www.samajalive.in
Monday, December 15, 2025
24.1 C
Bhubaneswar

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ

କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ ତାରକା ଖେଳାଳି ଲିଓନେଲ ମେସିଙ୍କ ଉପସ୍ଥିତି ଏକ ଐତିହାସିକ ଉତ୍ସବ ହୋଇପାରିଥାନ୍ତା। ଫୁଟବଲକୁ ନିଜର ପରିଚୟ ମନେ କରୁଥିବା ଏହି ସହର ପାଇଁ ଏହା ଥିଲା ଏକ ଗର୍ବର ମୁହୂର୍ତ୍ତ; କିନ୍ତୁ ବାସ୍ତବରେ ଯାହା ଘଟିଲା, ତାହା କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି। ମେସିଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଟିକଟ କିଣି ଷ୍ଟାଡିୟମରେ ପହଞ୍ଚିଥିଲେ; କିନ୍ତୁ ସେମାନଙ୍କ ଭାଗ୍ୟରେ କେବଳ ଦୂରରୁ ଝଲକଟିଏ ଦେଖିବା ହିଁ ସାର ହେଲା। ମେସିଙ୍କ ପାଖରେ କେବଳ କିଛି ଆୟୋଜକ, ମନ୍ତ୍ରୀ ଏବଂ ନିମନ୍ତ୍ରିତ ଅତିଥିଙ୍କ ଭିଡ଼ ଜମିଥିଲା। ସାଧାରଣ ଦର୍ଶକଙ୍କଠାରୁ ଏହି ମୁହୂର୍ତ୍ତକୁ ଯେପରି ହାଇଜାକ୍ କରି ନିଆଯାଇଥିଲା।
ଏହା କେବଳ ଏକ କାର୍ଯ୍ୟକ୍ରମ ବିଳମ୍ବ ହେବା କିମ୍ବା କଡ଼ା ସୁରକ୍ଷା ବ୍ୟବସ୍ଥାର ପ୍ରସଙ୍ଗ ନୁହେଁ। ଏହା ହେଉଛି ଏକ ସାର୍ବଜନୀନ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ପ୍ରତି ଅବହେଳା। ଷ୍ଟାଡିୟମ କୌଣସି ବିବାହ ମଣ୍ଡପ ବା ବ୍ୟକ୍ତିଗତ ପାର୍ଟିର ସ୍ଥାନ ନୁହେଁ; ଏହା ଏମିତି ଏକ ସ୍ଥାନ ଯେଉଁଠାରେ ହଜାର ହଜାର ଲୋକ ଏକାଠି ହୋଇ ଗୋଟିଏ ମୁହୂର୍ତ୍ତକୁ ଉପଭୋଗ କରନ୍ତି। ଆୟୋଜକମାନଙ୍କର ଦାୟିତ୍ୱ କେବଳ ଭିଡ଼ ନିୟନ୍ତ୍ରଣ କରିବାରେ ସୀମିତ ନୁହେଁ। ଦର୍ଶକଙ୍କୁ ସ୍ପଷ୍ଟ ସୂଚନା ଦେବା ଏବଂ ପ୍ରତିଶ୍ରୁତି ମୁତାବକ ଅନୁଭୂତି ଯୋଗାଇଦେବା ସେମାନଙ୍କର କର୍ତ୍ତବ୍ୟ; କିନ୍ତୁ ସଲ୍ଟ ଲେକ୍‌ରେ ଦର୍ଶକମାନେ ନିଜକୁ ପ୍ରତାରିତ ମନେକଲେ।
