କେବେ ହେବ ପିପିଲି-ଜଟଣୀ ରାସ୍ତାର ମରାମତି ?
ଦାଣ୍ଡମୁକୁନ୍ଦପୁର ବଜାର ରାସ୍ତା ଖାଲଖମାରେ ଭର୍ତ୍ତି
ପିପିଲି:ଖାଲଖମାରେ ପରିଣତ ହୋଇଥିବା ପିପିଲି-ଜଟଣୀ ମୁଖ୍ୟରାସ୍ତାର ଆବଶ୍ୟକ ମରାମତି କରାନଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପିପିଲି ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତା ସମେତ ଦାଣ୍ଡମୁକୁନ୍ଦପୁର ବଜାର ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି। ଫଳରେ ଏଥିଯୋଗୁଁ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ବେଳେ ଯାତାୟତରେ ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଦୀର୍ଘ ୮ମାସରୁ ଉର୍ଦ୍ଧକାଳ ଏହି ଦୁଇଟି ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଏହାର ମରାମତି ଦିଗରେ ବିଭାଗୀୟ କତ୍ତୃପକ୍ଷଙ୍କ ନିରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପିପିଲି-ଜଟଣୀ ରାସ୍ତାର ଜୟପୁର ଗ୍ରାମ୍ୟଛକ ଠାରୁ କାକୁଡିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୮୦ରୁ ଉର୍ଦ୍ଧ ଖାଲଖମା ସୃଷ୍ଟି ହୋଇଛି। ପିପିଲି କେନାଲ ବନ୍ଧ ନିକଟ, ଜୟପୁରଶାସନ ଛକ, ଅକ୍ଟ୍ରାଇ ଛକ, ହସନପୁର ଛକ, ଭାରତୀପୁର ଛକ, ମାଧିପୁର ଛକ, କଣ୍ଟି, କାକୁଡିଆ ସମେତ ଏହି ରାସ୍ତାର ବୁଢାପଡା ଗ୍ରାମ୍ୟଛକ ପର୍ଯ୍ୟନ୍ତ ରାସ୍ତା ଉପରେ ବହୁତ ଗୁଡିଏ ଛୋଟ ବଡ ଖାଲ ସୃଷ୍ଟି ହୋଇଛି। କେଉଁଠି ୨ରୁ ୩ଇଞ୍ଚ ତ’ ପୁଣି କେଉଁଠି ଫୁଟେରୁ ଦେଢଫୁଟ ଖାଲ ହୋଇଛି। ହସନପୁର ପେଟ୍ରୋଲ ଟାଙ୍କି ନିକଟରେ ରାସ୍ତାର ଉଭୟ ପାଶ୍ୱର୍ ଦବିଯାଇଥିବା ପରିଲକ୍ଷିତ ହୋଇଛି। ଫଳରେ ଏଥିଯୋଗୁଁ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଛି। ଖୋର୍ଦ୍ଧା ଠାରୁ ପିପିଲି ଦେଇ ଅସ୍ତରଙ୍ଗ, କାକଟପୁର, ନିମାପଡା, କୋଣାର୍କ ଓ ପୁରୀ ଯିବା ପାଇଁ ଏହା ମୁଖ୍ୟରାସ୍ତା ହୋଇଥିବା ଯୋଗୁଁ ଦୈନିକ ଶହଶହ ସଂଖ୍ୟାରେ ଗାଡିମୋଟର ଏହି ରାସ୍ତାରେ ଚଳାଚଳ କରୁଛି। ଦୁଇଚକିଆ ଠାରୁ ଆରମ୍ଭ କରି ଚାରିଚକିଆ ଯାନବାହନ ଗୁଡିକ ଏହି ଖାଲରେ ପଡି କ୍ଷତିଗ୍ରସ୍ତ ହେଉଥିବା ବେଳେ ଲୋକେ ଆହତ ମଧ୍ୟ ହେଉଛନ୍ତି।
ରାସ୍ତା ଉପରେ ଥିବା ଖାଲ ଠାରୁ ଦୂରେଇ ରହିବା ପାଇଁ ଗାଡି ଚାଳକମାନେ ବାଧ୍ୟହୋଇ କେତେବେଳେ ବାମ ପାଶ୍ୱର୍ ତ’ ପୁଣି କେତେବେଳେ ଡାହାଣ ପାଶ୍ୱର୍କୁ ମଡାଇ ଗାଡି ଚଳାଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଗତ ୪ବର୍ଷ ତଳେ ଏହି ରାସ୍ତା ଉପରେ ନୂତନ ପିଚୁ ପକାଯାଇ ରାସ୍ତାର ଦୋହରିକରଣ କାର୍ଯ୍ୟ କରାଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁଁ ବହୁ ସ୍ଥାନରେ ପିଚୁ ଉଠିଯାଇ ଖାଲଖମାରେ ପରିଣତ ହୋଇଥିଲା। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ୨୦୨୧ ଅକ୍ଟୋବର ମାସରେ ଉକ୍ତ ଖାଲ ଗୁଡିକୁ ଗୋଡି ଓ ପିଚୁ ଦ୍ୱାରା ମରାମତି କରାଯାଇଥିଲା। ତେବେ ନିମ୍ନମାନର ମରାମତି କାର୍ଯ୍ୟ ଯୋଗୁଁ ଉକ୍ତ ସ୍ଥାନ ମାନଙ୍କରୁ ପୁନର୍ବାର ପିଚୁ ଉଠିଯାଇ ଖାଲଖମାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି।
ଏହା ପରେ ବିଭିନ୍ନ ସମୟରେ ଏହି ରାସ୍ତାର ମରାମତି କାର୍ଯ୍ୟ କରାଯାଇଥିଲେ ମଧ୍ୟ କିଛି ଦିନ ପରେ ତାହା ପୂର୍ବ ଅବସ୍ଥାକୁ ଫେରି ଆସିଥିବା ଅଭିଯୋଗ ହୋଇଛି। ସେହିପରି ପିପିଲି-ଦାଣ୍ଡମୁକୁନ୍ଦପୁର ରାସ୍ତାର ଦାଣ୍ଡମୁକୁନ୍ଦପୁର ବଜାର ଠାରୁ ଭୋଗୁଆବାଙ୍କ ପର୍ଯ୍ୟନ୍ତ ଯାଇଥିବା ୩ଶହ ମିଟର ରାସ୍ତା ମଧ୍ୟ ଖାଲଖମାରେ ପରିଣତ ହୋଇଛି। ଦୀର୍ଘ ୫ବର୍ଷ ମଧ୍ୟରେ ଏହି ରାସ୍ତାର ମରାମତି କରାଯାଇନାହିଁ। ଏହି ଉଭୟ ରାସ୍ତାରେ ଯାଉଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଲୋକେ ଏଥିଯୋଗୁଁ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମୋବସ୍ ଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ୍ ଓ ଘରୋଇ ଯାତ୍ରୀବାହୀ ବସ୍ରେ ଶହ ଶହ ଲୋକେ ଏହି ରାସ୍ତାରେ ଯାତାୟତ କରୁଛନ୍ତି।
ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯିବା ବେଳେ ଖାଲଖମା ଯୋଗୁଁ ବିଶେଷ ସମସ୍ୟାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ଦୁଇଟି ପ୍ରମୁଖ ରାସ୍ତାର ଆବଶ୍ୟକ ମରାମତି ଦିଗରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ତେବେ ଖୁବ୍ ଶିଘ୍ର ଏହି ଦୁଇଟି ରାସ୍ତାର ଆବଶ୍ୟକ ମରାମତି କାର୍ଯ୍ୟ କରାଯିବ ବୋଲି ପିପିଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।
Comments are closed.