www.samajalive.in
Sunday, December 7, 2025
18.1 C
Bhubaneswar

ଆଶାଆଶଙ୍କାରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ : ‘ମହାବୀର’ ମଲା, ‘ସୁନ୍ଦରୀ’ ଅସୁସ୍ଥ

-ମହାବଳ ‘ମହାବୀର’ର ମୃତଦେହ ଉଦ୍ଧାର, -ଏନଟିସିଏ ଟିମ୍‍ ଉପସ୍ଥିତିରେ ବ୍ୟବଚ୍ଛେଦ
-ବେକରେ ରହିଛି କଟାଦାଗ ଓ କ୍ଷତଚିହ୍ନ,  -ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ
-ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ସାମୟିକ ସ୍ଥଗିତ

ଅନୁଗୋଳ : ସାତକୋଶିଆ ଅଭୟାରଣ୍ୟରେ ମହାବଳ ‘ମହାବୀର’ର ମୃତ୍ୟୁ ଘଟଣାରେ ସମସ୍ତ ପଶୁପ୍ରେମୀ ସ୍ତବ୍ଧ ହୋଇଯାଇଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ନେଇ ଓଡ଼ିଶାର ସ୍ୱପ୍ନର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଟିଏ ପଟେ ମହାବଳ ‘ମହାବୀର’ ଆକସ୍ମିକ ମୃତ୍ୟୁ ଘଟିଥିବା ବେଳେ ବାଘୁଣୀ ‘ସୁନ୍ଦରୀ’ ଅସୁସ୍ଥ ହୋଇପଡ଼ିଛି। ବାଘ ବଂଶ ବୃଦ୍ଧି ସହ ସାତକୋଶିଆର ସୁରକ୍ଷା ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆସିଥିବା ‘ସୁନ୍ଦରୀ’ ନାମରେ ନରହନ୍ତାର ଆରୋପ ଲାଗିବା ପରେ ଗତ ୬ ତାରିଖରେ ତାକୁ ଟ୍ରାଙ୍କୁଲାଇଜିଂ କରାଯାଇ ରାଇଗୋଡ଼ା ଏନ୍‍କ୍ଲୋଜରରେ ରଖାଯାଇଛି। ଏନ୍‍କ୍ଲୋଜର ଭିତରେ ତା’ର ବ୍ୟବହାର ସ୍ୱାଭାବିକ ନ ଥିବା କୁହାଯାଉଛି। ସେ ଭଲରେ ଖିଆପିଆ କରୁ ନ ଥିବାବେଳେ ଦୁଇଦିନ ତଳେ ପ୍ରବଳ ବାନ୍ତି କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ବାଘୁଣୀକୁ ସାତକୋଶିଆ ଟେରାଇନ (ପରିବେଶ) ସୁଟ୍‍ କରୁନାହିଁ। ତା’ ଦେହରେ ହର୍‍ମୋନ୍‍ ଅସନ୍ତୁଳନ ଦେଖାଦେଇଛି। ଯାହାଫଳରେ ବାଘୁଣୀର ବ୍ୟବହାର ଓ ଗତିବିଧି ସ୍ୱାଭାବିକ ରହୁନାହିଁ ବୋଲି କହିଛନ୍ତି।
