ମଦ ବିରୋଧରେ ଜନସଚେତନତା

0

ଅଶୋକ କୁମାର ତା​‌ରେଣିଆ

କୌଣସି ଲୋକ ଚାହାନ୍ତି ନାହିଁ ତାଙ୍କ ଘର ଆଗରେ ମଦ ଦୋକାନ ଖୋଲୁ। ମଦଦୋକାନ ଖୋଲିବା ପୂର୍ବରୁ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବା କଥା; କିନ୍ତୁ ସ୍ଥାନୀୟ କିଛି ଲୋକଙ୍କୁ ପ୍ରଭାବିତ କରି ଦୋକାନ ଖୋଲିବା ସପକ୍ଷରେ ମତାମତ ଆସିଥାଏ। ତେବେ ପ୍ରକୃତ ପକ୍ଷରେ ଏହା ଜନସାଧାରଣଙ୍କ ମତାମତ ନୁହେଁ।
କୌଣସି କୌଣସି ସ୍ଥାନରେ ମଦ ଦୋକାନ ଖୋଲିଲାବେଳେ କୁହାଯାଇଥାଏ ଯେ ଏହି ସ୍ଥାନରେ ମଦ ନ ମିଳିଲେ ଚୋରା ମଦ ପଶିଆସିବ, ରାଜ୍ୟ ସରକାରଙ୍କର ରାଜସ୍ବ କମିଯିବ ଏବଂ ବିଷାକ୍ତ ମଦ ଜନିତ ମୃତ୍ୟୁକୁ ଏଡ଼ାଇ ଦେଇହେବ ନାହିଁ। କିନ୍ତୁ ଏହି ଯୁକ୍ତିର କୌଣସି ଯଥାର୍ଥତା ନାହିଁ। ବରଂ ମଦ ବନ୍ଦ ହେଲେ ଚୋରା ମଦ ବ୍ୟବସାୟୀ ଭୟ​‌େ​‌ର ଚୋରା ମଦ ବିକ୍ରି କରିବେ ନାହିଁ। ମଦରୁ ଯେଉଁ ରାଜସ୍ବ ମିଳେ ତାହା ରାଜ୍ୟର ସମୁଦାୟ ଆୟ ତୁଳନାରେ ଅତ୍ୟନ୍ତ ନଗଣ୍ୟ; ବରଂ ମଦ୍ୟପାନ ଜନିତ କ୍ଷତି ବହୁଗୁଣରେ ଅଧିକ। ବିହାରରେ ମଦ ବନ୍ଦ ହେଲା ଦିନଠାରୁ କେହି ବିଷାକ୍ତ ଚୋରାମଦ ପିଇ ମରିବାର ଦୃଷ୍ଟାନ୍ତ ନାହିଁ। ମଦଦୋକାନୀଙ୍କ ଭାଷାରେ ସେମାନେ ଦେଉଥିବା ରାଜସ୍ବ ଯୋଗୁ ରାଜ୍ୟର ପ୍ରଗତି ହେଉଛି, କିନ୍ତୁ ପ୍ରକୃତ ପକ୍ଷେ ମଦ ପ୍ରଗତି ବଦଳରେ ଦୁର୍ଗତି ହିଁ ଆଣିଦିଏ।
ଯେଉଁ ମୁଷ୍ଟିମେୟ ଲୋକ ମଦକୁ ପ୍ରୋତ୍ସାହନ ଦିଅନ୍ତି ସେମାନଙ୍କ ମତରେ ମଦ ବନ୍ଦକଲେ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମିଯିବ। ଏହାର କୌଣସି ସତ୍ୟତା ନାହିଁ। ଓଡ଼ିଶାକୁ ପର୍ଯ୍ୟଟକମାନେ ମୁଖ୍ୟତଃ ଜଗନ୍ନାଥ ଦର୍ଶନ, କୋଣାର୍କର ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଉଦୟଗିରିର ଜୈନ କୀର୍ତ୍ତିରାଜି, ଧଉଳି, ରତ୍ନଗିରି, ଲଳିତଗିରିର ବୌଦ୍ଧ କୀର୍ତ୍ତିମାନ ପରିଦର୍ଶନ କରିବାକୁ ଆସନ୍ତି। ଏହାଛଡ଼ା ଇକୋ ଟ୍ୟୁରିଜିମ୍‌ ସ୍ଥାନଗୁଡ଼ିକୁ ଯଥା:- ଚିଲିକା, ଶିମିଳିପାଳ, ଭିତରକନିକା, ଟିକରପଡ଼ା, ଦାରିଙ୍ଗିବାଡ଼ି ଇତ୍ୟାଦି ସ୍ଥାନକୁ ପର୍ଯ୍ୟଟକମାନେ ବହୁଳ ସଂଖ୍ୟାରେ ଆସନ୍ତି। କେହି ଓଡ଼ିଶାକୁ ମଦ ପିଇବାକୁ ଆସନ୍ତି ନାହିଁ।