ଏଭଳି ଘଟଣା ପରେ ସମସ୍ତ ଦୋଷ ‘ଉତ୍ତ୍ୟକ୍ତ ଜନତା’ଙ୍କ ଉପରେ ଲଦିଦେବା ଖୁବ୍ ସହଜ; କିନ୍ତୁ ଏହା ସମସ୍ୟାର ପ୍ରକୃତ କାରଣ ନୁହେଁ। ଜନତା କେବେବି ଅକାରଣରେ ହିଂସ୍ର ହୁଅନ୍ତି ନାହିଁ। ଯେତେବେଳେ ସେମାନେ ଦେଖନ୍ତି ଯେ ନିୟମ କେବଳ ସେମାନଙ୍କ ପାଇଁ କଡାକଡି; କିନ୍ତୁ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ନିୟମ କୋହଳ କରାଯାଉଛି, ସେତେବେଳେ ଧୈର୍ଯ୍ୟଚ୍ୟୁତି ଘଟେ। ଟଙ୍କା ଖର୍ଚ୍ଚ କରି ମଧ୍ୟ ଉପଯୁକ୍ତ ସମ୍ମାନ ନ ମିଳିଲେ ଅସନ୍ତୋଷ ସୃଷ୍ଟି ହେବା ସ୍ୱାଭାବିକ। ପୁଲିସ ଦ୍ୱାରା ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସୂଚାଉଛି ଯେ ପ୍ରଶାସନ ମଧ୍ୟ ଆୟୋଜନରେ ତ୍ରୁଟି ଥିବା ସ୍ୱୀକାର କରିଛି।
ଭାରତୀୟ କ୍ରୀଡ଼ା ଇତିହାସରେ କଲକାତାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏଠାକାର ଫୁଟବଲ ପ୍ରେମ ହେଉଛି ପିଢ଼ି ପରେ ପିଢ଼ିର ଏକ ଆବେଗ। ଏଭଳି ପରିବେଶରେ ଜଣେ ବିଶ୍ୱ ତାରକାଙ୍କୁ ଡାକି ସାଧାରଣ ଜନତାଙ୍କୁ ଅଣଦେଖା କରିବା କେବଳ ଖରାପ ପରିଚାଳନା ନୁହେଁ ବରଂ ଜନତାଙ୍କ ଭାବନା ପ୍ରତି ଅସମ୍ମାନ। ଆୟୋଜକମାନେ ବୁଝିବା ଦରକାର ଯେ ଜନତାଙ୍କ ଆବେଗକୁ ପୁଞ୍ଜିକରି ବ୍ୟବସାୟ କରାଯାଇପାରେ; କିନ୍ତୁ ସେମାନଙ୍କ ସ୍ୱାଭିମାନ ସହ ଖେଳାଯାଇ ପାରିବ ନାହିଁ। ନିଶ୍ଚିତ ଭାବରେ, ମେସିଙ୍କ ଭଳି ତାରକାଙ୍କ ପାଇଁ ସୁରକ୍ଷା ଅତ୍ୟନ୍ତ ଜରୁରୀ; କିନ୍ତୁ ସୁରକ୍ଷା ନାଁରେ ‘ଭିଆଇପି ସଂସ୍କୃତି’କୁ ପ୍ରୋତ୍ସାହନ ଦେବା ଗ୍ରହଣୀୟ ନୁହେଁ। ଭବିଷ୍ୟତରେ ଏଭଳି ଆୟୋଜନ ହେଲେ ସ୍ୱଚ୍ଛତା ରହିବା ଆବଶ୍ୟକ। ଟିକଟ କିଣୁଥିବା ଦର୍ଶକ କ’ଣ ସୁବିଧା ପାଇବେ, ତାହା ଆଗୁଆ ଜଣାଇବା ଦରକାର। ଯଦି କାର୍ଯ୍ୟକ୍ରମଟି କେବଳ ପ୍ରାୟୋଜକ ଏବଂ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ, ତେବେ ସାଧାରଣ ଲୋକଙ୍କୁ ମିଛ ଆଶା ଦେବା ଅନୁଚିତ୍। କଲକାତାର ଘଟଣା ଆମକୁ ଶିକ୍ଷା ଦେଉଛି ଯେ, କ୍ରୀଡ଼ାରେ ଆବେଗ ଥାଇପାରେ; କିନ୍ତୁ ଆୟୋଜନରେ ସମ୍ମାନ ଓ ସ୍ୱଚ୍ଛତା ରହିବା ନିହାତି ଜରୁରୀ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories