ଶୀତଳଷଷ୍ଠୀ ଛୁଟିକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ତୀବ୍ର ଅସନ୍ତୋଷ
ସମ୍ବଲପୁର : ପଶ୍ଚିମ ଓଡିଶାର ଅନ୍ୟତମ ବୃହତ୍ତମ ଗଣପର୍ବ ଶୀତଳଷଷ୍ଠୀ ଯାତ୍ରା ପାଇଁ ସରକାରଙ୍କ ତରଫରୁ ଘୋଷିତ ସ୍ଥାନୀୟ ଛୁଟିକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସମ୍ବଲପୁରଙ୍କ ଦ୍ୱାରା ଜାରି ଚିଠି ଅନୁଯାୟୀ, ୨୦୨୪ ବର୍ଷ ପାଇଁ ଆରଡିସିଙ୍କ ଅଧିନସ୍ଥ ଜିଲାରେ ଗୁଡିକରେ ସ୍ଥାନୀୟ ଛୁଟି ଗୁଡିକର ଘୋଷଣା କରାଯାଇଛି।
ଏହି ଚିଠି ଅନୁଯାୟୀ, ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ଉପଖଣ୍ଡରେ ଆସନ୍ତା ୧୩ ଜୁନ ୨୦୨୪ (ଗୁରୁବାର) କୁ ସ୍ଥାନୀୟ ଛୁଟି ରୂପେ ଘୋଷଣା କରାଯାଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ମିଳିତ କ୍ରିୟାନୁଷ୍ଠାନ କମିଟି। କମିଟିର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ରଙ୍କ ଅନୁଯାୟୀ, ଶୀତଳଷଷ୍ଠୀ ଉତ୍ସବ ପାଇଁ ସରକାରୀ ସ୍ତରରେ ଚଳିତ ବର୍ଷ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବା ବେଳେ ଏହି ଧାର୍ମିକ ଉତ୍ସବ ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ସମ୍ପନ୍ନ ହେବ।
ସାଧାରଣତଃ ଉତ୍ସବର ଶେଷ ଦିବସ, ଯେଉଁ ଦିନ ଦେବ ଦମ୍ପତ୍ତି ବିବାହ ପରେ ନଗର ପରିକ୍ରମା କରି ମନ୍ଦିରକୁ ପ୍ରତ୍ୟାବତ୍ତନ କରିଥାନ୍ତି, ସେହି ଦିନ (ଚଳିତ ବର୍ଷ ୧୨ ତାରିଖ) ହିଁ ସ୍ଥାନୀୟ ଛୁଟି ପ୍ରଶାସନ ପକ୍ଷରୁ ପୂର୍ବରୁ କରାଯାଇ ଆସୁଛି। କିନ୍ତୁ ଚଳିତ ବର୍ଷ କଣ ପାଇଁ ଏହାକୁ ୧୨ ତାରିଖ ପରିବର୍ତ୍ତେ ୧୩ ତାରିଖରେ ଦିଆଯାଇଛି, ତାହା ବୁଝି ହେଉ ନାହିଁ।
ପ୍ରଶାସନ ଶହ ଶହ ବର୍ଷର ଏହି ଧାର୍ମିକ ଉତ୍ସବ ସହିତ ବେଶ ପରିଚିତ ଥିବା ବେଳେ କଣ ପାଇଁ ଏଭଳି କରାଯାଇଛି, ତାହା ବୁଝି ହେଉ ନାହିଁ। ଏଥି ପାଇଁ ମଙ୍ଗଳବାର ଦିନ ଆମେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୧୩ ପରିବର୍ତ୍ତେ ୧୨ ତାରିଖରେ ସ୍ଥାନୀୟ ଛୁଟି ଘୋଷଣା କରିବାକୁ ଆରଡିସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିବୁ ବୋଲି କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ମିଶ୍ର କହିଛନ୍ତି।
Comments are closed.