www.samajalive.in
Monday, December 8, 2025
13.1 C
Bhubaneswar

ବୁଡ଼ ପକାଇଲେ ୫ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ : ପବିତ୍ର ମକର ସଂକ୍ରାନ୍ତିି ଅବସରରେ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ଦ୍ବିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ପ୍ରଥମ ଶାହୀ ସ୍ନାନ (ଅମୃତ ସ୍ନାନ) ଅନୁଷ୍ଠିତ ହୋଇଛି। ପ୍ରବଳ ଥଣ୍ଡା ସତ୍ତ୍ବେ ପ୍ରାୟ ୫ କୋଟି ଭକ୍ତ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିବା ଜଣାପଡିଛି। ଶାହୀ ସ୍ନାନ ତିଥିରେ ସଙ୍ଗମରେ ବୁଡ ପକାଇଲେ ସବୁ ପାପର ପ୍ରାୟଶ୍ଚିତ ଘଟୁଥାଏ ଏବଂ ପୁନର୍ଜନ୍ମ ହୁଏ ନାହିଁ ବୋଲି ପୌରାଣିକ ମତବାଦ ରହିଛି। ତେବେ ବିଧି ଅନୁଯାୟୀ ମଙ୍ଗଳବାର ନିରଞ୍ଜନି ଏବଂ ଆନନ୍ଦ ଆଖଡାର ସାଧୁମାନେ ପ୍ରଥମେ ବୁଡ ପକାଇଛନ୍ତି। ଏହାପରେ ସାଧାରଣ ଭକ୍ତଙ୍କୁ ବୁଡ ପକାଇବାର ସୁଯୋଗ ମିଳିଥିଲା। ନିରଞ୍ଜନି ଆଖଡା ପକ୍ଷରୁ ଆଧ୍ୟାତ୍ମିକ ଗୁରୁ ସ୍ବାମୀ କୈଳାସନନ୍ଦ ଗିରି ଏବଂ ଆନନ୍ଦ ଆଖଡା ତରଫରୁ ଆଚାର୍ଯ୍ୟ ମଣ୍ଡଳେଶ୍ବର ବାଳକାନନ୍ଦ ଜୀ ମହାରାଜ ସାଧୁଙ୍କ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ। ଏମାନଙ୍କ ପରେ ଅନ୍ୟ ଆଖଡାର ସାଧୁଙ୍କୁ ବୁଡ ପକାଇବାର ସୁଯୋଗ ପ୍ରଦାନ କରାଯାଇଛି। ନାଗା ସାଧୁଙ୍କ ଅାଗମନ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ହର ହର ମହାଦେବ, ଜୟ ଶ୍ରୀରାମ ଓ ଜୟ ଗଙ୍ଗା ମୈୟା ଧ୍ବନିରେ ମହାକୁମ୍ଭ ସ୍ଥଳ ପ୍ରକମ୍ପିତ ହୋଇପଡିଥିଲା।
ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକ ବାଣୀ ପ୍ରଚାର ପ୍ରସାର କାର୍ଯ୍ୟକୁ ଗୁରୁତ୍ବ ଦେଉଥିବାରୁ ମହାକୁମ୍ଭରେ ନିରଞ୍ଜନି ଆଖଡାର ଯଥେଷ୍ଟ ମହତ୍ତ୍ବ ରହିଛି। ଅପରପକ୍ଷରେ ଆନନ୍ଦ ଆଖଡା ସାଧୁମାନେ ସୂର୍ଯ୍ୟଙ୍କ ଉପାସନା କରିଥାନ୍ତି। ଏହି ଦୁଇ ଆଖଡା ବ୍ୟତୀତ ଅନ୍ୟ ୧୩ଟି ଆଖଡାର ସାଧୁମାନେ ପ୍ରଥମ ଶାହୀ ସ୍ନାନରେ ଅଂଶଗ୍ରହଣ କରିଛନ୍ତି। ଏମାନଙ୍କୁ ତିନିଟି ବର୍ଗ ଯଥା ସନ୍ନ୍ୟାସୀ, ବୈରାଗୀ ଏବଂ ଉଦାସୀନରେ ବିଭକ୍ତ କରାଯାଇଛି। ସନ୍ନ୍ୟାସୀ ବର୍ଗରେ ଶ୍ରୀ ପଞ୍ଚ ଦଶନମ ଜୁନା ଆଖଡା, ଶ୍ରୀ ପଞ୍ଚାୟତି ଆଖଡା ନିରଞ୍ଜନି, ଶ୍ରୀ ଶମ୍ଭୁ ପଞ୍ଚାୟତି ଅଟଳ ଆଖଡା, ଶ୍ରୀ ପଞ୍ଚାୟତି ଆଖଡା ମହାନିର୍ବାଣୀ, , ଶ୍ରୀ ଶମ୍ଭୁ ପଞ୍ଚାଙ୍ଗି ଆଖଡା, ଶ୍ରୀ ପଞ୍ଚ ଦଶନମ ଆବାହନ ଆଖଡା ଏବଂ ତପୋନିଧି ଶ୍ରୀ ଆନନ୍ଦ ଆଖଡା ପଞ୍ଚାୟତିକୁ ସାମିଲ କରାଯାଇଛି। ଚଳିତ ମହାକୁମ୍ଭରେ ଆଗକୁ ଆଉ ଚାରିଟି ଶାହୀ ସ୍ନାନ ଯୋଗ ରହିଛି। ଏଗୁଡିକ ହେଲା ଜାନୁଆରୀ ୨୯ ମୌନି ଅମାବସ୍ୟା, ଫେବୃଆରୀ ୩ , ଫେବୃଆରୀ ୧୨ ମାଘ ପୂର୍ଣ୍ଣିମା ଏବଂ ଫେବୃଆରୀ ୨୬ ମହାଶିବରାତ୍ରୀ। ସୂଚନାଯୋଗ୍ୟ ମକର ସଂକ୍ରାନ୍ତିରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଫଳରେ ରାତି ତୁଳନାରେ ଦିନ ବଡ ହେବାରେ ଲାଗିଥାଏ। ଫଳରେ ଏହି ଦିନକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଦିନର ମାନ୍ୟତା ମିଳିଛି। କେବଳ ପ୍ରୟାଗରାଜ ନୁହେଁ, ମକର ସଂକ୍ରାନ୍ତିରେ ପଶ୍ଚିମବଙ୍ଗରୁ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ସହସ୍ରାଧିକ ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ ପକାଇଛନ୍ତି। କଲକାତାରେ ଶ୍ରଦ୍ଧାଳୁମାନେ ବାବୁଘାଟରେ ବୁଡ ପକାଇଥିବାବେଳେ ପାଟନା ଓ ବାରାଣସୀରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡର ହରିଦ୍ବାରସ୍ଥିତ ହର୍‌ କି ପୌଡିରେ ସହସ୍ରାଧିକ ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ କରିଥିବା ଜଣାପଡିଛି। ସୋମବାର ପ୍ରଥମ ଦିନରେ ପ୍ରୟାଗରାଜରେ ୧.୬ କୋଟି ଶ୍ରଦ୍ଧାଳୁ ବୁଡ ପକାଇଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories