ନିର୍ମାଣ ଅନୁମତି ନିୟମର ଖିଲାପ, ରିଲାଏନ୍ସ ସ୍ମାର୍ଟ ମଲକୁ ସିଲ କଲା ମହାନଗର ନିଗମ

ସମ୍ବଲପୁର: ଶନିବାର ସନ୍ଧ୍ୟାରେ ଅଚାନକ ମହାନଗର ନିଗମ କତ୍ତୃପକ୍ଷଙ୍କ ତରଫରୁ ସ୍ଥାନୀୟ ଫାଟକ ସ୍ଥିତ ଏକ ମଲକୁ ନିର୍ମାଣ ଅନୁମତି ନିୟମର ଖିଲାପ ପାଇଁ ସିଲ କରି ଦିଆଯାଇଛି। ସ୍ଥାନୀୟ ଫାଟକ ଠାରେ ଥିବା ରିଲାଏନ୍ସ ସ୍ମାର୍ଟ ମଲର ପାର୍କିଂ ଅଞ୍ଚଳକୁ ଗ୍ରାହକମାନଙ୍କୁ ପାର୍କିଂ ପାଇଁ ଯୋଗାଇ ନ ଦିଆଯାଇ ବ୍ୟବସାୟିକ ଗତିବିଧି ପାଇଁ ବ୍ୟବହାର କରାଯାଉଥିବାର ବାରମ୍ବାର ଅଭିଯୋଗ ହେଉଥିବାରୁ ପୂର୍ବରୁ ମହାନଗର ନିଗମ ପକ୍ଷରୁ ବାରମ୍ବାର ନୋଟିସ ଦିଆଯାଇଥିଲା। ଏଥି ପାଇଁ ଅଞ୍ଚଳରେ ପ୍ରତି ଦିନ ଭୟଙ୍କର ଟ୍ରାଫିକ ସମସ୍ୟା ଦେଖା ଦେବା ସହିତ ଲୋକେ ଚାଲି ଚାଲି ଯିବା ଆସିବା ପାଇଁ ମଧ୍ୟ ବହୁତ ହଇରାଣ ହରକତ ହେଉଥିଲେ।

ତେବେ ମଲ କତ୍ତୃପକ୍ଷ ନିଗମର ନୋଟିସକୁ ଭୃକ୍ଷେପ ନ କରି ପାର୍କିଂ ସ୍ଥଳରେ ବ୍ୟବସାୟିକ ଗତିବିଧି ଜାରି ରଖିଥିଲେ। ଫଳରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅଚାନକ ନିଗମ କମିଶନର ବେଦଭୂଷଣଙ୍କ ନେତୃତ୍ୱରେ ନିଗମର ଏକ ସ୍ୱତନ୍ତ୍ର ଦଳ ସମେତ ପୁଲିସ କର୍ମଚାରୀମାନେ ମଲକୁ ପହଞ୍ଚି ଏହାକୁ ସିଲ କରିଦେଇଥିଲେ। ନିଗମ କତ୍ତପକ୍ଷଙ୍କ ପକ୍ଷରୁ କରାଯାଇଥିବା ସିଲ ନୋଟିସ ଅନୁଯାୟୀ, ରିଲାଏନ୍ସ ସ୍ମାର୍ଟ, ବୁଢ଼ାରଜା ସମ୍ବଲପୁର ଓଡିଏ ଆଇନ, ୧୯୮୨ ଅନୁଯାୟୀ କୋଠା ନିର୍ମାଣ ଅନୁମତିର ଖିଲାପ ପାଇଁ ଏହି କୋଠାକୁ ୧/୬/୨୦୨୪ ସମୟ ସନ୍ଧ୍ୟା ୬ଟାରୁ ଆଗାମୀ ୩ ଦିନ କିମ୍ବା ତ୍ରୁଟି ସୁଧାର ପର୍ଯ୍ୟନ୍ତ ସିଲ କରି ଦିଆଯାଇଛି।

prayash

ସିଲ କରିବା ପାଇଁ ହୋଇଥିବା ଖର୍ଚ୍ଚ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆଦାୟ କରାଯିବ। ଏଥି ସହ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଚାରୀ ମାନଙ୍କୁ ପାର୍କିଂ ଅଞ୍ଚଳରେ ରଖାଯାଇଥିବା ସାମଗ୍ରୀ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାର ଅନୁମତି ଏବଂ ଫଳ, ପନିପରିବା ଭଳି ନଷ୍ଟ ହୋଇଯାଉଥିବା ବସ୍ତୁଗୁଡିକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତରିତ କରି ଅନ୍ୟ ଷ୍ଟୋର ମାଧ୍ୟମରେ ବିକ୍ରି କରିପାରିବେ ବୋଲି ବିଶେଷ ସର୍ତ୍ତ ସିଲ କରାଯାଇଥିବା ନିର୍ଦ୍ଦେଶାନାମାରେ ଉଲ୍ଲେଖ୍ୟ କରାଯାଇଛି।

ଅପରପକ୍ଷରେ ନିଗମ କତ୍ତୃପକ୍ଷ ପକ୍ଷରୁ ଏଭଳି କଡା ପଦକ୍ଷେପକୁ ସାଧାରଣରେ ଜନତା ସ୍ୱାଗତ କରୁଥିବା ବେଳେ ସହର ତଥା ଆଖପାଖ ଅଞ୍ଚଳରେ ଏଭଳି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଥିବା ପାର୍କିଂ ସ୍ଥଳ ଗୁଡିକରୁ ବ୍ୟବସାୟିକ ଗତିବିଧି ଗୁଡିକୁ ବନ୍ଦ କରାଇ ପାର୍କିଂ ସ୍ଥଳ ଉପଲବ୍ଧ କରାଇବା ପାଇଁ ଦାବି କରିଛନ୍ତି।

 

Comments are closed.