‘ମହାବୀର’ର ମୃତ୍ୟୁ ଓ ‘ସୁନ୍ଦରୀ’ର ଅସୁସ୍ଥତା ପରେ ଦେଶର ପ୍ରଥମ ବାଘ ସ୍ଥାନାନ୍ତରଣ ଯୋଜନା ଏକ ପ୍ରକାର ଫେଲ୍‍ ମାରିବାକୁ ବସିଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମଳିତ ଉଦ୍ୟମରେ ଚାଲିଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପ୍ରଥମ ଅତିଥି ମହାବଳ ମହାବୀରର ମୃତ୍ୟୁ ଘଟଣା ସମଗ୍ର ପ୍ରକଳ୍ପର ଅଗ୍ରଗତିକୁ ସନ୍ଦେହରେ ପକାଇ ଦେଇଛି। ପ୍ରକଳ୍ପ ଆରମ୍ଭ ହେବାର ମାତ୍ର ୪ ମାସ ମଧ୍ୟରେ ମହାବଳର ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି। ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ସଦସ୍ୟ ସଚିବ ଡକ୍ଟର ଅନୁପ କୁମାର ନାୟକ। ଶ୍ରୀ ନାୟକ କହିଛନ୍ତି ଯେ ବାଘ ସଂରକ୍ଷଣ ପ୍ରସଙ୍ଗରେ ସମସ୍ତ ଦିଗକୁ ଅନୁଧ୍ୟାନ କରାଗଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେବେ ଓଡ଼ିଶାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବନ୍ଦ ହୋଇନାହିଁ ବୋଲି ଡ. ନାୟକ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଅବଶିଷ୍ଟ ଚାରିଟି ମହାବଳ ବାଘଙ୍କୁ ଆଣି ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଛାଡ଼ିବା ପ୍ରସ୍ତାବକୁ ସ୍ଥଗିତ ରଖାଯାଇଛି। ସାତକୋଶିଆରେ ବାଘବଂଶ ବୃଦ୍ଧି ପାଇଁ କ’ଣ କରିବାକୁ ପଡ଼ିବ ଏବଂ କେଉଁ ଦିଗଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ ସେ ନେଇ ଏନ୍‌ଟିସିଏ ଖୁବ୍‌ଶ୍ରୀଘ୍ର ସମୀକ୍ଷା କରି ପଦକ୍ଷେପ ନେବ ବୋଲି ଡ. ନାୟକ କହିଛନ୍ତି। ତେବେ ମହାବୀରର ମୃତ୍ୟୁ ନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦିପ ତ୍ରିପାଠୀ କହିଛନ୍ତି ଯେ, ତା’ର ବେକରେ ଏକ କ୍ଷତ ଯୋଗୁଁ ପରବର୍ତ୍ତୀ ଅବସ୍ଥାରେ ଏହା ସଂକ୍ରମିତ ହୋଇ ସେପ୍‌ଟିସେମିଆ ହେବାରୁ ମୃତ୍ୟୁ ଘଟିଥାଇପାରେ; ମାତ୍ର ବ୍ୟବଚ୍ଛେଦ ରିପୋର୍ଟ ପରେ ଯାହାକିଛି ସ୍ପଷ୍ଟ ଜଣାପଡ଼ିବ। ତେବେ ବାଘର ଗତିବିଧି ଜାଣିବା ପାଇଁ ତା’ ବେକରେ ବନ୍ଧା ଯାଇଥିବା ରେଡ଼ିଓ କଲାର (ଫିତା) ଯୋଗୁଁ ମୃତ୍ୟୁ ଘଟିବା ସନ୍ଦେହ ଅମୂଳକ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।


