ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ କହିଛନ୍ତି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି । କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି, କିନ୍ତୁ ମୋ ବିଚାରଧାରା କଂଗ୍ରେସ ସହ ଅଛି । ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି । କଂଗ୍ରେସ ସହ ଅଛି, ଥିଲି ଏବଂ ରହିବି । ଦଳକୁ ମୁଁ ଆଇନା ଦେଖାଇବାର ସାହସ ରଖିଛି । ରାହୁଲ ଗାନ୍ଧୀ ଆମର ସର୍ବୋଚ୍ଚ ନେତା, ସେ ଭୁଲ କଲେ ବି କହିବାର ଅଧିକାର ଅଛି ।
ରାହୁଲ ସବୁବେଳେ କୁହନ୍ତି ଡର ନାହିଁ, ନିଜର ପକ୍ଷ ରଖ । ସେଥିପାଇଁ ନଡରି ନିଜର ମତ ରଖିଥିଲି । ମୋ ବିଚାରଧାରାକୁ କଂଗ୍ରେସକୁ କେହି ଦୂରେଇ ପାରିବେନି । ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଦଳକୁ ଆଇନ ଦେଖାଇବାରୁ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି, ଏହାକୁ ଗ୍ରହଣ କରୁଛି ।
ତେବେ କଂଗ୍ରେସରୁ ବହିଷ୍କୃତ ହେବା ପରେ ବି ରାଜନୀତି ଜାରି ରଖିବେ ଏବଂ କଟକରେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ମୋକିମ୍ । ୨୪ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ । ମୋକିମ୍ କହିଛନ୍ତି ଯେ ସମର୍ଥକ, ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି । ଯାହା ଚିଠିରେ କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ ।



