ଓଡ଼ିଆ ପକ୍ଷ ପାଳନ ଅବସରରେ ବଳଦେବଜୀଉଙ୍କ ମନ୍ଦିରରୁ ସିଦ୍ଧମଠ ପର୍ଯ୍ୟନ୍ତ ଗଣଦୌଡ

କେନ୍ଦୁଝରଗଡ଼:ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ଯ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଯୁବପିଢ଼ିଙ୍କୁ ଏହାର ଗୌରବମୟ ଇତିହାସ ସମ୍ବନ୍ଧରେ ଅବଗତ କରାଇବା ନିମନ୍ତେ ରାଜ୍ୟବ୍ୟାପୀ ଆୟୋଜିତ ହେଇଛି ଐତିହ୍ୟ ଗଣଦୌଡ। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମଥର କରି ପାଳନ କରାଯାଉଥିବା ଓଡ଼ିଆ ପକ୍ଷର ପଞ୍ଚମ ଦିବସରେ ଆଜି କେନ୍ଦୁଝରଠାରେ ଶ୍ରୀଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ  ସିଦ୍ଧମଠ ଯାଏଁ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା।ଏଥିରେ ଶହ ଶହ ସଂଖ୍ୟାରେ କେନ୍ଦୁଝରର ଜନସାଧାରଣ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।
କେନ୍ଦୁଝରର ଆରାଧ୍ୟ ରାଷ୍ଟ୍ରଦେବତା ଭାବେ ବିଦିତ ପ୍ରଭୁ ଶ୍ରୀଶ୍ରୀ ବଳଦେବଜୀଉଙ୍କ ବାବଦରେ ରହିଥିବା କିମ୍ବଦନ୍ତୀକୁ ଜୀବନ୍ତ କରି ଗଢ଼ି ତୋଳିବା ପାଇଁ ଏହି ଗଣଦୌଡ଼ରେ ଆଜି ଶହଶହ ଲୋକ ସାମିଲ ହୋଇଥିଲେ। ଏଥିସହିତ ଓଡ଼ିଆ ପକ୍ଷ ପାଳନର ଉତ୍ସାହ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା। ଏଥିସହିତ ଏହି ପ୍ରାଚୀନ ମନ୍ଦିରର ବୈଭବକୁ ଯୁବପିଢ଼ିଙ୍କ ମଧ୍ୟରେ ଆହୁରି ଉଜ୍ଜୀବିତ କରିବା ପାଇଁ ସମସ୍ତେ ଏଠାରେ ନିଜର ସେଲ୍ଫି ଉଠାଇ ଏହାକୁ ଓଡ଼ିଆ ପକ୍ଷ ପାଳନ ୱେବସାଇଟ୍ (ଓଡ଼ିଆପକ୍ଷ. କମ୍)ରେ ଅପଲୋଡ଼ ମଧ୍ୟ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ଜେନା ଓ କ୍ରୀଡ଼ା ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ମହାକୁଡ଼ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.