ଜୋରିମାନା ୧୯ କୋଟି, ଆଦାୟ ୪୦ ଲକ୍ଷ

ଉଚ୍ଚ ନ୍ୟାୟାଳୟରେ ‘ଓରେରା’ ସତ୍ୟପାଠ

କଟକ : ଓରେରା (ଓଡ଼ିଶା ରିଅଲ ଇଷ୍ଟେଟ୍‌‌ ରେଗୁଲେଟୋରୀ ଅଥରିଟି) ଯେଉଁ ଆଦେଶ ଦେଉଛନ୍ତି ତାହାର କେତେଦୂର କାର୍ଯ୍ୟକାରୀ ହେଉଛି ସେ ସଂକ୍ରାନ୍ତରେ ସୋମବାର ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇଛି। ବିଭିନ୍ନ ବିଲଡର ତଥା ନିୟମ ଉଲ୍ଲଘଂନକାରୀଙ୍କ ଉପରେ ୧୫୩ଟି ମାମଲାରେ ୧୯କୋଟି ୮୭ଲକ୍ଷ ୬ହଜାର ୫ଶହ ଟଙ୍କା ଜୋରିମାନା କରାଯାଇଛି; କିନ୍ତୁ ସେଥିରୁ ମାତ୍ର ୪୦ ଲକ୍ଷ ୪ ହଜାର ଟଙ୍କା ଆଦାୟ ହୋଇଛି। ଏଥିସହ ଜୋରିମାନା ଅର୍ଥ ଆଦାୟ ପାଇଁ ତ୍ୱରିତ ପଦକ୍ଷେପ ନିଅାଯାଉଛି ବୋଲି ଓରେରା ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି। ଏହି ଜବାବ ପରେ ମୁଖ୍ୟ ବିଚାରପତି ଶୁଭାଶିଷ ତଲାପତ୍ର ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସେେପ୍ଟମ୍ବର ୧୩କୁ ଧାର୍ଯ୍ୟ କରିଛନ୍ତି। ଓରେରା ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି ଯେ, ବିଭିନ୍ନ ବିଲଡରଙ୍କଠାରୁ ଟଙ୍କା ଆଦାୟ ପାଇଁ ଓପିଡିଆର ଅଧିକାରୀଙ୍କ ନିକଟକୁ ୬୨ଟି ମାମଲା ପଠାଯାଇଛି। ଏହି ୬୨ଟି ମାମଲା ମଧ୍ୟରୁ ୫୭ଟି ମାମଲା ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ରହିଛି। ତନ୍ମଧ୍ୟରୁ ୨୧ଟି ମାମଲା ଭୁବନେଶ୍ୱର ଉପଜିଲାପାଳଙ୍କ ନିକଟରେ ରହିଛି। ଭୁବନେଶ୍ୱର ସ୍ୱତନ୍ତ୍ର ସାର୍ଟିଫିକେଟ୍‌‌ ଅଫିସରଙ୍କ ନିକଟରେ ୧୭ଟି ମାମଲା, ଅତିରିକ୍ତ ଜିଲାପାଳଙ୍କ ନିକଟରେ ୬ଟି ମାମଲା ବିଚାର ପାଇଁ ରହିଛି। କଟକ ଜିଲାପାଳଙ୍କ ନିକଟରେ କେବଳ ଗୋଟିଏ ମାମଲା ରହିଛି। ପୁରୀ ଜିଲାପାଳଙ୍କ ନିକଟରେ ଚାରୋଟି ମାମଲା ବିଚାରାଧୀନ ରହିଛି। ପରବର୍ତ୍ତୀ ଶୁଣାଣିରେ ଏହା ଉପରେ ଆବେଦନକାରୀ ପ୍ରତିଜବାବ ରଖିବେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ୍‌‌ ଅଗ୍ରୱାଲ ଏବଂ ଓରେରା ପକ୍ଷରୁ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ଏହି ମାମଲା ପରିଚାଳନା କରୁଛନ୍ତି।

Comments are closed.