ବିଚ୍ଛିନାଞ୍ଚଳରେ ଉପେକ୍ଷିତ ଓଡ଼ିଆ ଶିକ୍ଷକ

କଳାବାଡିଆ :୧୮ ମେ ୧୯୪୮ ଦିନ ତତ୍କାଳୀନ ବିହାର ଓ କେନ୍ଦ୍ର ସରକାର ଚଞ୍ଚକତା କରି ଓଡିଶାରୁ ଖାଣ୍ଟି ଓଡ଼ିଆ ଗଡ଼ଜାତ ଅଞ୍ଚଳ ଷଢ଼େଇକଳା- ଖରସୁଆଁ , ଚାଇଁବସା, ଚକ୍ରଧରପୁର, ପୋଡାହାଟ ଆଦିକୁ ବିହାରକୁ ସାମୟିକ ଭାବେ ନେଇଥିଲେ , ଯାହା ଆଜି ଯାଏଁ ଫେରି ପାରିନାହିଁ। ଅବିଭକ୍ତ ପୂର୍ବ ଓ ପଶ୍ଚିମ ସିଂହଭୂମ ସହ ଷଢେଇକଳା-ଖରସୁଆଁ ଭଳି ୩ଜିଲା ଓଡ଼ିଆ ବହୁଳ ଅଞ୍ଚଳ ହୋଇଥିବା ବେଳେ ଓଡିଆ ଭାଷା ,ସଂସ୍କୃତି ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛନ୍ତି । ୫୨ବର୍ଷ ବିହାର ରାଜ୍ୟରେ ଓ ୨୫ବର୍ଷ ହେଲା ଝାଡ଼ଖଣ୍ଡ ରାଜ୍ୟରେ ରହିବାପରେ ମଧ୍ୟ ସେମାନଙ୍କୁ ସ୍ବାଧୀନତା ମିଳିଲାନାହିଁ। ଅଞ୍ଚଳବାସୀଙ୍କ ଦାବିଥିଲା ଓଡିଆ ଭାଷା ସଂସ୍କୃତିକୁ ସେମାନେ କଦାପି ଛାଡିବେ ନାହିଁ । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ସେଠାରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଓଡିଶା ସରକାର ‘ଉତ୍କଳ ସମ୍ମିଳନୀ’ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରିବା ସହ ପାଠ୍ୟପୁସ୍ତକ ମଧ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେଠାରେ କାର୍ଯ୍ୟରତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିୟମିତ ଦରମା ନପାଇବା ଯୋଗୁଁ , ଶିକ୍ଷାଦାନରୁ ବିମୁଖ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।
ଝାଡଖଣ୍ଡ ରାଜ୍ୟର ଷଢେଇକଳା-ଖରସୁଆଁ ସମେତ ପୁର୍ବ ସିଂହଭୂମ ଓ ପଶ୍ଚିମ ସିଂହଭୂମ ଜିଲ୍ଲାରେ ଏବେ ଓଡିଆ ଭାଷାଭାଷୀଙ୍କ ସଂଖ୍ୟା ପାଖାପାଖି ୫୦ପ୍ରତିଶତ ରହିଥିବା ବେଳେ ଝାଡଖଣ୍ଡ ସରକାର ଏମାନଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରି ଶାସ୍ତ୍ରୀୟ ଓଡ଼ିଆକୁ ଶେଷ କରିବାକୁ ବସିଲେଣି। ନୂତନ ଭାବେ ଝାଡଖଣ୍ଡ ରାଜ୍ୟ ଗଠନ ପରେ ଦ୍ବିତୀୟ ରାଜଭାଷା ଭାବେ ଓଡ଼ିଆ ଭାଷା ରହିଥିଲାବେଳେ ଏବେର ଶାସକ ଝାଡଖଣ୍ଡ ଦଳର ସରକାର ଏହାକୁ ଲୋପ କରିବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବାକୁ ବସିଛି । ତେବେ ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ସହ ସୀମାନ୍ତ ରାଜ୍ୟଗୁଡ଼ିକରେ ଓଡ଼ିଆ ପିଲା ଯେପରି ଓଡ଼ିଆ ଭାଷା ପଢ଼ିପାରିବେ,ସେଥିପାଇଁ ଓଡ଼ିଶା ସରକାର ଝାଡ଼ଖଣ୍ଡରେ ସମୁଦାୟ ୧୩୮ଟି ଓଡ଼ିଆ ସ୍କୁଲରେ , “ଉତ୍କଳ ସମ୍ମିଳନୀ ମାଧ୍ୟମରେ ୧୬୦ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଦରମା ତ ନୁହେଁ ଭାଷାଶିକ୍ଷକ ଭାବରେ ମାନଦେୟ ବାବଦରେ ଏମାନଙ୍କୁ ବାର୍ଷିକ ୩୦ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ହେଲେ ଓଡିଶା ସରକାରଙ୍କ ଅବହେଳାର ଶିକାର ଏମାନେ ବାରମ୍ବାର ନିୟମିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏବେ ମଧ୍ୟ ୨୦୨୧/୨୨ ମସିହାର ମାନଦେୟ ବା ଦରମା ମିଳିପାରିଲାନି । ଗଣମାଧ୍ୟମ ଦ୍ବାରା ବହୁଦାବି ଉପସ୍ଥାପନ ପରେ ତତ୍କାଳୀନ ବିଜେଡି ସରକାର ୩ହଜାର କୁ ୪ହଜାର ୫ଶହ ଦେବା ନେଇ ଘୋଷଣା କରିଥିଲେ । ହେଲେ ତାହା ଅଦ୍ୟାବଧି ପ୍ରଦାନ କରାଗଲା ନାହିଁ । ସେହିପରି ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼ଖଣ୍ଡ ଗସ୍ତରେ ଆସିଥିବା ସମୟରେ ଓଡିଆ ଶିକ୍ଷକଙ୍କ ଦାବିପତ୍ର ପାଇବା ପରେ ତତକ୍ଷଣାତ୍ ୬ହଜାର ଦେବା ନେଇ ଘୋଷଣା କରିଥିଲେ । ଘୋଷଣାକୁ ୬ମାସ ପାର ହେବାପରେ ମଧ୍ୟ ବିଚ୍ଛିନାଞ୍ଚଳବାସୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ ଆସିଲା ନା ତାଙ୍କୁ ବର୍ଦ୍ଧିତ ପାଉଣା ମିଳିଲା । ବରଂ ଏଯାଏଁ ଚଳିତ ବର୍ଷର ଦରମା ପ୍ରଦାନ କରାଯାଇନଥିବା ଅଭିଯୋଗ ଆସିଛି । ଏଭଳି ସ୍ଥଳରେ ଭୋକିଲା ପେଟରେ କିପରି ଶିକ୍ଷାଦାନ କରିବେ , ତାକୁ ନେଇ ଓଡିଶା ସରକାରଙ୍କ ନିକଟରେ ଉଠାଇଛନ୍ତି ପ୍ରଶ୍ନ । ବିଚ୍ଛିନାଞ୍ଚଳରେ ଓଡିଆ ବିଦ୍ୟାର୍ଥୀଙ୍କୁ ମିଳୁନାହିଁ ସୁଯୋଗ ,ଏଣୁ ଧିରେଧିରେ ଓଡିଆକୁ ମୁହଁମୋଡି ହିନ୍ଦୀ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି ଛାତ୍ରଛାତ୍ରୀ । ଏପରି ସ୍ଥଳେ ଏଠାରେ ଓଡ଼ିଆ ଭାଷା ରହିବ କି ନାହିଁ ତାକୁ ନେଇ ଚିନ୍ତାରେ ସୀମାପାର ଓଡିଆ ।
ଅନ୍ୟପଟେ ଅଞ୍ଚଳବାସୀ ନିଜ ମାତୃଭାଷା ଓଡିଆକୁ ଏଠାରେ ଉଦ୍ଜିବିତ ରଖିବାପାଇଁ ଭରପୁର ପ୍ରୟାସ ଜାରି ରଖିଛନ୍ତି । ହେଲେ ଓଡିଶା ସରକାରଙ୍କ ଅଣଦେଖା ପାଇଁ ସେମାନଙ୍କ ଭାଷା ସଙ୍କୁଚିତ ହେବାକୁ ବସିଲାଣି । ଓଡିଶା ସରକାରଙ୍କ ଦ୍ବାରା ସହଯୋଗର ହାତ ବଢାଇଥିବା ଉତ୍କଳ ସମ୍ମିଳନୀ ପକ୍ଷରୁ ଯୋଗାଇଦେଉଥିବା ପାଠ୍ୟ ସାମଗ୍ରୀ କେତେବେଳେ ମିଳୁନାହିଁ ତ କେତେବେଳେ ଶିକ୍ଷାଦାତାଙ୍କୁ ମାନଦେୟ ମିଳୁନାହିଁ । ଯଉଥିପାଇଁ ଦିନକୁ ଦିନ ଓଡ଼ିଆ ଛାଡି ପିଲାମାନେ ହିନ୍ଦୀ ଓ ସଂସ୍କୃତ ପଢିବାକୁ ବାଧ୍ୟ ହେଲେଣି । ଏନେଇ ଉକ୍ତ ଅଞ୍ଚଳର କର୍ମକର୍ତ୍ତାମାନ ଉତ୍କଳ ସମ୍ମିଳନୀ ଓ ଓଡିଶା ସରକାରଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ସମାସ୍ୟାର ସମାଧାନର ବାଟ ଫିଟୁନାହିଁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଚ୍ଛିନାଞ୍ଚଳର ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା । ଏପ୍ରିଲ ସୁଦ୍ଧା ଦରମା ଦିଆନଗଲେ କେବଳ ଝାଡ଼ଖଣ୍ଡ ନୁହେଁ ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ର ୬୨୬ ଓଡିଆ ଶିକ୍ଷକ ଶିକ୍ଷୟିତ୍ରୀ ଓଡ଼ିଆ ଶିକ୍ଷା କାର୍ଯ୍ୟକ୍ରମ ବନ୍ଦ ରଖିବେ ବୋଲି ଜଣାପଡିଛି । ସେହିପରି ଝାଡ଼ଖଣ୍ଡ ରାଜ୍ୟରେ ଏକ ମାତ୍ର କୋହ୍ଲାନ୍ ବିଶ୍ବବିଦ୍ୟାଳୟରେ ଜଣେମାତ୍ର ଓଡିଆ ପ୍ରଫେସରରେ ସ୍ନାତକତ୍ତୋର ବିଭାଗ ଚାଲିଛି । ସଠିକ୍ ଶିକ୍ଷାଦାନ ନହେବା କାରଣରୁ ଉଚ୍ଚଶିକ୍ଷରୁ ମୁହଁ ଫେରାଉଛନ୍ତି ବିଚ୍ଛିନାଞ୍ଚଳ ବିଦ୍ୟାର୍ଥୀ । ଓଡିଶାରୁ ବାଦ ପଡି ଝାର୍ଡଖଣ୍ଡ ରାଜ୍ୟରେ ନିଜ ମାତୃଭାଷା ଓଡିଆକୁ ବଞ୍ଚାଇବା ପାଇଁ ଏବେ ପ୍ରତିଟି ମୁହୁର୍ତ୍ତରେ ସଂଘର୍ଷ କରୁଛନ୍ତି ବିଚ୍ଛିନାଞ୍ଚଳବାସୀ । ୨୦୩୬ରେ ଆମେ ଓଡ଼ିଶାର ଶତବାର୍ଷିକ ପାଳନ କରିବା। ଏପରି ସ୍ଥଳେ ଯଦି ଓଡିଶା ସରକାର ଏମାନଙ୍କ ପାଇଁ ସାହାଯ୍ୟର ହାତ ନବଢାନ୍ତି ତେବେ ଏଠାରୁ ଯେଦିନେ ଓଡ଼ିଆ ଛାପ ଲିଭିନଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
Comments are closed.