ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନେଶ୍ୱରର ଜନତା ମଇଦାନଠାରେ ଆଜିଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଓ କୌତୁହଳପୂର୍ଣ୍ଣ ଖେଳର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ସହ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀମାନଙ୍କ ସହ ଇଂରାଜୀ ମାଧ୍ୟମ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ବେଶ୍‌ ଆଗ୍ରହ ଦେଖିବାକୁ ମିଳିଥିଲା ।

ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ଡିଏଭି, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ୟୁନିଟ୍‌-୮, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ୟୁନିଟ୍‌-୯ର ୨୦୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ବିଭିନ୍ନ ଆକର୍ଷଣୀୟ ଖେଳ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମଧ୍ୟରୁ ଓଡ଼ିଆ ଅକ୍ଷର ଶବ୍ଦ ଖେଳ ନିକଟରେ ଛାତ୍ରଛାତ୍ରୀମାନଙ୍କର ଭିଡ଼ ଦେଖିବାକୁ ମିଳିଛି ।

ଗୋଟିଏ ଓଡ଼ିଆ ଅକ୍ଷରକୁ ନେଇ କିଏ ସର୍ବାଧିକ ଶବ୍ଦ କହିପାରୁଛି, ସେ ନେଇ ହୋଇଥିବା ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କୁ ଖୁବ୍‌ ଆକର୍ଷିତ କରୁଛି । ଏହାସହ ସୁଲେଖନୀ (କାଲିଗ୍ରାଫି) ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ନାମକୁ ସୁନ୍ଦର ଭାବରେ ଓଡ଼ିଆ ଭାଷାରେ ଲେଖାଉଛନ୍ତି । ଓଡ଼ିଆ ଭାଷାରେ ଟାଟୁ ବା ଚିତାକୁଟା କଳା କରିବାର ଆୟୋଜନ କରାଯାଇଛି ।

କେବଳ ସେତିକି ନୁହେଁ ଓଡ଼ିଆ ଭାଷା ଓ ଓଡ଼ିଆ ସଂସ୍କୃତିକୁ ନେଇ ପ୍ରାୟ ୧୮ରୁ ଅଧିକ ପୋଷ୍ଟକାର୍ଡ ପ୍ରଦର୍ଶନ କରାଯାଇଛି । ସେହି ପୋଷ୍ଟକାର୍ଡରେ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଚିଠି ଲେଖି ପୋଷ୍ଟ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ୫ ତାରିଖ, ସୋମବାର ପର୍ଯ୍ୟନ୍ତ ଚାଲିବ ।

Comments are closed.