କେନ୍ଦୁଝର ଜିଲାରେ ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ସକାଳ ସାଢ଼େ ୮ରୁ ଇଭିଏମ୍‌‌ ଗଣତି ଆରମ୍ଭ, ଭୋଟ ଗଣତି କେନ୍ଦ୍ରକୁ ଇଲୋକ୍ଟ୍ରୋନିକ୍ସ ଯନ୍ତ୍ର ମନା

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ଗତ ମାସ ୨୫ ତାରିଖରେ ଶାନ୍ତିପୂର୍ଣ ଭାବେ ମତଦାନ ଶେଷ ହେବାପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓ ରାଜ୍ୟ ପୁଲିସଙ୍କ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଙ୍ଗଳବାର ଜିଲାର ୩ଟି ସ୍ଥାନରେ ଥିବା ୬ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ହେବ। ଚମ୍ପୁଆ ଓ ପାଟଣା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଚମ୍ପୁଆଠାରେ ହେବାକୁ ଥିବା ବେଳେ କେନ୍ଦୁଝର ଓ ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟଠାରେ ଏବଂ ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଶାଳପଡାସ୍ଥିତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟଠାରେ ଅନୁଷ୍ଠିତ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଥିବା ଜିଲାପାଳ ବଶାଲ ସିଂହ ସୋମବାର ଏକ ସାମ୍ବାଦିକ ସମ୍ମିଳିନୀରେ ଏହି ସୂଚନା ଦେଇଛନ୍ତି।

prayash

ଏଥିସହିତ ଏହି ସବୁ ଗଣତି କେନ୍ଦ୍ରରେ ବିଧାନସଭା ସହିତ କେନ୍ଦୁଝର ସଂସଦୀୟକ୍ଷେତ୍ର ପାଇଁ ମଧ୍ୟ ସମାନ୍ତରାଳ ଭାବେ ଭୋଟ ଗଣତି ହେବ। ମଙ୍ଗଳବାର ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ପରେ ସକାଳ ସାଢ଼େ ୮ଟାରୁ ଇଭିଏମ୍‌‌ ଭୋଟ ଗଣତି ଆରମ୍ଭ ହୋଇ ଅପରାହ୍ନ ୪ରୁ ୫ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ଜିଲାପାଳ ଶ୍ରୀ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। କେନ୍ଦୁଝର ସଂସଦୀୟ କ୍ଷେତ୍ରର ଇଭିଏମ ଭୋଟ ଗଣତି ନିମନ୍ତେ କେନ୍ଦୁଝର ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀର ଇଭିଏମ ଭୋଟ ଗଣତି ନିମନ୍ତେ କେବଳ ଆନନ୍ଦପୁରରେ ୧୨ ଟେବୁଲ ଓ କେନ୍ଦୁଝର ଜିଲାର ଅନ୍ୟ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ୧୪ଟି ଲେଖାଏଁ ଟେବୁଲ ଏବଂ ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇ ସମୁଦାୟ ୯୬ଟି ଇଭିଏମ ଟେବୁଲର ବ୍ୟବସ୍ଥା କରାଯାଇଛି। ଆହୁରି ମଧ୍ୟ ସମସ୍ତ ପୋଷ୍ଟାଲ ବାଲଟ ଗଣତି ପାଇଁ ଜିଲାର ୩ଟି ଓ ମୟୁରଭଞ୍ଜ ଜିଲା କରଞ୍ଜିଆ ଗଣତି କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଢ଼ଙ୍ଗରେ ସଂସଦୀୟକ୍ଷେତ୍ର ଏବଂ ଏହା ଅଧିନ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ନିମନ୍ତେ ସମୁଦାୟ ନିଯୁକ୍ତ ୭୫୯ କର୍ମଚାରୀଙ୍କ ମଧ୍ୟରୁ ୨୪୦ ମାଇକ୍ରୋ ଅବଜରଭର, ୨୪୦ କାଉଣ୍ଟିଂ ସୁପରଭାଇଜର ଏବଂ ୨୭୯ଜଣ କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟଙ୍କୁ ସର୍ବୋକୃଷ୍ଟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ୪ଜଣ ପର୍ଯ୍ୟବେକ୍ଷକ ଇତିମଧ୍ୟରେ ଭୋଟ ଗଣତି କେନ୍ଦ୍ରର ନିରୀକ୍ଷଣ କରିସାରିଛନ୍ତି । ଉଭୟ ୪ କେନ୍ଦୁଝର ସଂସଦୀୟକ୍ଷେତ୍ର ଏବଂ ଏହା ଅଧିନ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ପାଇଁ ତେଲକୋଇ ପାଇଁ ୨୩ ରାଉଣ୍ଡ, ଘଷିପୁରା ପାଇଁ ୨୨ ରାଉଣ୍ଡ, ଆନନ୍ଦପୁର ପାଇଁ ୨୫ ରାଉଣ୍ଡ, ପାଟଣା ପାଇଁ ୨୦ ରାଉଣ୍ଡ, କେନ୍ଦୁଝର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୧ ରାଉଣ୍ଡ, ଚମ୍ପୁଆ ପାଇଁ ୧୯ ରାଉଣ୍ଡ ଓ କରଞ୍ଜିଆ ପାଇଁ ୧୮ ରାଉଣ୍ଡ ଭୋଟ ଗଣତି କରାଯିବ। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗଣତି ସମ୍ବନ୍ଧିତ ସୂଚନା ପ୍ରଦାନ କରିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲାପାଳ ଶ୍ରୀ ସିଂହ କହିଛନ୍ତି।

Comments are closed.