www.samajalive.in
Monday, December 15, 2025
27.1 C
Bhubaneswar

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ

ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ କିଣିବା ପ୍ରତ୍ୟେକ ସାଧାରଣ ପରିବାରର ଏକ ବହୁତ ବଡ଼ ସ୍ୱପ୍ନ। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଜମି କିଣାବିକା ସମୟରେ ସରକାରୀ ଦର ବା ‘ବେଞ୍ଚମାର୍କ ଭାଲ୍ୟୁ’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କାରଣ ଏହି ସରକାରୀ ମୂଲ୍ୟ ଉପରେ ନିର୍ଭରକରି ଜଣେ ଗ୍ରାହକଙ୍କୁ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଖର୍ଚ୍ଚ ଦେବାକୁ ପଡିଥାଏ । ରାଜ୍ୟ ସରକାର ‘ଓଡ଼ିଶା ଷ୍ଟାମ୍ପ ଡ୍ୟୁଟି (ସଂଶୋଧନ) ନିୟମାବଳୀ-୨୦୨୫’ ଲାଗୁ କରିବାକୁ ଯାଉଛନ୍ତି, ଯାହା ମାଧ୍ୟମରେ ଜମି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାକୁ ଅଧିକ ନିୟମିତ ଓ ସମୟାନୁବର୍ତ୍ତୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ପ୍ରଶ୍ନ ଉଠୁଛି, ଏହି ନୂତନ ବ୍ୟବସ୍ଥା ଦ୍ରୁତ
ଅଭିବୃଦ୍ଧି କରୁଥିବା ସହରାଞ୍ଚଳରେ ସାଧାରଣ ନାଗରିକଙ୍କ ଉପରେ ଅଧିକ ଆର୍ଥିକ ବୋଝ ପକାଇବ ନାହିଁ ତ?
ନୂତନ ବ୍ୟବସ୍ଥା ଅନୁଯାୟୀ, ଏବେ ପ୍ରତି ଦୁଇ ବର୍ଷରେ ଥରେ ଜମିର ବଜାର ମୂଲ୍ୟ ସଂଶୋଧନ କରାଯିବ। ସହରାଞ୍ଚଳରେ ପ୍ରଥମ ବର୍ଷ ପରେ ସ୍ୱତଃପ୍ରବୃତ୍ତ ଭାବେ ମୂଲ୍ୟରେ ୫% ବୃଦ୍ଧି କରାଯିବା ବ୍ୟବସ୍ଥା ରହିଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ମୂଲ୍ୟ ସଂଶୋଧନ କରା ନ ଯାଏ, ତେବେ ଜିଲାସ୍ତରୀୟ ମୂଲ୍ୟାୟନ କମିଟିର ଅଧ୍ୟକ୍ଷ ତଥା ଜିଲାପାଳ ଚାହିଁଲେ ଶେଷ ବର୍ଷ ପାଇଁ ୧୦% ପର୍ଯ୍ୟନ୍ତ ଦର ବୃଦ୍ଧି କରିପାରିବେ। ତେବେ ଯେଉଁ ଗ୍ରାମଗୁଡ଼ିକରେ ଜମି କିଣାବିକା ହେଉନାହିଁ, ସେଠାରେ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହେବ ନାହିଁ ବୋଲି ପ୍ରସ୍ତାବ ରହିଛି। ସରକାରଙ୍କ ଏହି ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ଯୁକ୍ତିଯୁକ୍ତ। ଅନେକ ସମୟରେ ଅଡିଟ୍ ରିପୋର୍ଟରୁ ଜଣାପଡ଼େ ଯେ, ସରକାରୀ ଦର ସଂଶୋଧନରେ ବିଳମ୍ବ ହେଲେ ବଜାରର ବାସ୍ତବ ଦର ଓ ରେଜିଷ୍ଟ୍ରେସନ୍ ଦର ମଧ୍ୟରେ ବହୁତ ତାରତମ୍ୟ ରହେ, ଯାହାଦ୍ୱାରା ରାଜକୋଷକୁ କ୍ଷତି ସହିବାକୁ ପଡ଼େ; ଏହାର ଅନ୍ୟ ପାର୍ଶ୍ୱଟିକୁ ଅଣଦେଖା କରାଯାଇପାରିବ ନାହିଁ। ସରକାରୀ ମୂଲ୍ୟ ବଢ଼ିବା ମାନେ ସିଧାସଳଖ ଭାବେ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଖର୍ଚ୍ଚ ବଢ଼ିବ ।
ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ଭଳି ସହର ଏବଂ ଏହାର ଉପକଣ୍ଠରେ ଜମି ଦର ପୂର୍ବରୁ ହିଁ ଆକାଶଛୁଆଁ ହୋଇରହିଛି। ଏଭଳି ସ୍ଥିତିରେ କେବଳ ଏକ ସୂତ୍ର ପ୍ରୟୋଗକରି ଦର ବଢ଼ାଇଲେ, ତାହା ମଧ୍ୟବିତ୍ତ ପରିବାର ଓ ପ୍ରଥମ ଥର ଘର କିଣୁଥିବା ଲୋକଙ୍କ ସାମର୍ଥ୍ୟ ବାହାରକୁ ଚାଲିଯାଇପାରେ। ଯଦି ସରକାରୀ ଦର ଲୋକଙ୍କ କ୍ରୟଶକ୍ତି ଠାରୁ ଅଧିକ ହୋଇଯାଏ, ତେବେ ଜମି କିଣାବିକା କମିଯିବ କିମ୍ବା ବିବାଦ ବଢ଼ିବ। ଲୋକମାନେ ଆଇନଗତ ବାଟ ଛାଡ଼ି ଅନ୍ୟ ଉପାୟ ଆପଣେଇ ପାରନ୍ତି, ଯାହା ସରକାରଙ୍କ ସ୍ୱଚ୍ଛତା ଲକ୍ଷ୍ୟକୁ ବିଫଳ କରିଦେବ।
ଏହି ପରିପ୍ରେକ୍ଷୀରେ ମୂଲ୍ୟ ନିର୍ଦ୍ଧାରଣ କମିଟି କେବଳ କାଗଜପତ୍ର ବା ନିର୍ଦିଷ୍ଟ ସୂତ୍ର ଉପରେ ନିର୍ଭର ନ କରି, ବିଗତ ଦିନର କିଣାବିକା, ସରକାରୀ ନିଲାମ ଦର ଓ ବିକାଶମୂଳକ ତଥ୍ୟକୁ ଆଧାରକରି ବାସ୍ତବବାଦୀ ମୂଲ୍ୟ ଧାର୍ଯ୍ୟ କରିବା ଉଚିତ୍। ସରକାର ମଧ୍ୟ ସାଧାରଣ ଲୋକଙ୍କୁ ସ୍ପଷ୍ଟ ଭାବେ ଜଣାଇବା ଉଚିତ୍ ଯେ, ୫% ମୂଲ୍ୟ ବୃଦ୍ଧି କେଉଁ ପ୍ରକାରର ସହରାଞ୍ଚଳରେ ଏବଂ କେଉଁ ସଂଶୋଧନ ପର୍ଯ୍ୟାୟରେ ଲାଗୁ ହେବ। ଏକ ସ୍ୱଚ୍ଛ, ସରଳ ଓ ସୁଲଭ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ହିଁ ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ହିତକର ହେବ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories