ମହାରାଷ୍ଟ୍ର ଓ ଦିଲ୍ଲୀରେ ପରିସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଚାଲିଛି। ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୯୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୪ଜଣଙ୍କର ମୃତ୍ୟୁ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୨୪ଘଣ୍ଟିଆ ଅପଡେଟ ଅନୁଯାୟୀ ରବିବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୫୬ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୨୭୩ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ମଧ୍ୟରୁ ୭୧୬ଜଣ ଆରୋଗ୍ୟ ଲାଭ କରିଛନ୍ତି। ମହାରାଷ୍ଟ୍ର ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୯୫ରେ ପହଞ୍ଚିଛି। ମହାରାଷ୍ଟ୍ର ପଛକୁ ଦିଲ୍ଲୀ ରହିଛି। ତାମିଲନାଡକୁ ପଛରେ ପକାଇ ଦିଲ୍ଲୀ ଏବେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ରାଜ୍ୟ ହୋଇଛି। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୦୬୯ ହୋଇଥିବାବେଳେ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୯୬୯ ହୋଇଛି। ସେହିପରି ରାଜସ୍ଥାନରେ ୯୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୭୯୬ରେ ପହଞ୍ଚିଛି। ଗୁଜରାଟରେ ୨୫ ନୂଆ ସଂକ୍ରମିତଙ୍କ ସହିତ ମୋଟ ସଂଖ୍ୟା ୪୩୯ରେ ପହଞ୍ଚିଛି। ମଧ୍ୟପ୍ରଦେଶ, ତେଲଙ୍ଗାନା ଓ ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୫୩୨, ୫୦୪ ଓ ୪୫୨ ହୋଇଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାର ସରକାର ଲକଡାଉନ (ତାଲାବନ୍ଦ) ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ଏକପ୍ରକାର ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପକ୍ଷରେ ବିଶ୍ବବ୍ୟାପୀ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରବିବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ଏକ ଲକ୍ଷ ୧୦ ହଜାର ଟପିଯାଇଛି। ତେବେ ଆଶ୍ବସ୍ତିର ବିଷୟ ୪ ଲକ୍ଷ ୧୩ ହଜାର ରୋଗୀ ଆରୋଗ୍ୟ ଲାଭ ମଧ୍ୟ କରିସାରିଛନ୍ତି। ଆମେରିକା କରୋନା ସଂକ୍ରମଣ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୫ ଲକ୍ଷ ୩୫ ହଜାର ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨୧ ହଜାର ଛୁଇଁଛି। ଇଟାଲୀ ୨୦ ହଜାର, ସ୍ପେନ୍ ୧୭ ହଜାର, ଫ୍ରାନ୍ସ ୧୪ ହଜାର, ବ୍ରିଟେନ୍ ୧୦ ହଜାର ଓ ଇରାନରେ ମୃତ୍ୟୁସଂଖ୍ୟା ୪,୫୦୦କୁ ବୃଦ୍ଧି ପାଇଛି।
Comments are closed.