ଚଳଚଞ୍ଚଳ ଏକାମ୍ରକ୍ଷେତ୍ର: ଗଡ଼ିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ, ଆନନ୍ଦ ଉଲ୍ଲାସର ସହ ରଥ ଟାଣିଲେ ଶ୍ରଦ୍ଧାଳୁ

୨ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ରଥ ଟଣା

ଭୁବନେଶ୍ବର:ଆଜି ପବିତ୍ର ଅଶୋକାଷ୍ଟମୀ। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି। ଅଣଲେଉଟା ରଥରେ ବାହାରିଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ। ସେଇଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର। ମହାପ୍ରଭୁଙ୍କ ନୀତିନିର୍ଘଣ୍ଟ ସମ୍ପନ୍ନ  ପରେ ରଥଟଣା ଆରମ୍ଭ ହୋଇଛି। ଆଜି ରୁକୁଣା ରଥରେ ବିଜେ କରି ମାଉସୀମା’ ଘରକୁ ଯାଉଛନ୍ତି ଶ୍ରୀଲିଙ୍ଗରାଜ। ସେଠାରେ ୪ ଦିନ ରହିବା ପରେ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ୨ ଘଣ୍ଟା ବିଳମ୍ବରେ ଟଣାଯାଇଥିଲା ଏବଂ ବଢ଼େଇବାଙ୍କ ଛକରେ ଅଟକି ଥିଲା।

ସୂର୍ଯ୍ୟାସ୍ତ ହେବାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ବଢ଼େଇବାଙ୍କ ଛକରେ ଅଟକିଛି। ସୂର୍ଯ୍ୟାସ୍ତ ହୋଇଯିବାରୁ ରଥଟଣା ହୋଇନାହିଁ। ଆସନ୍ତାକାଲି ସକାଳେ ନୀତିକାନ୍ତି ପରେ ପୁଣି ରୁକୁଣା ରଥ ଟଣାଯିବ ବୋଲି ସୂଚନା ଦିଆଯାଇଛି।

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି ରଥଟଣା। ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଥିଲା। କିନ୍ତୁ ଆଜି ପ୍ରାୟ ସାଢେ ୫ଟା ୫.୨୫ ବେଳେ ରଥଟଣା ଆରମ୍ଭ ହୋଇଥିଲା। ହରିବୋଲ, ହୁଳହୁଳି ଏବଂ ହରହର ମହାଦେବ ଧ୍ବନୀ ସମେତ ଘଣ୍ଟଘଣ୍ଟା ବାଦ୍ୟରେ ସୃଷ୍ଟି ହୋଇଥିଲା ଅଧ୍ୟାତ୍ମିକ ପରିବେଶ। ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହିତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍ଗ ରୁକୁଣା ରଥ ଟାଣିଥିଲେ। ରୁକୁଣା ରଥ ଟାଣି ଭାବବିହ୍ବଳ ହୋଇଥିଲେ ଭକ୍ତ। ରଥ ଉପରେ ଭକ୍ତଙ୍କୁ ଶ୍ରୀଲିଙ୍ଗରାଜ ଦର୍ଶନ ଦେଉଛନ୍ତି। ଯେଉଁଠାରେ ରଥ ଅଟକୁ ଥିଲା ସେଠାରେ ମଧ୍ୟ ଶ୍ରଦ୍ଧାଳୁମାନେ ନଡ଼ିଆ, କଦଳି, ଧୂପଦୀପ ଦେଇ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ୨ଘଣ୍ଟା ବିଳମ୍ବରେ ରୁକୁଣା ରଥ ଟଣା ଆରମ୍ଭ ହୋଇଥିବାବେଳେ ବଢ଼େଇବାଙ୍କ ଛକରେ ଶ୍ରୀଲିଙ୍ଗରାଜଙ୍କ ଅଟକିଥିଲା। ଆସନ୍ତାକାଲି ପୁଣି ଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଭକ୍ତଙ୍କ ଗହଣରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ରଥ ପ୍ରତିଷ୍ଠା ପାଇଁ ଶୁକ୍ରବାର ରାତିରେ ମରିଚି କୁଣ୍ଡରୁ ପାଣି ଆସିଥିଲା। ଏହାସହିତ କ୍ଷେତ୍ରବାସୀ ନିଯୋଗ ଉପସ୍ଥିତ ରହି ରାତିରେ ରଥ ପ୍ରତିଷ୍ଠା କରିଥିଲେ। ରଥ ଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ନୀତି ନିର୍ଘଣ୍ଟ ଅନୁସାରେ, ଭୋର ୫ଟାରୁ ୫ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ଭୋର ସାଢ଼େ ୫ଟାରୁ ସକାଳ ୬ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ, ରୋଷ ହୋମ ଓ ପାକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସାଢ଼େ ୬ରୁ ୭ଟା ମଧ୍ୟରେ ଛାମୁ ପରିଷ୍କାର କରାଯାଇଥିଲା। ସେହିପରି ମହାପ୍ରଭୁଙ୍କ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ସକାଳ ୭ଟାରୁ ୮ଟା ମଧ୍ୟରେ ସମ୍ପାଦିତ ହୋଇଥିଲା। ଶ୍ରୀଜୀଉଙ୍କ ସକାଳ ଧୂପ ସକାଳ ୮ଟାରୁ ୯ଟା ୧୫ ମଧ୍ୟରେ କରାଯାଇଥିଲା। ଯାତ୍ରାପୂଜା, ଶ୍ରୀଜୀଉଙ୍କ ପହଣ୍ଡି ଓ ରଥାରୂଢ଼ ନୀତିରେ ବିଳମ୍ବ ହୋଇଥିଲା। ଫଳରେ ନିର୍ଦ୍ଧାରିତ ନୀତିର ୨ ଘଣ୍ଟା ବିଳମ୍ବରେ ରଥରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଏବଂ ଏହାପରେ ରଥଟଣା ଆରମ୍ଭ ହୋଇଥିଲା।

Comments are closed.