ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା ଆଗରେ। ଗରିବୀ ସୂଚକାଙ୍କ (ପଭର୍ଟି ଇଣ୍ଡେକ୍ସ)ରେ ଏହି ଦୁଇ ରାଜ୍ୟ ମଧ୍ୟ ଆଗରେ। ୩.୬ ନିୟୁତ ପ୍ରତ୍ୟକ୍ଷ ଓ ପରୋକ୍ଷ କୋଇଲା ଖଣି, ତାପଜ ଶକ୍ତି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୯୨ ପ୍ରତିଶତ ଚୁକ୍ତିଭିତ୍ତିକ, ଠିକାଦାର ମାଧ୍ୟମରେ କାମ କରନ୍ତି। ଭୂଗର୍ଭର ଗୋଟେ କିଲୋମିଟର ତଳେ ଗରମ ଧାସରେ ଭାଜି େହଉଥିବା ଉତ୍ତୋଳନ ନିୟୋଜିତ ଶ୍ରମିକ ପାଏ ସରକାରୀ ସ୍ଥିରୀକୃତ ମଜୁରି, ଅତିରିକ୍ତ ସମୟ ଝାଳବୁହା ପରିଶ୍ରମ ପାଇଁ ଅତିରିକ୍ତ ପ୍ରାପ୍ୟ, ମୃତାହତ କ୍ଷେତ୍ରରେ ବୀମା, ରୋଗ ପାଇଁ ଖଣି ଅଞ୍ଚଳରେ ଥିବା ହସ୍ପିଟାଲ ସେବା। କଥାହେଲା ବିପଦପୂର୍ଣ୍ଣ କାମପାଇଁ େଯଉଁଭଳି ପ୍ରାପ୍ୟ ଦିଆଯିବା କଥା ସେଥିରେ ବ୍ୟତିକ୍ରମ। ଚୀନ୍, ଆମେରିକା, ଜାପାନ, ରୁଷିଆ, ଜର୍ମାନୀ ତୁଳନାରେ ବି ଆମ ଦେଶର ଶ୍ରମିକଙ୍କ ପାଉଣା ବହୁତ କମ୍। ‘୩୬୫ ଦିନ କାମ ଦଉଛୁ’ କହୁଥିବା ବିଭାଗଟି ଜାଣିରଖିବା ଉଚିତ ଯେ ଖଣି ଅଞ୍ଚଳରେ ବାସ କରୁଥିବା ଶ୍ରମିକଟି ହାତପାଆନ୍ତା ସମ୍ବଳ, ଖଣି ଧସି ପୋତିହୋଇ ଜୀବନ ଯାଉଥିବା ଶ୍ରମିକଙ୍କ ପାଇଁ ସୁରକ୍ଷା ଉପକରଣ, ଅମ୍ଳଜାନ, ତୁରନ୍ତ ଉଦ୍ଧାର ଗାଡି, କ୍ରେନ, ଭେଷଜ ଚିକିତ୍ସା କିମ୍ବା କଳାଜ୍ବର ପରି ମାରାତ୍ମକ ବେମାରି ପାଇଁ ଦାୟିତ୍ୱସମ୍ପର୍ଣ୍ଣ ବ୍ୟବସ୍ଥା ହେଉଛି ବିଭାଗୀୟ ଉତ୍ତରଦାୟିତ୍ୱ। ମାଙ୍ଗାନିଜ ଖଣି କି ଲୁହା ଖଣି ଶ୍ରମିକଙ୍କ କାର୍ଯ୍ୟଶୈଳୀ ଏକାଭଳି ବିପଜ୍ଜନକ। ବାରୁଦ ଦ୍ବାରା ପାହାଡ ଫଟେଇବା, ଆଖି, ନାକ, ପାଟି ଭର୍ତ୍ତି ହେଇଯାଉଥିବା ଧୂଳି, କାନ ଫାଟିବା ଭଳି ଶବ୍ଦ, ଗାଡ଼ିରେ ମାଲ ବୋଝେଇ କରିବା, ମହିଳା ଓ ଶିଶୁଙ୍କ ହାଡଭଙ୍ଗା କାମରେ ବେନିୟମ ନିୟୋଜନକୁ ଦେଖି ନଦେଖି ପାରୁଥିବା ଶ୍ରମ ନିୟୋଜନ ବିଭାଗ ଶ୍ରମିକ କଲ୍ୟାଣରେ ଅନ୍ତରାୟ।
ଚାରିଧାମ ଯୋଶୀମଠ ପ୍ରକଳ୍ପର ସୁଡ଼ଙ୍ଗ ଖୋଳା କାମରୁ ଚଉଦ ଦିନର ସଂଘର୍ଷ ପରେ ୪୧ ଜଣ ଶ୍ରମିକ ଉଦ୍ଧାର ହେଲେ। କେହି ଉଦ୍ଧାରକାରୀ ଦଳ ମୁଖ୍ୟ ଅଷ୍ଟ୍ରେଲୀୟ ଇଞ୍ଜିନିୟର ଆର୍ଣ୍ଣଲଡ ଡିକ୍ସଙ୍କ ପାଇଁ ତ କେହି ସେ ଅଞ୍ଚଳର ଇଷ୍ଟଦେବ ବାବା ବୌକ୍ଷନାଗଙ୍କ ପାଇଁ ଖୁସିର ଗୀତ ଗାଇଲେ। ସତୁରି ମିଟର ଧସିବା ସେତ୍ତ୍ବ ଶ୍ରମିକଙ୍କ ଜୀବନ ବଞ୍ଚିଯାଇଥିବାକୁ ଆମେ ଈଶ୍ୱରଙ୍କ ଖେଳ କହିପାରିବା। ସେହିପରି ବିନା ଅମ୍ଳଜାନରେ ଅଠରଘଣ୍ଟା ଟନେଲ ଭିତରେ ଜୀବନ ସୁରକ୍ଷିତ ରଖିବା ସକ୍ଷମ ଶ୍ରମଜୀବୀଙ୍କୁ ଶ୍ରମଯୋଗୀ କହିଲେ ତୁଣ୍ଡରେ ଘା’ ହେଇଯିବନି। ବିପଦପୂର୍ଣ୍ଣ ସୁଡ଼ଙ୍ଗ ଖୋଳା କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଏହାର ଗମ୍ଭୀର ପରିଣତି ବିଷୟରେ ସେମାନଙ୍କ ପରିବାରକୁ ଜଣାଇ ଦିଆଯାଇଥିଲା କି ନାହିଁ ତାହା ମଧ୍ୟ ଠିକା ସଂସ୍ଥା ସରକାରଙ୍କୁ ଜଣାଇବା ଜରୁରୀ ଥିଲା। ଅମ୍ଳଜାନ ବ୍ୟବସ୍ଥା ନହେବାରୁ ସରକାରଙ୍କୁ ନାକେଦମ ହୋଇ ଅଠର ଘଣ୍ଟା ପରେ ଅମ୍ଳଜାନ ଓ ଖାଦ୍ୟ ଯୋଗେଇବାକୁ ପଡ଼ିଲା। ୨୦୨୨ ମଇ ୨୦ରେ ଦକ୍ଷିଣ ଶ୍ରୀନଗର ସୁଡ଼ଙ୍ଗ ଦୁର୍ଘଟଣାରୁ ସରକାରଙ୍କ ବୈଷୟିକ ବିଭାଗ ଦେଖି ନଶିଖିଲେ ଦେଶର ଶ୍ରମ ଆଇନ ଶ୍ରମିକ ହିତରେ ବୋଲି କେମିତି କହିବା ?
