ଆରଆର ନଗର ନିର୍ବାଚନ ବାତିଲ ଦାବି, ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

0

ନୂଆଦିଲ୍ଲୀ : କର୍ଣ୍ଣାଟକର ରାଜରାଜେଶ୍ୱରୀ ନଗର ଅଞ୍ଚଳରୁ ଜାଲ୍‌ ଭୋଟର ପରିଚୟ ପତ୍ର ଜବତ ହେବାକୁ ନେଇ ଏହି ବିଜେପି ଏଠାରେ ନିର୍ବାଚନ ବାତିଲ କରିବାକୁ ଦାବି କରିଛି। ବୁଧବାର କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ମୁକ୍ତାର ଅବାସ ନକଭି, ସ୍ମୃତି ଇରାନି, ଧର୍ମେନ୍ଦ୍ର ପ୍ରଧାନ, ଏସଏସ ଆଲୁୱାଲିଆ, ମିନାକ୍ଷୀ ଲେଖି ଓ ଅନ୍ୟମାନେ ଦିଲ୍ଲୀସ୍ଥିତି ନିର୍ବାଚନ ଆୟୋଗଙ୍କୁ ଭେଟି ରାଜରାଜେଶ୍ୱରୀ ନଗର ବିଧାନସଭା ଆସନ ନିର୍ବାଚନ ବାତିଲ କରିବାକୁ ଦାବି କରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ବିଜେପି ପୂର୍ବରୁ କଂଗ୍ରେସ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଅନୁରୂପ ଦାବି ଉପସ୍ଥାପନ କରଛି। ମଙ୍ଗଳବାର ନିର୍ବାଚନ ଆୟୋଗ ଅଧିକାରୀମାନେ ରାଜରାଜେଶ୍ୱରୀ ନଗର ଅଞ୍ଚଳର ଏକ ଫ୍ଲାଟରୁ ୯୭୪୬ଟି ଜାଲ୍‌ ଭୋଟର ପରିଚୟ ପତ୍ର ଜବତ କରିଥିଲେ। ଏହି ଘଟଣାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାକୁ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି। କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୀବ କୁମାର କହିଛନ୍ତି ଯେ ଡେପୁଟି ନିର୍ବାଚନ ଆୟୁକ୍ତ ପାହ୍ୟାର ଜଣେ ଅଧିକାରୀ ଏହି ଘଟଣାର ତଦନ୍ତ କରିବେ। ସଞ୍ଜୀବ କହିଛନ୍ତି ଯେ ଜାଲ୍‌ ଭୋଟର ପରିଚୟପତ୍ର ଗୁଡିକ ବାସ୍ତବ ଭୋଟର ପରିଚୟପତ୍ର ଭଳି ଜଣାପଡୁଛି। ତେଣୁ ତଦନ୍ତ ପରେ ଏହାର ସତ୍ୟାସତ୍ୟ ଜଣାପଡିବ।

Leave A Reply