www.samajalive.in
Monday, December 15, 2025
27.1 C
Bhubaneswar

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଶହେରୁ ଊର୍ଦ୍ଧ୍ବ ଥର ମିଛ କଥା କହି ସାରିଲେଣି ବୋଲି ନିକଟ ଅତୀତରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ରାଜନେତାମାନେ ଏମିତି ବେଳେ ବେଳେ ହଟଚମଟ ସୃଷ୍ଟି କରିବା ପାଇଁ ମିଛ କହିଦେଇ ପର ମୁହୂର୍ତ୍ତରେ ଏହାକୁ ଫାଙ୍କି ଦେଉଥିବାର ବହୁ ନଜିର ଅଛି। ନଚେତ ତାଙ୍କ ବକ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ବୋଲି କହି ସବୁ ଦୋଷ ଗଣମାଧ୍ୟମ ଉପରକୁ ଫୋପାଡ଼ି ଦେବାର ଦୁଃସାହସ ମଧ୍ୟ ଏମାନଙ୍କ ଭିତରୁ କେତେଜଣଙ୍କର ଥାଏ। ଭାଗ୍ୟ ଭଲ, ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ନେତାମାନଙ୍କର ମିଛ କିନ୍ତୁ ଅନେକ ସମୟରେ ସହଜରେ ଧରା ପଡ଼ିଯାଉଛି। କେବଳ ନେତାମାନେ ଯେ ମିଛ କୁହନ୍ତି ତା’ ନୁହେଁ, ଅନେକ ସମୟରେ ସାଧୁ ସନ୍ଥଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକ ପର୍ଯ୍ୟନ୍ତ ଅନେକ ସମୟରେ ମିଛ କହିଥାନ୍ତି। କିଏ ପରିସ୍ଥିତିରେ ପଡ଼ି ମିଛ କୁହେ ତ କିଏ ନିଜ ସ୍ୱାର୍ଥର ପରିପୂରଣ ପାଇଁ ମିଛ କୁହେ। ମହାଭାରତ ଯୁଦ୍ଧରେ ଧର୍ମରାଜ ଯୁଧିଷ୍ଠିର ଥରୁଟିଏ ମିଛ କହିଥିଲେ, ଯେଉଁଥିପାଇଁ ତାଙ୍କୁ ଓଳିଏ ପାଇଁ ହେଉ ପଛେ ନର୍କ ଦଣ୍ଡ ଭୋଗିବାକୁ ପଡ଼ିଥିବାର ପ୍ରବାଦ ରହିଛି।
ସାଧାରଣ ଲୋକଟିଏ ଅନେକ ସମୟରେ ନିଜକୁ ସୁବିଧାଜନକ ପରିସ୍ଥିତିରେ ରଖିବାକୁ ଯାଇ ମିଛ କୁହେ। ଧାର ଦେଇଥିବା ବ୍ୟକ୍ତି ଜଣକ ପଇସା ମାଗିବାକୁ ଘରକୁ ଆସିଲେ ଧାର ନେଇଥିବା ବ୍ୟକ୍ତି ଜଣକ ଘରେ ଥିଲେ ବି ଝିଅକୁ କହି ପଠାଏ – ଯା’ କହିବୁ, ବାପା ଘରେ ନାହାନ୍ତି। କାର୍ଯ୍ୟାଳୟ ଛାଡ଼ି କାହାକୁ ନ କହି ବାହାରେ ବୁଲୁଥିବା ବେଳେ ଯଦି ଦୈବାତ ଉପରିସ୍ଥ ଅଧିକାରୀଙ୍କ ଠାରୁ “ଆପଣ କେଉଁଠି ଅଛନ୍ତି କି?’’ ବୋଲି ଯଦି ଫୋନ ଆସିଲା ତେବେ ‘‘ଆଜ୍ଞା, ମୁଁ ପରା ଅଫିସ ଭିତରେ ଅଛି। ଶୀଘ୍ର ଯାଇ ପହଞ୍ଚୁଛି’’ ବୋଲି ମିଛ କହିଦିଆଯାଏ। ମଣିଷ ଆଗେ ଯାହା ଅଳପ ଅଳପ ମିଛ କହୁଥିଲା; କିନ୍ତୁ ଯେଉଁଦିନଠୁଁ ମୋବାଇଲର ବ୍ୟାପକ ବ୍ୟବହାର ହେଲାଣି ସେଇ ଦିନଠୁଁ ମଣିଷ ଅଧିକ ମିଛୁଆ ହୋଇଗଲାଣି। ମୋବାଇଲକୁ ଅନେକ ଏବେ “ମିଛକୁହା ଯନ୍ତ୍ର’’ ନାମରେ ନାମିତ କଲେଣି।
ମିଛର ପସରା ଏବେ ଅନ୍ୟ ସ୍ଥାନ ଅପେକ୍ଷା ଥାନାରେ ବେଶି ଦେଖାଯାଉଛି। ଦେଶର ଯେଉଁ ଥାନାକୁ ଯିବେ ସେଠି ବି ଗଦା ଗଦା ମିଛ ମାମଲାର ପସରା ଦେଖିବେ ଆପଣ। ବୋହୂ ଶାଶୂ ନାଁରେ ତ ବଡ଼ ଭାଇ ସାନ ଭାଇ ନାଁରେ। ଏ ନେତା ସେ ବିରୋଧୀ ଗୋଷ୍ଠୀର ନେତାଙ୍କ ନାଁରେ ତ ପଡ଼ୋଶୀ ତା’ ପାଖ ପଡ଼ୋଶୀ ନାଁରେ -ଏମିତି କେତେ ରକମର ମିଛ ମାମଲା ଥାନାରେ ଗଡ଼ୁଥିବ।
ମିଛର ସାନ ଭାଇଟିଏ ଅଛି। ତା’ ନାଁ ହେଉଛି ଚୁଗୁଲି। ମିଛ କହୁଥିବା ଲୋକଟି ଯେତିକି ମାରାତ୍ମକ ନୁହେଁ, ନିଜ ସ୍ୱାର୍ଥ ପାଇଁ ଅନ୍ୟ ପାଖରେ ଚୁଗୁଲି କରୁଥିବା ଏଇ ଭୟଙ୍କର ବ୍ୟକ୍ତିମାନେ ଢେର ମାରାତ୍ମକ। ଚୁଗୁଲିଆ ଗୁଣକୁ ଠଉରାଇ ସାରିବା ପରେ ଆପଣ ଯଦି ଉକ୍ତ ବ୍ୟକ୍ତିକୁ ପୁଣି ପାଖରେ ପୂରାଇଲେ, ତେବେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ସାର ହେଲା ବୋଲି ଜାଣିବେ।
ମିଛକୁ ନେଇ ଓଡ଼ିଆରେ ଏକ ସୁନ୍ଦର ପ୍ରବାଦଟିଏ ଅଛି – ‘‘ଥରେ କହିଦେଲେ ମିଛ, ମିଛ ଲାଗିଥିବ ପଛକୁ ପଛ।’’ ମିଛକୁ ଘୋଡ଼ାଇବା ପାଇଁ ଦରକାର ପଡ଼େ ଆଉ ଏକ ମିଛ; କିନ୍ତୁ ସତ୍ୟ ସବୁବେଳେ ସତ୍ୟ। ସତ୍ୟ କେବେ ବି ମିଛକୁ ନିଜ ଠାରେ ସ୍ଥାନ ଦିଏନି; କିନ୍ତୁ ମିଛର ଅଜାଣତରେ ସତ୍ୟ କିନ୍ତୁ ତା’ ଭିତରେ ଚକାପକାଇ ବସିଥାଏ। ସେଥିପାଇଁ ତ ମିଛ ସହଜରେ ଧରାପଡ଼ିଯାଏ। ମିଛ କେବେ ଏକୁଟିଆ ଯାତ୍ରା କରିପାରିବନି। ତା’ର ପଟୁଆର ଦରକାର। କାରଣ ହେଉଛି- ଭୟ; କିନ୍ତୁ ସତ୍ୟ, ସେ ଏକୁଟିଆ ସିଂହ। କାହାର ସାହାରା ଲୋଡ଼ା ପଡ଼େନି ତା’ର। ସେଥିପାଇଁ ବାୟା ବାବା କହିଲେ –
‘‘ମିଥ୍ୟା ପିନ୍ଧିଥାଏ ବସନ/ ସତ୍ୟ ଥାଏ ଉଲଗ୍ନ।
ମିଥ୍ୟାର ଅନେକ ଥାଆନ୍ତି /ସତ୍ୟ ଜଣିଏ ଜନ।’’
ସେଥିପାଇଁ ପାଠକେ! ଯିଏ ମିଛ କହୁଛି କହୁ, ଯିଏ ଅଗୋଚରରେ ଚୁଗୁଲି କରୁଛି କରୁ। ଏଗୁଡିକ ସବୁ କୁତ୍ସିତ ମାନସିକତା। ମିଛ ମାମଲାକରି ଅନ୍ୟକୁ ଫସାଉଥିବା ଦୁବୃତ୍ତ ଜଣକ ଚିନ୍ତାକରୁ ଯେ ‘କଣ୍ଟାକୁ କଣ୍ଟାରେ କାଢ଼ିବା’ ନ୍ୟାୟରେ ତା ନାଁରେ ବି ମିଛ ମାମଲା ଦିଆଯାଇପାରେ। ଚୁଗୁଲି କରୁଥିବା ବ୍ୟକ୍ତି ଯେ ଏକୁଟିଆ ସେ କାମ କରିବା ପାଇଁ ଠିକା ନେଇଛି ତା’ ନୁହେଁ, ଈଶ୍ୱର ଦଣ୍ଡ ଦେବାକୁ ଯାଇ ତା’ ନାଁରେ ବି କେବେ କିଏ ଚୁଗୁଲି କରିଦେଇପାରେ।
ସୁତରାଂ ମିଛ ବା ଚୁଗୁଲିର ବାଟ ଆଦୌ ପ୍ରଶସ୍ତ ନୁହେଁ। ଏ ସଡ଼କରେ ବାଟ ଚାଲିଲେ ଆଜି ହେଉ ବା କାଲି, ଭୟଙ୍କର ଦଣ୍ଡ ମିଳେ। ଏ ଦଣ୍ଡରୁ ଆଜି ପର୍ଯ୍ୟନ୍ତ କେହି ବି ଖସି ଯାଇପାରିନାହାନ୍ତି। ସ୍ୱୟଂ ଧର୍ମରାଜ ଯୁଧିଷ୍ଠିର ବି !
ଶ୍ରୀସନ୍ନ୍ୟାସୀ ଜୀ, କଟକ

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories