ରୁଷର ଏସ୍-୪୦୦ ବଦଳରେ ବିକଳ୍ପ କ୍ଷେପଣାସ୍ତ୍ରର ପ୍ରସ୍ତାବ ଦେବ ଆମେରିକା
ନ୍ୟୁୟର୍କ : ରୁଷର ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବଦଳରେ ବିକଳ୍ପ ପ୍ରତିରକ୍ଷା ବ୍ୟବସ୍ଥାର କ୍ଷେପଣାସ୍ତ୍ର ଯୋଗାଇ ଦେବାକୁ ଆମେରିକା ଖୁବଶୀଘ୍ର ଭାରତକୁ ପ୍ରସ୍ତାବ ଦେବ। ଏନେଇ ଆମେରିକା ବିଚାର କରୁଛି ଓ ଖୁବଶୀଘ୍ର ଭାରତ ଆଗରେ ପ୍ରସ୍ତାବ ରଖିବ ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ଜାଣିବାକୁ ମିଳିଛି।
ପ୍ରକାଶ ଯେ ଏସ୍-୪୦୦ କିଣା ନେଇ ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ରାଜିନାମା ସ୍ୱାକ୍ଷର କରିଥିଲେ। ସେତେବେଳେ ଏହା ବିରୋଧରେ ଆମେରିକା ଅସନ୍ତୋଷ ପ୍ରକାଶ କରିବା ସହ ଭାରତ ଉପରେ କଟକଣା ଲଗାଇବାକୁ ଚେତାବନୀ ଦେଇଥିଲା। ମାତ୍ର ଏହାପରେ ଆମେରିକା ଏହାର ବିକଳ୍ପ ସ୍ୱରୁପ ଭାରତକୁ ନିଜ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବିକିବାକୁ ବିଚାର କରିଥିଲା। ଏସ୍-୪୦୦ କ୍ଷେପଣାସ୍ତ୍ର ବଦଳରେ ଏବେ ଆମେରିକା ଭାରତକୁ ନିଜ କ୍ଷେପଣାସ୍ତ୍ର ବ୍ୟବସ୍ଥା ବିକିବାକୁ ପ୍ରସ୍ତାବ ଦେବ ବୋଲି ଆଲୋଚନା ହେଉଛି। କୁହାଯାଉଛି ଏସ୍-୪୦୦ର ବିକଳ୍ପ ଭାବେ ଆମେରିକା ଭାରତକୁ ଲକହିଡ଼ ମାର୍ଟିନ କମ୍ପାନୀର ‘ଥାଡ଼’ ଅବା ରୋଥିୟାନ କମ୍ପାନୀର ‘ପୋଟ୍ରୋୟଟ’ ବ୍ୟବସ୍ଥା ବିକିବାକୁ ପ୍ରସ୍ତାବ ଦେବ। ଆମେରିକା କ୍ଷେପଣାସ୍ତ୍ରର ମୂଲ୍ୟ ଏସ୍-୪୦୦ ଅପେକ୍ଷା ଅଧିକ ଥିବାରୁ ଭାରତ ଏହି ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ ବୋଲି ଆଲୋଚନା ହେଉଛି। ଆମେରିକାର ଉପ-ପ୍ରତିରକ୍ଷା ମନ୍ତ୍ରୀ ର୍ୟାଣ୍ଡେଲ ସାଇୱର ଭାରତ ଉପରେ କୌଣସି ପ୍ରକାର କଟକଣା ନଲଗାଇବାକୁ ଯୁକ୍ତି ବାଢିଛନ୍ତି। ଭାରତ ଆମେରିକାର ଏକ ବଡ଼ ସହଯୋଗୀ ହୋଇଥିବାରୁ ଭାରତ ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ସେ ପରାମର୍ଶ ଦେଇଛନ୍ତି।
ଏସ୍-୪୦୦ ରୁଷର ଅତ୍ୟନ୍ତ ଅତ୍ୟାଧୁନିକ ଦୂରଗାମୀ ଭୂପୃଷ୍ଠରୁ ବାୟୁମଣ୍ଡଳକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା। ଚୀନ୍ ପ୍ରଥମ ରାଷ୍ଟ୍ର ଭାବେ ଏହି ବ୍ୟବସ୍ଥା କ୍ରୟ କରିବା ଲାଗି ୨୦୧୪ରେ ରୁଷ୍ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲା। ଇତିମଧ୍ୟରେ ମସ୍କୋ ବେଜିଂକୁ ଏକାଧିକ ଏସ୍-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଯୋଗାଇ ଦେଇଛି। ଏସ୍-୪୦୦ ବାସ୍ତବରେ ଏସ୍-୩୦୦ର ଆଧୁନିକ ସଂସ୍କରଣ। ଅଲମାଜ-ଆଣ୍ଟି ଦ୍ୱାରା ଉତ୍ପାଦିତ ଏହି ବ୍ୟବସ୍ଥା ୨୦୦୭ରୁ ରୁଷରେ ବ୍ୟବହୃତ ହୋଇଆସୁଛି।