୧୯୨୩ରୁ ସରକାର ଭାରତ ଟ୍ରେଡ଼ ୟୁନିଅନ ଆକ୍ଟ ପ୍ରଣୟନ କଲେ ଯଦିଓ ସରକାରଙ୍କୁ ବିଶ୍ୱାସକୁ ନ ନେଇ ଅଧିକାଂଶ ଶ୍ରମିକ ସଙ୍ଗଠନ ଏଥିରେ ଯୋଗ ଦେଲେନାହିଁ। ଓଡ଼ିଶାରେ ଡେରା କୋଲିଆରୀ ଶ୍ରମିକ ସଙ୍ଗଠନ ଅକ୍ଟୋବର ୧୯୪୭ରୁ ଧୂଳେଶ୍ୱର ବସ୍ତିଆଙ୍କ ଦ୍ୱାରା ଗଠିତ ହେଲା। ଦେଉଳବେରା ଓ ହାଣ୍ଡିଧୁଆ ଅଞ୍ଚଳରେ ଏକାଭଳି ସଂଗଠନ ଗଢାଗଲା, ଯାହା ଧୂଳେଶ୍ୱରଙ୍କୁ ଓଡ଼ିଶା ଶ୍ରମିକ ସଂଗଠନର ଜନକ ଭାବରେ ଖ୍ୟାତି ଦେଲା। ଅନ୍ୟ ରାଜ୍ୟରେ ମଧ୍ୟ ଶ୍ରମିକ ସଂଗଠନ ସବୁ ଗଢ଼ାହେଲା ଶ୍ରମିକଙ୍କ କଲ୍ୟାଣ ଲକ୍ଷ୍ୟରେ। ୫ ମଇ, ୧୮୮୬ ମସିହା ଦୁଃଖଦ ଦିନ। ଚିକାଗୋ ସହରର ହେ’ ମାର୍କେଟ ଛକ ଉପରେ ନିଜ ନ୍ୟାଯ୍ୟଦାବି ହାସଲ କରିବା ଲାଗି ଶ୍ରମିକ ମେଳି ଉପରେ ନିଯୁକ୍ତିଦାତା ମାଲିକଙ୍କ ଆକ୍ରମଣରେ କେତୋଟି ନିରୀହ ଜୀବନ ଟଳିପଡ଼ିଲା। ଶ୍ରମିକଙ୍କ ଦାବିଥିଲା- ଦିନକୁ ଆଠ ଘଣ୍ଟା କାମ, ଆଠ ଘଣ୍ଟା ବିଶ୍ରାମ ଆଉ ଆଠ ଘଣ୍ଟା ପରିବାରକୁ ସମୟ ଦାନ, ଯାହା ବଳବତ୍ତର ରହିଛି ଏଯାବତ ଆନ୍ତର୍ଜାତିକ ଶ୍ରମ ଆଇନରେ। ପରେ ନୂଆ ଆଇନ ଯାହାସବୁ ଦେଶ ଦେଶରେ ପ୍ରଣୟନ ହେଲା ସେସବୁ ଖାତାପତ୍ର କଥାହୋଇ ରହିଗଲା।
ସ୍ୱାଧୀନତା ପରବର୍ତ୍ତୀ କାଳରେ ବିଶେଷକରି ଭି.ଭି.ଗିରି ଶ୍ରମମନ୍ତ୍ରୀ ଥିବାବେଳେ କିପରି ଶ୍ରମିକଟିଏ ସ୍ୱାଧୀନ ତଥା ଆତ୍ମନିର୍ଭର ହେବ ତାହାର ଶ୍ୱେତପତ୍ର ପ୍ରକାଶ କରାଗଲା। ତ୍ରିପାକ୍ଷିକ ସହଯୋଗ ଭିତ୍ତିରେ ‘ଟ୍ରେଡ଼ ୟୁନିଅନ’ ବା ଶ୍ରମିକ ସଂଗଠନ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହେଲା। ଯେଉଁ ତିନିଗୋଟି ମୌଳିକ ନିଯୁକ୍ତି ଅଧିକାର କଥା କୁହାଗଲା ସେଥିରେ ରହିଲା ୧) କର୍ମ ବାବଦରେ ଜାଣିବା ଅଧିକାର, ୨) କର୍ମରେ ଯୋଗଦାନ ଅଧିକାର ଓ ୩) ବିପଦପୂର୍ଣ୍ଣ କାର୍ଯ୍ୟକୁ ଅଗ୍ରାହ୍ୟ ଅଧିକାର। ୧୬୩୧ ମସିହାରେ ସତର ବର୍ଷର ଅକ୍ଲାନ୍ତ ପରିଶ୍ରମ, ୨୦, ୦୦୦ ପଥର କାରିଗରଙ୍କ ଉପରେ ନ୍ୟସ୍ତଥିଲା ତାଜମହଲ ଗଢିବା କାର୍ଯ୍ୟ। ପାରିଶ୍ରମିକ ବାବଦରେ ଠକି ଦିଆଯାଉଥିଲା କେଇମୁଠା ଚାଉଳରେ। ଏବେ ଆମେ ଶ୍ରମିକ ଭାଇଙ୍କୁ ନେଇ ଏକ କଲ୍ୟାଣକାରୀ ରାଷ୍ଟ୍ରହିତ କଥା ହଉଛେ।
ଇନ୍ଦିରା ଗାନ୍ଧୀ ସରକାର ଜାତୀୟ ଜରୁରୀ ପରିସ୍ଥିତି ୧୯୭୫-୧୯୭୭ ଆଳରେ ଅନେକ ସାଧାରଣ ଅଧିକାରକୁ ରଦ୍ଦ କରିଦେଲେ। କର୍ମଜୀବୀର ଆନୁଷ୍ଠାନିକ ଅଧିକାର ମଧ୍ୟ ରୋକାଗଲା। ଫଳତଃ ଶ୍ରମ ବିବାଦ ଘଟଣା ମଧ୍ୟ ଅହେତୁକ ହ୍ରାସ ହୋଇଗଲା। ବଡ଼ ସୁଫଳଟେ କିନ୍ତୁ ଏଥିରୁ ବାହାରିଲା। ଇନ୍ଦିରାଜୀଙ୍କ ବିଂଶସୂତ୍ରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ଗୋତି ଶ୍ରମିକ (ଉଚ୍ଛେଦ) ଆଇନ, ୧୯୭୬କୁ ଜରୁରୀ ପରିସ୍ଥିତିର ଛାଟ ଖୋରାକ ଯୋଗେଇଲା। ଗ୍ରାମୀଣ କାରିଗର ଓ ଭୂମିହୀନଙ୍କ ଉପରୁ ଋଣ ଛାଡ ହେଲା। ମୁଦ୍ରାସ୍ଫିତି କେମିତି ନିୟନ୍ତ୍ରଣରେ ରହିବ ସେଥିଲାଗି ମଜୁରି ନିର୍ଦ୍ଧାରଣ କ୍ଷମତା ଛଡେଇ ନିଆଗଲା। ଯାହାଫଳରେ ଶ୍ରମିକମାନେ ଛୋଟ ବଡ଼ ଦାବିନେଇ କାରଖାନା କି ଅନୁଷ୍ଠାନ ବନ୍ଦ କରିପାରିବେ ନାହିଁ ଆଉ ଶ୍ରମିକ ଶୃଙ୍ଖଳା ବଢିବ। ଉପରକୁ ଦେଖା ନ ଗଲେବି ଶ୍ରମିକ ଅଶାନ୍ତି ଭିତରେ ବଢିଲା। ଏହାଦ୍ୱାରା ସରକାର ପୁନଃ ଭାବିଲେ, ଶ୍ରମିକମାନଙ୍କୁ ମୁଠାରେ ରଖିବାକୁ ହେଲେ ମୁଖ୍ୟ ନିଯୁକ୍ତିଦାତା ସଂସ୍ଥା ଯଥା- ଷ୍ଟିଲ, କୋଇଲା ଓ ପେଟ୍ରୋଲ ଆଦି ଜାତୀୟକରଣ କରିବା ଜରୁରୀ। ବିଭିନ୍ନ ଶ୍ରମିକ ସଂଗଠନ ପାଇଁ ବାଟ ଫିଟିଲା। ଅଣସଂଗଠିତ କ୍ଷେତ୍ରରେ ଅନେକଙ୍କ ଭାଷା ଏଯାବତ ସରକାର ବୁଝି ନପାରିବା ବଡ଼ କାରଣ ହେଲା ଯେ ଅନେକ ନିଯୁକ୍ତିଦାତାଙ୍କ ମା’ ବାପା କିଏ ଜଣା ପଡ଼େନି।
ପ୍ରଧାନମନ୍ତ୍ରୀ ମୋଦୀ କାଳରେ ଶ୍ରମ ଆଇନରେ ବିଶେଷ ପରିବର୍ତ୍ତନ ସ୍ୱରୂପ ସମସ୍ତ ଚାରୋଟି ଶ୍ରମ ଆଇନ(ଲେବର କୋର୍ଡ)କୁ ପୂର୍ଣ୍ଣ ଆଇନର ପରିଧିକୁ ଅଣାଗଲା। ନିରାପତ୍ତା, ସମୟାନୁସାରେ ପାଉଣା, ଇଏସଆଇସି ସୁବିଧା, ସୁବିଧାଜନକ କମ୍ ସମୟ, ବିଶ୍ରାମ ଗୃହ, ଏମିତିକି ଛୋଟ ଛୋଟ ୟୁନିଟରେ କ୍ୟାଣ୍ଟିନ ଆଦି ବ୍ୟବସ୍ଥିତ ହେବାର ବ୍ୟବସ୍ଥା କରାଗଲା। ୨୧ନଭେମ୍ବର, ୨୦୨୫ରୁ ପ୍ରଥମକରି ଲେବର କୋର୍ଡରେ କର୍ମଚାରୀ ଅନୁକୂଳ ବ୍ୟବସ୍ଥା କରାଯିବା କଥା କୁହାଗଲା। ତାହା କେବଳ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଉପଯୁକ୍ତ ପରିବେଶ, କର୍ମଚାରୀ ମଜୁରି-୨୦୧୯, ଶିଳ୍ପ ଆଇନ-୨୦୨୦, ସାମାଜିକ ନିରାପତ୍ତା ଧାରା-୨୦୨୦, ବୃତ୍ତିଗତ ନିରାପତ୍ତା ଆଉ ସ୍ୱାସ୍ଥ୍ୟ ଏବଂ କାମର ପରିବେଶ (ଓଏସଏଚଡବ୍ଲ୍ୟୁସି) ଧାରା-୨୦୨୦କୁ ଆଇନାନୁମୋଦନ କରିଦିଆଗଲା। ପ୍ରଥମ କରି କର୍ମଚାରୀଙ୍କ ଅବସର ପାଉଣାରେ ଦ୍ରୁତ ଏବଂ ସ୍ୱଚ୍ଛ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଇଛି ବୋଲି କୁହାଯାଏ। ଏବେ ରହିଲା ଅଣସଂଗଠିତ କ୍ଷେତ୍ରରେ ଥିବା ଅସ୍ଥାୟୀ ଶ୍ରମିକ କର୍ମଚାରୀଙ୍କ କଥା, ତଳସ୍ତରରେ ଶ୍ରମିକଙ୍କ ପ୍ରତି ଅସମାନ ଦୃଷ୍ଟିଭଙ୍ଗି ବଦଳୁନି।
ଦେଶରେ ଯେଉଁ ଲକ୍ଷ ଲକ୍ଷ କୋଠାବାଡି ନିର୍ମାଣରେ ଶ୍ରମିକ ନିୟୋଜିତ ସେମାନଙ୍କର ତଥା ସେମାନଙ୍କ ପରିବାର ପାଇଁ ହିତାଧିକାର ଯୋଜନା ଯୋଡ଼ିଲେ କେନ୍ଦ୍ର ସରକାର। ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆଣିଲେ ନୂଆ ଫର୍ଦ୍ଦ, ଶ୍ରମିକ କଲ୍ୟାଣ ପରିଚୟ ପତ୍ର। ୧୮-୬୦ ବର୍ଷ ବୟସ୍କ କେହିବି ନବେ ଦିନ ନିର୍ମାଣ ଶ୍ରମିକ କାମ କରିଥିଲେ ଏହି ପରିଚୟ ପତ୍ର ପାଇପାରିବେ। ଶ୍ରମିକ ପରିବାରକୁ ଶିକ୍ଷା, ଭତ୍ତା, ସ୍ୱାସ୍ଥ୍ୟ ବୀମା, ଘର ପାଇଁ ସହାୟତା ଆଦି ଦେଖି ଅନେକ ଶିକ୍ଷିତ ଅଣଶ୍ରମିକ ମଧ୍ୟ ଯୋଜନାରେ ସାମିଲ ହୋଇ ଫାଇଦା ଉଠାଉଛନ୍ତି। ପ୍ରକୃତ ଝାଳବୁହା କିଛି ଜାଗାରେ ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି। ଶ୍ରମ କଲ୍ୟାଣ ବିଭାଗ କର୍ମଚାରୀଙ୍କ ହାତ ନ ଥିଲେ କାର୍ଡର ଦୁରୁପଯୋଗ ହୋଇପାରନ୍ତା ନାହିଁ। ଶ୍ରମଜୀବୀଙ୍କୁ ଶ୍ରମଯୋଗୀ ବୋଲି ତ’ ଘୋଷଣା କରାଯାଇଛି; ମାତ୍ର ଏମାନଙ୍କୁ ସମସ୍ତ ସୁବିଧାସୁଯୋଗ ପ୍ରଦାନ ସୁନିଶ୍ଚିତ କରିବାକୁ ହେବ। ରାଷ୍ଟ୍ର ନିର୍ମାଣରେ ଏମାନଙ୍କ ଯୋଗଦାନ ଅତୁଳନୀୟ।
ସାରଦାପ୍ରସାଦ କର, ଭୁବନେଶ୍ୱର-୨
ଶ୍ରମଜୀବୀ ନା ଶ୍ରମଯୋଗୀ
Popular Categories



