ ବା ଏହି ଦିନ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥାଏ। ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ଭଗବାନ ବିଷ୍ଣୁଙ୍କ ୭ମ ଅବତାର ଭାବେ ଶ୍ରୀ ରାମ ଧରାବତରଣ କରିଥିଲେ। ସେ ମର୍ୟ୍ୟାଦା ପୁୁରୁଷୋତମ ନାଁରେ ମଧ୍ୟ ବେଶ୍ ପରିଚିତ ଥିଲେ। ସେହି ସମୟରେ ରାବଣର ଅତ୍ୟାଚାର ଯୋଗୁଁଁ ସମଗ୍ର ଜନସାଧାରଣ ସଂକଟରେ ପଡ଼ିଥିଲେ। ଅନ୍ୟପଟେ ରାବଣ ବ୍ରହ୍ମାଜୀଙ୍କୁ ଅମର ହେବାର ବର ମାଗିଥିଲେ। ତେଣୁ ରାବଣର ଅତ୍ୟାଚାରରେ ଅତିଷ୍ଠ ଲୋକମାନେ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଥିଲେ। ଭଗବାନ ବିଷ୍ଣୁ ରାବଣର ବିନାଶ ପାଇଁ ଧରାପୃଷ୍ଠରେ ଅବତରଣ କରିଥିଲେ। ଆଜିର ଏହି ଶୁଭ ଅବସରରେ ଶ୍ରୀ ରାମଙ୍କ ବିଶେଷ ପୂଜାର୍ଚ୍ଚନା କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତ ହେବା ସହ ପ୍ରଭୁଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଦିନଟି ସାଧାରଣତଃ ମାର୍ଚ୍ଚ ଏବଂ ଏପ୍ରିଲ ମାସ ମଧ୍ୟରେ ପଡ଼ିଥାଏ।
ରାମ ନବମୀ ହେଉଛି ତ୍ରେତୟା ଯୁଗରେ ଅଯୋଧ୍ୟାରେ ଶ୍ରୀ ରାମଚନ୍ଦ୍ରଙ୍କ ଆବିର୍ଭାବକୁ ସ୍ମରଣ କରିବା ପାଇଁ ଏକ ହିନ୍ଦୁ ପର୍ବ। ରାମ ନବମୀ ଭଗବାନ ରାମଙ୍କ ଜୀବନର ପ୍ରତ୍ୟେକ ଦିଗକୁ ସମ୍ମାନ କରେ। ଲୋକମାନେ ଏହି ଦିନ ଉପବାସ କରିବା ସହ ଭଗବାନଙ୍କୁ ପ୍ରସାଦ ରୂପେ ପଞ୍ଚାମୃତ, ଶ୍ରୀ ଖଣ୍ଡ, କ୍ଷୀର ଆଦି ଭୋଗ ଲଗାଯାଇଥାଏ। ଭଗବାନ ରାମଙ୍କ ପୂଜାରେ ବିଶେଷ ରୂପେ କ୍ଷୀର ଏବଂ ଘିଅର ବ୍ୟବହାର କରାଯାଇଥାଏ। ଏହି କାରଣରୁ ରାମ ନବମୀ ଭଳି ଶୁଭ ଦିନରେ ଘିଅରେ ପ୍ରସ୍ତୁତ ହୋଇଥିବା ମିଠା ପ୍ରସାଦ ରୂପେ ସେବନ କରାଯାଇଥାଏ। ଏହା ସହ ଅନେକ ସ୍ଥାନରେ ଭଜନ କୀର୍ତ୍ତନର ଆୟୋଜନ ମଧ୍ୟ କରାଯାଏ। ଭଗବାନ ରାମଙ୍କ ପ୍ରତିମାକୁ ଫୁଲମାଳ ଆଦିରେ ସଜାଯାଇ ପୂଜାର୍ଚନା କରି ସ୍ଥାପିତ କରନ୍ତି। ପ୍ରଭୁ ରାମଙ୍କ ଜନ୍ମଦିନ ହେତୁ ତାଙ୍କ ପ୍ରତିମାକୁ ଦୋଳିରେ ମଧ୍ୟ ଝୁଲାଯାଏ। ଭାରତୀୟମାନେ ଏହି ଦିନଟିକୁ ଖୁବ ଧୁମ୍ଧାମରେ ପାଳନ କରିଥାନ୍ତି।
ରବିନାରାୟଣ ପଟ୍ଟନାୟକ
ପଟିଆ, ଭୁବନେଶ୍ବର
Comments are closed.