ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆରମ୍ଭ

ପ୍ରଥମ ଦିବସରେ ପୁରୀ, କେଉଁଝର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବିତରଣ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ପାଠ୍ୟଖସଡ଼ା ଅନୁଯାୟୀ ଜାତୀୟକରଣ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ, ଭୁବନେଶ୍ୱର ନିର୍ଦ୍ଦେଶାଳୟଠାରେ ରାଜ୍ୟର ସମସ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ.ଏସ୍‌ଙ୍କ ତତ୍ତ୍ୱାବଧାନରେ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆଜି ଶୁଭାରମ୍ଭ ହୋଇଛି । ପ୍ରଥମ ଦିବସରେ ରାଜ୍ୟର ୫ ଗୋଟି ଜିଲ୍ଲା ଯଥା: ପୁରୀ, କେଉଁଝର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ପୁସ୍ତକ ବିତରଣ କରାଯାଇଛି ।

ପ୍ରତ୍ୟେକ ଜିଲ୍ଲାରେ ୨୮୦୦୦ ଖଣ୍ଡ ପାଠ୍ୟପୁସ୍ତକ ବିତରଣ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ମୋଟ ୩୧୪ ବ୍ଲକ୍‌ର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କରାଯିବ, ତତ୍‌ସହିତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ବର୍ଷ ଜାତୀୟକରଣ ପାଠ୍ୟପୁସ୍ତକ ମାଗଣାରେ ବିତରଣ କରାଯିବ । ଚଳିତ ବର୍ଷ ମୋଟ ୨.୫ କୋଟି ପାଠ୍ୟପୁସ୍ତକ, ୫ କୋଟି କାର୍ଯ୍ୟପୁସ୍ତିକା ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ବିତରଣ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର(ମଧ୍ୟ), ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)  ଅନୁପମ ସାହା, ରାଜ୍ୟ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.