ଯେତେ ସଡ଼କ ଦୁର୍ଘଟଣା ଘଟୁଛି ତାହାର ଷାଠିଏ ପ୍ରତିଶତ ନିଶାଜନିତ। ପ୍ରତିଦିନ ଆମ ରାଜ୍ୟରେ ଅତିକମ୍‌ରେ ତେରଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ, ଯାହା ଅତ୍ୟନ୍ତ ଦୁଃଖଦାୟକ। ନିଶାଗ୍ରସ୍ତ ବ୍ୟକ୍ତି ଚିନ୍ତାଶକ୍ତି ହରାଇଥାଏ; ତେଣୁ ଦୁର୍ଘଟଣା ଘଟେ। ମଦ୍ୟପଙ୍କ ଉତ୍ପାତ​‌େ​‌ର ଗାଁ ଗଣ୍ଡା ସହର ଆଦି ଥରହର ହେଉଛି। ମଦ ଓ ହିଂସା ପରସ୍ପରର ମିତ୍ର। ନିଶାର ପ୍ରସାରଣ ଯୋଗୁଁ ରାଜ୍ୟରେ ଦିନକୁ ଦିନ ବଳାତ୍କାର ଓ ଲୁଟ୍‌ ବୃଦ୍ଧି ପାଉଛି। ସ୍କୁଲ କଲେଜ ନିକଟରେ ମଦ ଦୋକାନ ଖୋଲାଯାଇଥିବାରୁ ସଂଖ୍ୟାଧିକ କିଶୋର ତଥା ଛାତ୍ର ନିଶାରାକ୍ଷସ କବଳରେ ପଡ଼ୁଛନ୍ତି। ମଦ ପିଇ ମଣିଷ ପଶୁ ପାଲଟି ଯିବାରୁ ନିଜର, ପରିବାରର ତଥା ସର୍ବୋପରି ରାଜ୍ୟର ଅ​‌େ​‌ଶଷ କ୍ଷତିସାଧନ କରୁଛି। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ପିଲାମାନଙ୍କ ସହ ସମ୍ପର୍କ ଖରାପ ହେବାର ଏହା ମୁଖ୍ୟ କାରଣ। ମଦ ଓ ଦାରିଦ୍ର୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମଦ ଅପମୃତ୍ୟୁକୁ ବାଟ ଦେଖାଏ।
ଆଧୁନିକ ଜୀବନ ଶୈଳୀରେ କେତେକଙ୍କ ପାଇଁ ମଦ ଷ୍ଟାଟସ୍‌ର ସିମ୍ବଲ। ଏହି ଭଳି ଲୋକଙ୍କୁ ଆଉ କିଛି ମୂର୍ଖ ଅନ୍ଧ ଭାବେ ଅନୁସରଣ କରନ୍ତି। ଶେଷରେ କୁସଙ୍ଗ ଯୋଗୁଁ ମଦ ଅଭ୍ୟାସରେ ପରିଣତ ହୋଇଯାଏ, ଯାହା ବହୁ ବେମାରିଙ୍କୁ ଡାକିଆଣେ। ମଦ ଲିଭର ସିରୋସିସ୍‌ର ପ୍ରଧାନ କାରଣ। ବୃକ୍‌କ, ହୃତ୍‌ପିଣ୍ଡ ଇତ୍ୟାଦି ମଦ ପିଇଲେ ଧୀରେଧୀରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଏ। ମଧୁମେହ ରୋଗର ଅନ୍ୟାନ୍ୟ କାରଣ ସହ ମଦପାନ ମଧ୍ୟ ଏକ କାରଣ। ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତି ଅବସାଦର ଶିକାର ମଧ୍ୟ ହୋଇଥାଏ। ମଦୁଆମାନେ ସାଧାରଣତଃ ଆଳସ୍ୟ ପରାୟଣ, କାର୍ଯ୍ୟରେ ମଠୁଆ। ତାଙ୍କ ଉପରେ କୌଣସି କାମରେ ନିର୍ଭର କରି ହୁଏନି। ମଦୁଆ ପଇସା ଅଭାବରେ ଚୋରି କରି ମଦ ପିଏ। ସର୍ବଶେଷରେ ଏକ ଚୋରରେ ପରିଣତ ହୁଏ।
