ସର୍ବୋଚ୍ଚ ନ୍ୟାୟାଳୟରୁ ତୃଣମୂଳ କଂଗ୍ରେସକୁ ଧକ୍କା

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତରେ ରାଜ୍ୟ ହାଇକୋର୍ଟ ରାୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିଛନ୍ତି। ଏଥିସହିତ ପ୍ରାର୍ଥୀମାନଙ୍କୁ ଅନ୍‍ଲାଇନ୍‍ରେ ପ୍ରାର୍ଥିପତ୍ର ଦାଖଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟରେ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ ମେ’ ୧୪ରେ ପଞ୍ଚାୟତ ନିର୍ବାଚନ କରାଇବାକୁ ନିର୍ଦେଶ ଦେବା ସହ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଯେଉଁମାନେ ଅନ୍‍ଲାଇନ୍‍ରେ ଆବେଦନ କରିଛନ୍ତି ସେମାନଙ୍କ ପ୍ରାର୍ଥିପତ୍ରକୁ ବୈଧ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.ଏମ୍‍ ଖାନ୍‍ୱିଲକର ଓ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପୀଠ ହାଇକୋର୍ଟଙ୍କ ନିର୍ଦେଶ ଓ ବିନା ପ୍ରତିଦ୍ୱନ୍ଦ୍ୱିତାରେ ୩୪ ପ୍ରତିଶତ (ପ୍ରାୟ ୧୮ହଜାର) ପ୍ରାର୍ଥୀଙ୍କ ବିଜୟଲାଭ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ପ୍ରାର୍ଥୀଙ୍କୁ ‘ବିଜୟୀ’ ଘୋଷଣା ନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ଜୁଲାଇ ୩ତାରିଖ ପୂର୍ବରୁ ଫଳାଫଳ ଘୋଷଣା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ନ କରିବାକୁ ଓ ନିର୍ବାଚନ ପରିଚାଳନା ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପ୍ରତି ଧ୍ୟାନ ଦେବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଛନ୍ତି।
ରାଜ୍ୟ ନିର୍ବାଚନ ଆୟୋଗ ମେ’ ୮ରେ ଦେଇଥିବା ନିର୍ଦେଶ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରୁ ସ୍ଥଗିତାଦେଶ ଚାହିଁଥିଲେ। ଏଥିରେ ଆୟୋଗ ଦର୍ଶାଇଥିଲେ ଯେ ନିର୍ବାଚନ ହେଲେ ବିପୁଳ ଧନଜୀବନ କ୍ଷତି ଘଟିବାର ଆଶଙ୍କା ରହିଛି। ମେ’ ୮ରେ ଅନ୍‍ଲାଇନ୍‍ରେ ଧାର୍ଯ୍ୟ ସମୟରେ ଯେଉଁ ସିପିଆଇ-ଏମ୍‍ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ତାହାକୁ ଗ୍ରହଣ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଥିଲେ। ଏହା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଗତିବିଧିକୁ ଲକ୍ଷ୍ୟକରି ସିପିଆଇ-ଏମ୍‍ ଓ ବିଜେପି ଅଦାଲତକୁ ଆବେଦନ କରିଥିଲେ ଯେ କୌଣସି ଏକପାଖିଆ ନିର୍ଦେଶ ଦିଆ ନ ଯାଉ। ଉଲ୍ଲେଖଯୋଗ୍ୟ ଯେ ସିପିଆ-ଏମ୍‍ ପକ୍ଷରୁ ଏହାର ପ୍ରାର୍ଥୀଙ୍କୁ ତୃଣମୂଳ କଂଗ୍ରେସ ପକ୍ଷରୁ ମନୋନୟନ ପତ୍ର ଦାଖଲ କରାଇ ଦିଆଯାଉ ନଥିବା ନେଇ ଅଭିଯୋଗ କରାଯାଇଥିଲା। ତେବେ ଗୁରୁବାରର ରାୟ ଶାସକ ତୃଣମୂଳ କଂଗ୍ରେସକୁ ବଡ଼ ଧକ୍କା ଦେଇଛି।

Leave A Reply