ସୂଚନାଯୋଗ୍ୟ ଯେ ଗତ ବୁଧବାର ସକାଳ ସାଢ଼େ ୧୦ଟା ବେଳେ ମହାବୀର ସାତକୋଶିଆର କୋର ଏରିଆର ଆଠଗଡ଼ ରେଞ୍ଜ୍‌ର ନୂଆଗଡ଼ ଅଞ୍ଚଳରେ ମରି ପଡ଼ିଥିବା ଜଣାପଡ଼ିଥିଲା। ମହାବୀର ବେକରେ ଲାଗିଥିବା ରେଡ଼ିଓକଲାରରୁ ତା’ର ଗିତିବିଧି ଦୀର୍ଘ ସମୟ ଧରି ସ୍ଥିର ରହିବା କାରଣରୁ ତା’ର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଇଥିଲା। ପରେ ଜଙ୍ଗଲ ଅଞ୍ଚଳରେ ତା’ର ମୃତଦେହ ଠାବ କରାଯାଇଥିଲା। କୌଣସି କାରଣରୁ ବାଘର ବେକ ପାଖରେ ଘା’ ହୋଇଥିବା ଦେଖାଯାଇଥିଲା। ସଂକ୍ରମଣ ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ତେବେ କେଉଁ କାରଣରୁ ବାଘର ବେକରେ କ୍ଷତ ସୃଷ୍ଟି ହେବା ସହ ଘା’ରେ ପରିଣତ ହେଲା ତାହା ତର୍ଜମାର ବିଷୟ। କୌଣସି ଫାଶରେ ପଡ଼ି ତା’ର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବାଘଟି କୌଣସି ଶିକାରୀର ଶିକାର ମଧ୍ୟ ହୋଇଥାଇପାରେ ବୋଲି ଆଲୋଚନା କରାଯାଉଛି। ‘ମହାବୀର’ର ମୃତଦେହ ଆଠଗଡ଼ ବନଖଣ୍ଡ ଅଞ୍ଚଳର ନୂଆଗଡ଼ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରାଇଗୋଡ଼ାରୁ ନୂଆଗଡ଼କୁ ଯାଇଥିବା ରାସ୍ତାର ୫ ଶହ ମିଟର ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଛି। ସେଠାରେ ଏନଟିସିଏ ପ୍ରତିନିଧିଙ୍କ ଉପସ୍ଥିତିରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀଙ୍କ ସମେତ କେନ୍ଦ୍ର ଏନ୍‍ଟିସିଏ ପ୍ରତିନିଧି ଦଳ ଓ ସ୍ଥାନୀୟ ପଶୁ ଚିକିତ୍ସକମାନେ ଗୁରୁବାର ଅପରାହ୍ନରେ ବାଘର ବ୍ୟବଚ୍ଛେଦ କରିଥିଲେ। ତଦନ୍ତ ପାଇଁ ଆବଶ୍ୟକ ଅଂଶ ରଖି ମୃତଦେହକୁ ପୋଡ଼ି ଦିଆଯାଇଛି।
‘ମହାବୀର’କୁ ଗତ ଜୁନ୍‍ ୨୦ରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଅଣାଯାଇଥିଲା। ସେଠାରେ ସକାଳ ସମୟରେ ତାକୁ ଟ୍ରାଙ୍କୁଲାଇଜିଂ କରାଯାଇ ଶଡ଼କପଥରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଅଣାଯାଇଥିଲା। ୨୧ ତାରିଖରେ ଏଠାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଏନ୍‍କ୍ଲୋଜରରେ ରଖାଯାଇଥିଲା। ଟ୍ରାଙ୍କୁଲାଇଜିଂର ପ୍ରଭାବ ଛାଡ଼ିବା ପରେ ମହାବୀର ଧିରେ ଧିରେ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା। ଏନ୍‍କ୍ଲୋଜର ଭିତରେ ବାର୍‍ହା ଶିକାର କରି ଖାଇଥିଲା। ତା’ର ଗତିବିଧିକୁ ରେଡ଼ିଓକଲାର ମାଧ୍ୟମରେ ତର୍ଜମା କରାଯାଉଥିଲା। ସେହିପରି ଏନ୍‍କ୍ଲୋଜର ଭିତରେ ଥିବା ସିସି ଟିଭିରେ ସମସ୍ତ ବ୍ୟବହାରକୁ ଦେଖାରେଖା କରାଯାଉଥିଲା। ବ୍ୟବହାର ସ୍ୱାଭାବିକ ହେବାର ୧୫ ଦିନ ପରେ ଜୁଲାଇ ୬ରେ ତାକୁ ବ୍ୟାଘ୍ର ଅଭୟାରଣ୍ୟର ଅଭ୍ୟନ୍ତର ଅଞ୍ଚଳ (କୋର୍‍ ଏରିଆ)ରେ ଛଡ଼ାଯାଇଥିଲା। ବାଘ ବେକରେ ଲାଗିଥିବା ରେଡ଼ିଓକଲାରୁ ମିଳୁଥିବା ସିଗ୍‍ନାଲ ଜରିଆରେ ସାଟେଲାଇଟ୍‍ ମାଧ୍ୟମରେ ତା’ ଉପରେ ଏକ ଆଠଜଣିଆ ଦଳ ସତର୍କ ଦୃଷ୍ଟି ରଖିଥିଲେ। କିଛି ଦିନ ତଳେ ବାଘଟି ହିନ୍ଦୋଳ ଜଙ୍ଗଲ ଅଞ୍ଚଳରେ ଦେଖାଯାଇଥିବା ଜଣାପଡ଼ିଥିଲା। ସୂଚନା ପାଇ ବନ ବିଭାଗ ଅଞ୍ଚଳବାସୀଙ୍କୁ ସତର୍କ ରହିବା ପାଇଁ ଡାକବାଜି ଯନ୍ତ୍ରରେ ସଚେତନ କରାଇଥିଲା। ଏହି ଘଟଣାରୁ ମହାବୀରର ଅବସ୍ଥା ପ୍ରାୟ ଠିକ୍‍ଠାକ୍‍ ଥିବା ଜଣାପଡ଼ିଥିଲା। ତେବେ ଗତ ବୁଧବାର ସକାଳ ସମୟରେ ସିଗ୍‍ନାଲ ସ୍ଥିର ହୋଇଯିବାରୁ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଥିଲା।

