କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ମେରୁ’ ଯାତ୍ରାରେ କଟକଣା

ଛତ୍ରପୁର: ଆଜି ପବିତ୍ର ମେରୁ ସଂକ୍ରାନ୍ତି। ଦଣ୍ଡୁଆମାନେ ମେରୁ ଭାଙ୍ଗିବାର ଦିନ। କିନ୍ତୁ କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ମେରୁ ଯାତ୍ରା ଉପରେ ରୋକ ଲଗାଯାଇଛି। ଏହାର ଅବମାନନା ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାସ୍ତରୀୟ ପଦାଧିକାରୀଙ୍କ ବୈଠକରେ ସ୍ପଷ୍ଟ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ବିଧି ମୁତାବକ ପୂଜକ ମନ୍ଦିରରେ କାର୍ୟ୍ୟ ତୁଲାଇବେ। କୌଣସି ବାହାର ବ୍ୟକ୍ତି ଏଥିରେ ସାମିଲ ହେବେ ନାହିଁ। ଏହି ନିର୍ଦ୍ଦେଶକୁ ଅବମାନନା କଲେ ପୁଲିସ କାର୍ୟ୍ୟାନୁଷ୍ଠାନ ଥୟ ବୋଲି ଜିଲାପାଳ କହିଛନ୍ତି।

prayash

ଲକଡାଉନ ପରେ ପ୍ରଶାସନିକ କାର୍ୟ୍ୟକୁ କିପରି ଶୃଙ୍ଖଳିତ ଓ ଦକ୍ଷତାର ସହିତ ଆଗେଇ ନେଇ ହେବ ସେଥିପାଇଁ ଜିଲାର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ ହୋଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି। ଅତିରିକ୍ତ ଜିଲାପାଳ ରାଜସ୍ୱ କମିଟିର ରୂପରେଖ ନିର୍ଣ୍ଣୟ କରିବେ। ସବୁ ବିଭାଗୀୟ ଅଧିକାରୀମାନେ ଲକଡାଉନ ପରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ କିପରି କାର୍ୟ୍ୟଧାରା ପ୍ରସ୍ତୁତ କରିବେ ତାର ବିବରଣୀ କମିଟି ସମ୍ମୁଖରେ ରଖିବେ। ଜିଲାପାଳଙ୍କ ଅନୁମୋଦନ କ୍ରମେ କମିଟିର ସୁପାରିସ କାର୍ୟ୍ୟକାରୀ ହେବ। ବେସାହାରାଙ୍କ ପାଇଁ ସରକାରଙ୍କ ରନ୍ଧାଖାଦ୍ୟକୁ ଜଗନ୍ନାଥଙ୍କ ମହାପ୍ରସାଦ ବୋଲି ଜିଲାପାଳ ବର୍ଣ୍ଣନା କରିଥିଲେ। ଏହାର ଦୁରୂପଯୋଗ ଯିଏ କରିବ ସିଏ ଧର୍ମଦ୍ରୋହୀ ହେବ। ବାହାର ଲୋକ ଜିଲାରେ ମାସ୍କ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କଲେ ସେଥରୁ ସେମାନଙ୍କୁ ନିବୃତ୍ତ ରଖିବା ପାଇଁ ସରପଞ୍ଚମାନେ ଅଧିକ ଯତ୍ନବାନ ହେବାକୁ ଜିଲାପାଳ କହିଛନ୍ତି। ପଞ୍ଚାୟତରେ କେହି ଯେପରି ଭୋକିଲା ନାହାଁନ୍ତି ତାହାର ଏକ ପ୍ରମାଣପତ୍ର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଯୁଗ୍ମ ଦସ୍ତଖତରେ ପ୍ରଶାସନକୁ ପ୍ରଦାନ କରିବେ। କୌଣସି ସାମାଜିକ କାର୍ୟ୍ୟକ୍ରମ ଆୟୋଜନ କରି ଭିଡ ଜମାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର ହେବ। ଭତ୍ତା ବଣ୍ଟନରେ କୌଣସି ପ୍ରକାର ଅନିୟମିତତା ହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ସିଧା ହାଜତରେ ପୁରାଇ ଦିଆଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ବୈଠକରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡି, ଜିଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସାଧାରଣତଃ ଗଞ୍ଜାମରେ ଦୁଇଦିନ ମେରୁ ଯାତ୍ରା ପାଳନ କରାଯାଇ ଆସୁଛି। କେତେକ ସ୍ଥାନରେ ଗତକାଲି ମାସନ୍ତ ମେରୁ ପର୍ବ ଆୟୋଜନ କରାଯାଇଥିଲା। ପୋଲସରା ବ୍ଲକର ସୋଡକ ଓ ମାଳତେନ୍ତୁଳିଆ ଗ୍ରାମରେ ମାସନ୍ତ ମେରୁ ଆୟୋଜନ ହୋଇଥିଲା। ଏଥିରେ ଶତାଧିକ ଭକ୍ତ ଯୋଗଦେଇଥିବା ଖବର ପାଇ ପୋଲସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୧୧୨ଜଣ ଦଣ୍ଡୁଆଙ୍କୁ ଗିରଫ କରିଛନ୍ତି।

Comments are closed.