ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଘଟଣାକୁ ନିନ୍ଦା କରିବ ସହ ବିଜେପି ସରକାର ଓ ପୁଲିସ ପ୍ରଶାସନକୁ ନିଶାଣ କରିଛନ୍ତି ନବୀନ ।
ଗତକାଲି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟଙ୍କ ଫାର୍ମ ହାଉସରେ ଦଳର କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ଆକ୍ରମଣ ହୋଇଥିଲା । ଆକ୍ରମଣ ପଛରେ ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ ଥିବା ଅଭିଯୋଗ ପରେ ତୀବ୍ର ରାଜନୈତିକ ରୂପ ନେଇଛି । ଆକ୍ରମଣ ରେ ୧୯ ଜଣ ଆହତ ହେବା ସହ ୪ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣାରେ ଗତକାଲି ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳର କର୍ମୀ ଧାରଣା ଦେଇଥିଲେ । ସେହିପରି ଯାଜପୁର ଜିଲ୍ଲା ଜେନାପୁର ଥାନାରେ ବିଧାୟକଙ୍କ କର୍ମୀ ଓ ସମର୍ଥକ ରାତିସାର ଧାରଣା ଦେଇଥିଲେ । ନବୀନ ଏନେଇ ସାମାଜିକ ଗଣମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପାଇଁ ଦାବି କରିଛନ୍ତି ।
ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ,ଦିନ ଦ୍ଵିପହରେ ଏହି ଘଟଣା ଘଟିଥିଲେ ବି ପୁଲିସ ପ୍ରଶାସନ ଓ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏ ପର୍ଯ୍ୟନ୍ତ କାହା ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ରାଜ୍ୟରେ ଅରାଜକତା ଓ ଗୁଣ୍ଡରଜକୁ ବିଜେପି ସରକାର ପ୍ରଶ୍ରୟ ଦେଇ କ’ଣ ଦର୍ଶାଇବାକୁ ଚାହୁଁଛି ? ଶାନ୍ତିପ୍ରିୟ ଓଡିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ । ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ଦାବି କରିଛନ୍ତି ।



