ଉତ୍ତରାଚଣ୍ଡୀ ପୀଠରେ ଝାମୁ ଯାତ୍ରା

ଆଠଗଡ: ପବିତ୍ର ଚୈତ୍ର ଶୁକ୍ଳ ଅଷ୍ଟମୀ ତଥା ଅଶୋକାଷ୍ଟମୀ ତିଥି ଅବସରରେ ମା’ ଉତ୍ତରାଚଣ୍ଡୀଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଚଣ୍ଡୀ ପୀଠରେ ଏହି ଝାମୁ ଯାତ୍ରା ୧୯୭୨ ମସିହାରୁ ଆଜି ପର୍ଯ୍ୟନ୍ତ ୫୮ ବର୍ଷ ଧରି ଚାଲିଆସୁଛି। ଆରମ୍ଭ ସମୟରେ ପ୍ରଥମେ ପ୍ରଥମେ ମାତ୍ର ଜଣେ ବା ଦୁଇଜଣ ମାନସିକଧାରୀ ଝାମୁ ଅଗ୍ନିରେ ଚାଲି ମାନସିକ ପୁରଣ କରୁଥିବା ବେଳେ ଏବେ ଏହାର କଳେବର ବଢ଼ି ୧୦ ଜଣ ମାନସିକଧାରୀ ଅଗ୍ନିରେ ଚାଲି ମାନସିକ ପୁରଣ କରିଛନ୍ତି ।
ଶୁକ୍ରବାର ଉପବାସ ବ୍ରତଧାରୀ ଭକ୍ତମାନେ ‘ମା’ ଉତ୍ତରାଚଣ୍ଡୀ ମନ୍ଦିରକୁ ଆସି ପୂଜା କରି ଗୁହାରିଆ ପଡିଥିଲେ । ଶନିବାର ସକାଳ ସମୟରେ ଦ୍ବାରିକା ଓ ମଙ୍ଗଳ ଆଳତୀ ପୂଜକ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଦ୍ବାରା ସମାପନ ହେବା ପରେ ମଧ୍ୟାହ୍ନ ସମୟରେ ପୁଜକ ମନୋରଞ୍ଜନ ମହାପାତ୍ରଙ୍କ ଦ୍ୱାରା ଯଜ୍ଞ ଅନୁଷ୍ଠିତ ହୋଇଥିଲା। କାଳେସି ଉକ୍ତ ଯଜ୍ଞ କୁଣ୍ଡରୁ ଅଗ୍ନି ନେଇ ଝାମୁ ପଡ଼ିଆରେ କୋଇଲା ଓ ନଡ଼ା ଦ୍ବାରା ପୁର୍ଣ୍ଣ ହୋଇଥିବା ଝାମୁ ଗାତରେ ସଂଯୋଗ କରିବା ସହିତ ମାନସିକ ବ୍ରତଧାରୀ ଝାମୁଆମାନଙ୍କୁ ସାଙ୍ଗରେ ନେଇ ଭାଗୀରଥି ସାଗରରେ ସ୍ନାନ କରି ଝାମୁ ପଡିଆକୁ ଏକ ଶୋଭାଯାତ୍ରାରେ ଫେରିଥିଲେ। ଫେରିବା ସମୟରେ ସର୍ପେଶ୍ବର ଛକଠାରେ ସାଙ୍ଗରେ ନେଇଥିବା ପଣା ଚଣ୍ଡୀ ଚାମୁଣ୍ଡା ମାନଙ୍କୁ ପ୍ରଦାନ କରିଥିଲେ। ମନ୍ଦିର ପରିସରରେ ଝାମୁ ଗାତରେ ଜଳୁଥିବା ରଡ ନିଆଁରେ ମାନସିକ ବ୍ରତଧାରୀମାନେ ଚାଲିବା ସମୟରେ ହଜାର ହଜାର ଭକ୍ତଙ୍କ ହରିବୋଲ ଓ ହୁଳହୁଳି ରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି ଝାମୁ ଯାତ୍ରା ଦେଖିବାକୁ ଆଠଗଡ ସହର ସମେତ ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
Comments are closed.