ସ୍ୱାସ୍ଥ୍ୟ ଜଗିବ ଆୟୁଷ୍ମାନ, ଏପ୍ରିଲ ୧୧ରୁ କଟକରେ ହେବ ଶୁଭାରମ୍ଭ

ଡେସ୍କ: ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା। ଏଥିଲାଗି ସରକାରୀ ସ୍ତରରେ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି। ଆଜି (ଶନିବାର) ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, କଟକ ବାଲିଯାତ୍ରା ପଡ଼ିଆରେ ଆସନ୍ତା ୧୧ ତାରିଖରେ ଏକ ଭବ୍ୟ ଉତ୍ସବରେ ଏହି ଯୋଜନାର ଶୁଭାରମ୍ଭ ହେବ ଓ ସ୍ୱାସ୍ଥ୍ୟ କାର୍ଡର ଲୋକାର୍ପଣ କରାଯିବ।
ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ। ଲୋକାର୍ପଣ ଉତ୍ସବରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ଏବଂ କଟକ ଜିଲ୍ଲାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। ଏହାର ପ୍ରମୁଖ ବିଷୟଗୁଡିକ ହେଉଛି…- ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୫୦ ଲକ୍ଷ ସଦସ୍ୟ ସାମିଲ ହେବେ।
– ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରାଜ୍ୟ ଓ ରାଜ୍ୟ ବାହାରେ ୯୯୦ଟି ହସ୍ପିଟାଲ ସହ ଅନୁବନ୍ଧିତ ଥିବା ବେଳେ, ନୂଆ ସ୍ୱାସ୍ଥ୍ୟ କାର୍ଡ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ।
– ରାଜ୍ୟର ସବୁ ବର୍ଗର ୭୦ ବର୍ଷରୁ ଅଧିକ ନାଗରିକଙ୍କୁ ‘ବୟୋ ବନ୍ଦନା’ କାର୍ଡ ଦିଆଯିବ।
– ଏହି ‘ବୟୋ ବନ୍ଦନା’ କାର୍ଡ ଅନଲାଇନ ଜରିଆରେ ଡାଉନଲୋଡ଼ କରାଯାଇପାରିବ କିମ୍ବା ଆଶା କର୍ମୀମାନେ ଘରକୁ ଘର ବୁଲି ପ୍ରଦାନ କରିବେ।
– ଆୟୁଷ୍ମାନ କାର୍ଡ ପରିବାର ପିଛା ଗୋଟିଏ ପରିବର୍ତ୍ତେ ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଦାନ କରାଯିବ।
– ଏହି ଯୋଜନାରେ ରାଜ୍ୟ ସରକାର ଅଧିକ ଅର୍ଥ କେନ୍ଦ୍ର ଠାରୁ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି।
– ଏହି କାର୍ଡରେ ସମ୍ପୂର୍ଣ୍ଣ ଦେୟମୁକ୍ତ ଚିକିତ୍ସା ସେବା ମିଳିପାରିବ।
– ପୁରୁଣା ସ୍ୱାସ୍ଥ୍ୟ କାର୍ଡରେ ଅନୁବନ୍ଧିତ ହସ୍ପିଟାଲ ଗୁଡିକ ମଧ୍ୟ ଏହି କାର୍ଡରେ ଅନୁବନ୍ଧିତ ହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।
– ଏଥିରେ ଅନଲାଇନ ନିରୀକ୍ଷଣ ଓ ଯାଞ୍ଚ ବ୍ୟବସ୍ଥା ରଖାଯିବ।
– ଏହି କାର୍ଡର ପ୍ରଚାର ପ୍ରସାର ପାଇଁ କାର୍ଡ ଆରମ୍ଭ ହେବା ଦିନ ରାଜ୍ୟର ୧୪୦୭ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଡ ବଣ୍ଟନ କରାଯିବ।
– ଏପ୍ରିଲ ୧୧ରେ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ବଣ୍ଟନ କରାଯିବ କାର୍ଡ।
– ପ୍ରତିଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ସଚେତନତା ରଥ ଏପ୍ରିଲ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଡ ବିଷୟରେ ସଚେତନତା ସୃଷ୍ଟି କରିବ।
– ନୂଆ କାର୍ଡ ମିଳିବା ପର୍ଯ୍ୟନ୍ତ ଆଧାର କାର୍ଡ ମାଧ୍ୟମରେ ଦେୟମୁକ୍ତ ଚିକିତ୍ସା ସେବା ମିଳିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
Comments are closed.