ବୌଦ୍ଧରେ ୨୪ବର୍ଷର ବିଜେଡି ଦୁର୍ଗ ପତନ, କହ୍ନାଇଁ ଓ ସରୋଜ ଜିଲାବାସୀଙ୍କ ନୂଆଁ ଆଶା
ବୌଦ୍ଧ : ବୌଦ୍ଧରେ ୨୪ବର୍ଷର ବିଜେଡି ଦୁର୍ଗର ପତନ ହୋଇଛି। ଏଠାରୁ ବିଜେଡିର ହେଭିୱେଟ ନେତା ଲଗାତାର ୫ ଥର ବିଧାୟକ ଭାବରେ ବିଜୟୀ ହୋଇ ଓଡ଼ିଶା ଶାସନରେ ଦୁଇଥର ବାଚସ୍ପତି ପଦବୀ ସହିତ ଅନେକ ପ୍ରମୁଖ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିବା ପ୍ରଦୀପ କୁମାର ଅମାତଙ୍କ ପରାଜୟ ବିଜେଡି ଶିବିରକୁ ଏକ ବଡ ଧକ୍କା ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଶ୍ରୀଅମାତଙ୍କୁ ପରାଜୟର ସ୍ୱାଦ ଚଖାଇଛନ୍ତି ତାଙ୍କ ଠାରୁ ତିନିଥର ପରାଜିତ ହୋଇଥିବା ବରିଷ୍ଠ ନେତା ସୁଶାନ୍ତ ପ୍ରଧାନଙ୍କ ଭାଇ ସରୋଜ କୁମାର ପ୍ରଧାନ। ଆକଳନ ମୁତାବକ ନିର୍ବାଚନରେ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ବୌଦ୍ଧରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଧିର ପାଣି ପଥର କାଟିବା ଭଳି ପ୍ରତି ପର୍ଯ୍ୟାୟରେ ଅଳ୍ପ ଅଳ୍ପ ଭୋଟ ବ୍ୟବଧାନରେ ଅମାତଙ୍କୁ ପଛରେ ପକାଇ ଶେଷରେ ସରୋଜ ମାତ୍ର ୨୭୬୫ ଭୋଟ ବ୍ୟବଧାନରେ ଶ୍ରୀ ଅମାତଙ୍କୁ ପରାଜିତ କରିଥିଲେ। ଭି.କେ. ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ବିଜେଡି ପରାଜୟର ମୁଖ୍ୟ କାରଣ ବୋଲି ଦଳୀୟ କର୍ମୀମାନଙ୍କ ମଧ୍ୟରେ ଆଲୋଚନା ହେଉଥିବାବେଳେ ଦୀର୍ଘ ୨୪ବର୍ଷ ଜଣେ ନେତାଙ୍କ ଦ୍ୱାରା ନିରଙ୍କୁଶ ଶାସନ ଯୋଗୁଁ ପରିବର୍ତନ ର ପବନ ବୌଦ୍ଧରେ ବିଜେଡି ଦୁର୍ଗକୁ ପତନ କରିଥିବା ସାଧାରଣରେ ଆଲୋଚନା ହେଉଅଛି। ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୬୬୪୬୧ ମତଦାତାଙ୍କ ମଧ୍ୟରୁ ୧୩୫୫୬୩ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ୬୨୪୯୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ପ୍ରଦିପ କୁମାର ଅମାତ ୫୯୭୨୯ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ୯୪୬୮ ଖଣ୍ଡ ଭୋଟ ପାଇଛନ୍ତି। ସମୁଦାୟ ୧୧୮୧ ଜଣ ମତଦାତା ନୋଟା ରେ ମତଦାନ କରିଥିବାବେଳେ ତିନିଜଣ ପ୍ରାର୍ଥୀ ନୋଟା ଠାରୁ ମଧ୍ୟ କମ ଭୋଟ ପାଇଛନ୍ତି।
ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଦୁଇଥରର ବିଜେଡି ବିଧାୟକ ମହୀଧର ରଣାଙ୍କୁ ବିଜେପିର ବରିଷ୍ଠ ଓ ଟାଣୁଆ ନେତା କହ୍ନାଇଁ ଚରଣ ଡାଙ୍ଗ କଡା ଟକ୍କର ଦେଇ ପରାଜିତ କରିଛନ୍ତି। କହ୍ନାଇଁ ଓ ମହୀଧରଙ୍କ ମଧ୍ୟରେ ଏହା ଥିଲା ତୃତୀୟ ଥର ଲଢେଇ। ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବରେ ଏବଂ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବରେ ମହୀଧରଙ୍କ ସହିତ ଲଢେଇ କରି ଶ୍ରୀ ଡାଙ୍ଗ ପରାଜିତ ହୋଇଥିବାବେଳେ ଏଥର ସେ ନିଜର ରାଜନୈତିକ ଜୀବନର ଶେଷ ଯୁଦ୍ଧରେ ମହୀଧରଙ୍କୁ ପରାଜିତ କରି ବିଜେଡିର କଣ୍ଟାମାଳ ଦୁର୍ଗକୁ ପତନ କରିବାରେ ସଫଳ ହୋଇଛନ୍ତି।
କହ୍ନାଇଁଙ୍କ ବିଜୟ ପଛରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ ଓ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ବୟନିକା ସଭାପତି ଶେଷ କୁମାର ମେହେରଙ୍କ ପ୍ରମୁଖ ଭୂମିକା ରହିଥିବାବେଳେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମର୍ପଣ ଓ ପରିଶ୍ରମ ଶ୍ରୀ ଡାଙ୍ଗଙ୍କୁ ସଫଳତା ଦେଇଥିବା ଆଲୋଚନା ହେଉଅଛି। କଣ୍ଟମାଳ ନିର୍ବାଚନ ମଣ୍ଡଳୀରେ ୧୬୯୦୨୭ ଜଣ ମତଦାତାଙ୍କ ମଧ୍ୟରୁ ୧୧୪୩୨୨୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ବିଜେପି ପ୍ରାର୍ଥୀ କହ୍ନାଇଁ ଚରଣ ଡାଙ୍ଗ ୬୮୩୫୬ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ମହୀଧର ରଣା ୬୧୨୦୭ ଖଣ୍ଡ ଭୋଟ ପାଇ ୭୧୪୯ ଭୋଟରେ ପରାଜିତ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଭୋଟ ୭୬୯୪ ପାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୧୩୯୯ ଜଣ ମତଦାତା ନୋଟାରେ ମତଦାନ କରିଥିବାବେଳେ ତିନିଜଣ ପ୍ରାର୍ଥୀ ନୋଟା ଠାରୁ ମଧ୍ୟ କମ ଭୋଟ ପାଇଛନ୍ତି।
ଜିଲାର ଦୁଇଟିଯାକ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ବୌଦ୍ଧ ଓ କଣ୍ଟାମାଳ ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ମଧ୍ୟ ଅଧିକ ଭୋଟ ପାଇଛନ୍ତି।
Comments are closed.