ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି। ସୂର୍ଯ୍ୟଦେବଙ୍କ କିରଣ ମୁହଁରେ ପଡ଼ିଥାଏ। କିଛି ଲୋକ ନିକଟଦେଇ ଯାଉଥିବାବେଳେ ମହାବୀରଙ୍କୁ ଏପରି ଅବସ୍ଥାରେ (ଠିଆହୋଇ ଧ୍ୟାନସ୍ଥ) ଦେଖି ସେମାନଙ୍କୁ ହସ ଲାଗିଲା। ମଜା କରିବା ନିମନ୍ତେ ସ୍ଥିର କରି ଜଣେ ତାଙ୍କ ଆଡ଼କୁ ଧୂଳି ଉଡ଼ାଇଥିଲା, ଦ୍ବିତୀୟ ଜଣକ କ୍ଷୁଦ୍ର ପଥର ଖଣ୍ଡ ଉଠାଇ ଫିଙ୍ଗିଥିଲା। ତୃତୀୟ ବ୍ୟକ୍ତି ଅତି ନିମ୍ନସ୍ତରକୁ ଯାଇ ତାଙ୍କ ଉପରେ ଛେପ ପକାଇଥିଲେ। ହେଲେ ମହାବୀର ଅବିଚଳିତ ଥିଲେ ତିନିଟି ଯାକ ଘଟଣାରେ।
ଏହା ଦେଖି ପ୍ରଥମ ବ୍ୟକ୍ତି କହିଥିଲେ- ଆରେ! ଇଏ କିଭଳି ଲୋକଟାଏ। ଏତେସବୁ ପରେ ବି ଟିକେ କ୍ରୋଧ ପ୍ରକାଶ କରୁନି କି ଆମକୁ ଏଣୁତେଣୁ କହୁନି। ଦ୍ବିତୀୟ ବ୍ୟକ୍ତି କହିଥିଲେ- ଇଏ ତ ପାଗଳ କି ଘୁଙ୍ଗା ଭଳି ଜଣାପଡ଼ୁଛି। ତୃତୀୟ ଜଣକ କହିଲେ ବୋଧେ ଭଣ୍ଡଟାଏ, ଏଠି ତାମ୍ସା କରୁଛି। ରୁହ ଏବେ ଦେଖ, ମୁଁ ତାକୁ କେମିତି ନଚାଉଛି। ଏହା କହି ତାଙ୍କ ମୁଣ୍ଡ ଉପରେ ପୁଳାଏ ଧୂଳି ଅଜାଡ଼ି ଦେଇଥିଲା। ହେଲେ ସନ୍ଥ ପୁରୁଷଙ୍କ ଉପରେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନଥିଲା। ପରେ ହାତ ମୁଷ୍ଟିବଦ୍ଧ କରି ବିଧା ମାରିଥିଲା। ଏଥିରେ ବି ଅବିଚଳିତ ଥିଲେ ମହାବୀର। ଏବେ ପାଖରେ ଥିବା ହାଡ଼ ଗୋଟାଇ ତାଙ୍କ ଶରୀର ଉପରେ ବୁଲାଇଥିଲା। ଏହା ମଧ୍ୟ ତାଙ୍କଠାରେ ପ୍ରଭାବହୀନ ଥିଲା। ସେହିଭଳି ଆଖି ବନ୍ଦ କରି ମୌନ ଭାବରେ ଠିଆେହାଇଥାନ୍ତି। ତାଙ୍କର ଶାନ୍ତ ମୁଦ୍ରାରେ ପ୍ରସନ୍ନତା ବାରି ହୋଇପଡ଼ୁଥିଲା।
ଏତେସବୁ ପରେ କିଛି ବି ପ୍ରତିକ୍ରିୟା ପ୍ରକାଶ କରୁନଥିବା ଦେଖି ତିନିଜଣଙ୍କର ଭାବାନ୍ତର ସୃଷ୍ଟି ହେଲା। ଭାବିଲେ ଇଏ ନିଶ୍ଚୟ ଜଣେ ସାଧୁପୁରୁଷ, ମହାତ୍ମା। ଏଭଳି ଜଣେ ବ୍ୟକ୍ତିଙ୍କୁ ଆମେ ଅକାରଣରେ ଉତ୍କ୍ଷିପ୍ତ କରି ଘୋର ପାପରେ ଭାଗୀ ହେଲୁ ସିନା। ମନକୁ ଏହି ଧାରଣା ଆଣି ତାଙ୍କର ପାଦ ଧରି କହିଥିଲେ-‘ଭଗବାନ! ଅକାରଣରେ ଆମେ ଆପଣଙ୍କୁ ଅନେକ କଷ୍ଟ ଦେଇଛୁ। ଏ ନିମନ୍ତେ ଆମକୁ କ୍ଷମା କରିଦିଅନ୍ତୁ।’ ଅହିଂସା, କ୍ଷମାର ମୂର୍ତ୍ତିମନ୍ତ ଅବତାର ଥିଲେ ମହାବୀର। ସେମାନଙ୍କ ଏପରି ଅଶିଷ୍ଟ ବ୍ୟବହାର କାହିଁକି ବା ତାଙ୍କୁ ପ୍ରଭାବିତ କରିବ? କେବଳ ଆଖି ଖୋଲି ମୃଦୁ ହସ ହସି ସେମାନଙ୍କ ଆଡ଼କୁ ଅନାଇଥିଲେ। ଆତ୍ମଗ୍ଳାନିବଶତଃ ତାଙ୍କ ଆଡ଼କୁ ଅନାଇ ପାରିନଥିଲେ ଉଦ୍ଭ୍ରାନ୍ତ ବ୍ୟକ୍ତିତ୍ରୟ। ଭାରାକ୍ରାନ୍ତ ହୃଦୟ ନେଇ ସେହି ସ୍ଥାନ ତ୍ୟାଗ କରିଥିଲେ।
ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା
Popular Categories



