ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ କୁମାର ଗୋୟଲ ଆଜି ଦେଶର ମୁଖ୍ୟ ସୂଚନା ଆୟୁକ୍ତ ଭାବରେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।
ଦେଶର ମୁଖ୍ୟ ସୂଚନା ଅଧିକାରୀ(ସିଆଇସି) ଭାବେ ଶପଥ ନେଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ରାଜ କୁମାର ଗୋୟଲ । ଶ୍ରୀ ଗୋୟଲଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି । ଗତ ସେପ୍ଟେମ୍ବର ୧୩ ତାରିଖରେ ହୀରାଲାଲ ସମରିଆଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ୟାନେଲ ଗତ ସପ୍ତାହରେ ଶ୍ରୀ ଗୋୟଲଙ୍କ ନାମ ସୁପାରିଶ କରିଥିଲେ ।
ଶ୍ରୀ ଗୋୟଲ ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ-କେନ୍ଦ୍ରଶାସିତ ଅଞ୍ଚଳ (ଏଜିଏମୟୁଟି) କ୍ୟାଡରର ୧୯୯୦ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ସେ ଅଗଷ୍ଟ ୩୧ ତାରିଖରେ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ନ୍ୟାୟ ବିଭାଗର ସଚିବ ଭାବରେ ଅବସର ଗ୍ରହଣ କରିଥିଲେ । ସେ ଗୃହ ମନ୍ତ୍ରଣାଳୟରେ ସଚିବ (ସୀମା ପରିଚାଳନା) ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ଓ ପୂର୍ବତନ ଜମ୍ମୁ ଓ କାଶ୍ମୀର ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ଶ୍ରୀ ଗୋୟଲ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ଗୋୟଲଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ ।