ଆମ ସମାଜରେ ମଦ୍ୟପ ଲୋକ ସହ ଝିଅର ବିବାହ ଦେବାପାଇଁ ପିତାମାତା କୁଣ୍ଠିତ ହୋଇଥାନ୍ତି। ନିର୍ବାଚନ ଜନିତ ହିଂସାର ମୁଖ୍ୟ କାରଣ ହେଉଛି ମଦ। ନିର୍ବାଚନ ସମୟରେ ମଦର ବ୍ୟବହାର ବହୁଳ ପରିମାଣରେ ବଢ଼ିଯାଏ। ୨୦୧୩ ​‌େ​‌ଶଷ ଓ ୨୦୧୪ ଆରମ୍ଭରେ ରାଜ୍ୟ ସରକାରଙ୍କ କଠୋର ନିଷ୍ପତ୍ତି ଯୋଗୁଁ ସରକାରୀ ସ୍ଥାନ ଜବରଦଖଲ କରିଥିବା ଏବଂ ଜାତୀୟ ରାଜପଥ ଓ ରାଜ୍ୟପଥ କଡ଼ରୁ ତିନିଶହରୁ ଊର୍ଦ୍ଧ୍ବ ମଦଦୋକାନ ଉଠିଯାଇଥିଲା।
ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଆଦର୍ଶ କୁମାର ଗୋଏଲ୍‌ ଏବଂ ବିଚାରପତି ଅକ୍ଷୟ କୁମାର ରଥ ତାଙ୍କର ୨ା୦୧ା୨୦୧୪ର ରାୟରେ (ଡବ୍ଲ୍ୟୁ ପି (ସି) ନ.୨୫୯୧୩ ଅଫ୍‌ ୨୦୧୩- ପ୍ରଦୀପ କୁମାର ସାହୁ ବନାମ ଷ୍ଟେଟ୍ ଅଫ୍‌ ଓଡ଼ିଶା ଏବଂ ଏହିପରି ଚଉଦଟି ​ମାମଲାରେ) ଉଲ୍ଲେଖ କଲେ ଯେ କୋର୍ଟ ମଦଦୋକାନୀ ଦ୍ବାରା ସରକାରୀ ଜାଗା ଜବରଦଖଲ ବିଷୟ ଏବଂ ଜାତୀୟ ତଥା ରାଜ୍ୟ ରାଜପଥ କଡ଼ରେ ଥିବା ମଦଦୋକାନ ଜନିତ ରାସ୍ତା ଦୁର୍ଘଟଣାକୁ ଆଖି ବୁଜିଦେଇ ପାରିବେ ନାହିଁ। ଉକ୍ତ ରାୟରେ ହାଇକୋର୍ଟ ସମ୍ବିଧାନର ୪୭ ଧାରା ବିଷୟ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ନିଶାନିବାରଣ ପାଇଁ ପଦକ୍ଷେପ ନେବା ରାଷ୍ଟ୍ରର କର୍ତ୍ତବ୍ୟ ବୋଲି ଲେଖାଯାଇଛି।
ଭଗବତ୍‌ ଗୀତାର ସତର ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଦର୍ଶାଇଛନ୍ତି ଯେ ମଦ ଏକ ତାମସିକ ପାନୀୟ। ତେଣୁ ଏହା ସର୍ବଦା ବର୍ଜନୀୟ। ଇସ୍‌ଲାମ ଧର୍ମରେ ମଦ ପୂରାପୂରି ନିଷିଦ୍ଧ ଅଟେ। ଜୈନ ଧର୍ମରେ ଏହାକୁ ବାରଣ କରାଯାଇଛି। ବୌଦ୍ଧ ଧର୍ମ ଓ ଶିଖ୍‌ ଧର୍ମରେ ମଧ୍ୟ ମଦ୍ୟପାନକୁ ମନା କରାଯାଇଛି।
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଅନେକ ସନ୍ଥ ମଦର ଘୋର ବିରୋଧୀ। ୨୦୧୯ରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀରେ ମଦ ବନ୍ଦ କରାଗଲେ ଏହା ତାଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ପୂର୍ବତନ ଅବକାରୀ କମିସନର

Leave A Reply