- Advertisement -

ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ମୃତ ମହାବଳ ମହବୀରର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସାତକୋଶିଆ ବନ ବିଭାଗ ସ୍ପଷ୍ଟ କରିନାହିଁ। କେବଳ ଘା’ ହୋଇଥିବା କାରଣରୁ ତାର ମୃତ୍ୟୁ ହୋଇଥିବା ବନ ବିଭାଗ କହୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀମାନେ କହୁଛନ୍ତି। ବାଘ ମୃତ୍ୟୁ ଘଟଣା ଅତିବ ସମ୍ବେଦନଶୀଳ ହୋଇଥିବାରୁ ଅଧିକାରୀମାନେ ମାପଚୁପ କରି ମତାମତ ଦେଉଛନ୍ତି। ଏପରିକି ନିଜର ନାମ ପ୍ରକାଶ ନ କରିବାର ସର୍ତ୍ତ ରଖୁଛନ୍ତି। କାରଣ ସମସ୍ତଙ୍କ ଉପରେ ମହାବୀର ମୃତ୍ୟୁର ଖଣ୍ଡା ଝୁଲୁଛି।

ଅଧୁରା ରହିଲା ଓଡ଼ିଆ ଅଧିକାରରୀଙ୍କ ସ୍ୱପ୍ନର ପ୍ରକଳ୍ପ

ବାଘ ସ୍ଥାନାନ୍ତର କରି ସାତକୋଶିଆରେ ବାଘବଂଶ ବୃଦ୍ଧି ଯୋଜନା କେତେକ ଓଡ଼ିଆ ଅଧିକାରୀଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା। ସୂଚନାଯୋଗ୍ୟ, ୨୦୧୬ରେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଯୋଜନା କରାଯାଇଥିଲା। ରାଜ୍ୟ ବାହାରୁ ବାଘ ଆଣି ଏଠାରେ ରଖାଯାଇ ସେମାନଙ୍କ ବଂଶବୃଦ୍ଧି ଯୋଜନା କରାଯାଇଥିଲା। ସେ ସମୟରେ ଏହି ବିଭାଗରେ ଥିବା ବରିଷ୍ଠ ଓଡ଼ିଆ ଅଧିକାରୀମାନେ ଏକ ଯୋଜନା ପ୍ରସ୍ତୁତ କରି କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ରରେ ଏନ୍‍ଟିସିଏ ସମେତ ମଧ୍ୟପ୍ରଦେଶ ବ୍ୟାଘ୍ର ପ୍ରକଳ୍ପରେ ମଧ୍ୟ ଓଡ଼ିଆ ଅଧିକାରୀମାନେ ରହିଥିଲେ। ଏଣୁ ଏହି ପ୍ରସ୍ତାବକୁ ୨୦୧୭ରେ କେନ୍ଦ୍ର ଅନୁମୋଦନ କରିଥିଲା ଏବଂ ତିନିଯୋଡ଼ା ବାଘ ଯୋଗାଇଦେବା ପାଇଁ ମଧ୍ୟପ୍ରଦେଶ ବ୍ୟାଘ୍ର ପ୍ରକଳ୍ପକୁ ଚିଠି ମାଧ୍ୟମରେ ଅବଗତ କରିଥିଲା। ସେତେବେଳର ଓଡ଼ିଆ ଅଧିକାରୀମାନଙ୍କ ଯୋଗୁଁ ହିଁ ଏହି ପ୍ରକଳ୍ପର ସଫଳ ରୂପରେଖ ପ୍ରସ୍ତୁତ ହୋଇପାରିଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ମହାବୀରକୁ ସାତକୋଶିଆ ଅଣାଯାଇଥିôବା ବେଳେ ବାନ୍ଧବଗଡ଼ରୁ ବ୍ୟାଘ୍ର ପ୍ରକଳ୍ପରୁ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ସ୍ଥାନାନ୍ତର କରାଯାଇଥିଲା। ତେବେ ମହାବୀର ମୃତ୍ୟୁ ଘଟଣା ଏହି ଓଡ଼ିଆ ଅଧିକାରୀଙ୍କ ସ୍ୱପ୍ନର ପ୍ରକଳ୍ପକୁ ଅଧୁରା ରଖିଦେବା ଆଶଙ୍କା ସୃଷ୍ଟି ହୋଇଛି।

ସନ୍ଦେହରେ ପ୍ରେସ୍‍ ବିଜ୍ଞପ୍ତି

‘ମହାବୀର’ର ମୃତ୍ୟୁ ବୁଧବାର ହୋଇଥିବାବେଳେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତରଫରୁ ଗୁରୁବାର ଅପରାହ୍ନରେ ଏକ ପ୍ରେସ୍‍ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପ୍ରେସ୍‍ ବିଜ୍ଞପ୍ତି ସମସ୍ତଙ୍କୁ ସନ୍ଦେହରେ ପକାଇ ଦେଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ବୁଧବାର ଅପରାହ୍ନ ୧ଟା ବେଳକୁ ବାଘକୁ ନିରୀକ୍ଷଣ କରୁଥିବା ଟିମ୍‍ ବାଘର ମୃତ୍ୟୁ ନେଇ ସୂଚନା ଦେଇଥିଲା। ତା’ର ମୃତଦେହ ଆଠଗଡ଼ ବନଖଣ୍ଡ ଅଞ୍ଚଳର ନୂଆଗଡ଼ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରାଇଗୋଡ଼ାରୁ ନୂଆଗଡ଼କୁ ଯାଇଥିବା ରାସ୍ତାର ୫ ଶହ ମିଟର ନିକଟସ୍ଥ ଜଙ୍ଗଲ ମଧ୍ୟରେ ଠାବ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ବେକରେ ଏକ ଗଭୀର କ୍ଷତ ଦେଖାଯାଇଛି। ପାଞ୍ଚଦିନ ପୁରୁଣା ଏହି କ୍ଷତରେ ଘା’ ହୋଇଯାଇଥିବା କାରଣରୁ ତା’ର ମୃତ୍ୟୁ ହୋଇଥିବା ନେଇ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଓ ସମୟ ଜଣାପଡ଼ି ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କୁହାଯାଇଛି। ପ୍ରେସ୍‍ ବିଜ୍ଞପ୍ତିରେ ବାଘର ମୃତ ଦେହକୁ ବ୍ୟବଚ୍ଛେଦ କରାଯିବା ପାଇଁ ଏକ ଟିମ୍‍ ଗଠନ କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହି ଟିମ୍‍ରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ, ସରକାରୀ ପଶୁ ଡାକ୍ତର,ଏନ୍‍ଟିସିଏର ପ୍ରତିନିଧି ଦଳ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟମାନେ ରହିଛନ୍ତି। ଏନ୍‍ଟିସିଏର (ଏସ୍‍ଓପି)ର ପ୍ରୋଟୋକଲ ଅନୁସାରେ ଏହି ଟିମ୍‍ ଗଠନ କରାଯାଇଥିଲା। ସାତକୋଶିଆ ୱାଇଲ୍ଡ ଲାଇଫ୍‍ ଡିଭିଜନର ବନଖଣ୍ଡ ଅଧିକାରୀ ରାମାସ୍ୱାମୀ ପି ଙ୍କୁ ତଦନ୍ତକାରୀ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି। ସେ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏକ ସାଧା କାଗଜରେ ଏହି ପ୍ରେସ୍‍ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଦସ୍ତଖତକାରୀଙ୍କ ନାମ ଓ ଠିକଣା ବା ପଦପଦବୀ ଉଲ୍ଲେଖ କରାଯାଇ ନ ଥିବାରୁ ଏହି ବିଜ୍ଞପ୍ତିକୁ ନାନା ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories