ଅର୍ଥନୀତିକୁ ଗତିଶୀଳ ଲାଗି ଯୋଜନା – ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍‌ରେ ବିଭକ୍ତ ହେବ ଦେଶ

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଜୀବନ ଓ ଅର୍ଥନୀତିକୁ ବିପର୍ୟ୍ୟସ୍ତ କରିଦେଇଛି। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଏବେ କରୋନା କବଳିତ ହୋଇଥିବାବେଳେ ଅର୍ଥନୀତି ରସାତଳଗାମୀ ହୋଇପଡିଛି। ସମସ୍ତ ଦେଶ ଏବେ ଅର୍ଥନୀତିକୁ ପଛରେ ପକାଇ ଜୀବନ ବଞ୍ଚାଇବା ପଛରେ ଦୌଡିଛନ୍ତି। କାରଣ ସମୟ କ୍ରମରେ ଅର୍ଥନୀତିକୁ ସ୍ୱାଭାବିକସ୍ଥିତିକୁ ଫେରାଇ ଆଣାଯାଇପାରିବ; ମାତ୍ର ଜୀବନ ଫେରାଇ ଅଣାଯାଇପାରିବ ନାହିଁ। ଏହି ଆଧାରରେ ଭାରତ ସରକାର ସମସ୍ତ ପ୍ରକାର ଆର୍ଥିକ ଦିଗକୁ ଭୁଲି ୨୧ ଦିନର ଲକଡାଉନ ଘୋଷଣା କରିଥିଲେ। ଏବେ ଦ୍ୱିତୀୟ ପର୍ୟ୍ୟାୟରେ ଆଉ ୧୪ ଦିନ ପାଇଁ ସରକାର ଲକଡାଉନ ଘୋଷଣା କରିବାକୁ ଯାଉଛନ୍ତି। ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନରେ ସରକାର ଜନତାଙ୍କ ଜୀବନ ସହିତ ଅର୍ଥନୀତିକୁ ବଞ୍ଚାଇବାର ଉଦ୍ୟମ ଆରମ୍ଭ କରିଛନ୍ତି। ଅର୍ଥନୀତି ଠପ୍‍ ନହୋଇ ଯେପରି ଗତିଶୀଳ ହେବ ସେଥିଲାଗି ସରକାର ଯୋଜନା କରିଛନ୍ତି। ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କୁ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଇଛନ୍ତି। ଯୁଗ୍ମ ସଚିବ ପାହ୍ୟା ଠାରୁ ଅଧିକ ପାହ୍ୟାର ଅଧିକାରୀମାନଙ୍କୁ ନିୟମିତ କାର୍ୟ୍ୟାଳୟ ଆସିବାକୁ କୁହାଯାଇଛି। ଅନ୍ୟ ସମସ୍ତ ନିମ୍ନ ପାହ୍ୟାର ଅଧିକାରୀଙ୍କୁ ଏକ ତୃତୀୟାଂଶ ହିସାବରେ ରୋଟେସନ ଅନୁଯାୟୀ କାର୍ୟ୍ୟାଳୟ ଆସିବେ। ମନ୍ତ୍ରୀମାନଙ୍କୁ ମଧ୍ୟ କାର୍ୟ୍ୟାଳୟ ଆସିବାକୁ କୁହାଯାଇଛି। ହଟସ୍ପଟ ଚିହ୍ନିତ ଅଞ୍ଚଳରେ ରହୁଥିବା ଅଧିକାରୀଙ୍କୁ ଘରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ କୌଣସି ନୂଆ କାର୍ୟ୍ୟ କରାଯିବ ନାହିଁ; ବରଂ ପଡିରହିଥିବା କାର୍ୟ୍ୟକୁ ତ୍ୱାରାନ୍ୱିତ କରାଯିବ। ଏସବୁ କରାଯିବାର କାରଣ ହେଉଛି ଅର୍ଥନୀତିକୁ ବଞ୍ଚାଇ ରଖିବା। ସେହିପରି କର୍ମଚାରୀମାନଙ୍କୁ କାର୍ୟ୍ୟାଳୟ ପରିସର ମଧ୍ୟରେ ରଖି କାର୍ୟ୍ୟ କରାଇବା ଉପରେ ମଧ୍ୟ ବିଚାର କରାଯାଉଛି। ଏହାଦ୍ୱାରା ସାମାଜିକ ଦୂରତା ରକ୍ଷା କରାଯାଇପାରିବ।

ଦ୍ୱିତୀୟ ତାଲାବନ୍ଦ ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ଆଉ କେତେକ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ଯଦ୍ୱାରା ଦେଶର ଅର୍ଥନୀତି ପୂର୍ବପରି ବାଧପ୍ରାପ୍ତ ହେବ ନାହିଁ। କେନ୍ଦ୍ର ସରକାର ତାଲାବନ୍ଦ ଘୋଷଣା ପୂର୍ବରୁ ଦେଶକୁ ୩ ଟି ଜୋନରେ ବିଭକ୍ତ କରିବାକୁ ଯୋଜନା କରୁଛନ୍ତି। ରେଡ, ଅରେଞ୍ଜ ଓ ଗ୍ରୀନ ନାମରେ ତିନିଟି ଜୋନରେ ଦେଶକୁ ଭାଗ କରାଯିବାର ପ୍ରସ୍ତାବ ରହିଛି। କରୋନା ସଂକମିତଙ୍କ ସଂଖ୍ୟାକୁ ବିଚାର କରି ଏପରି ଜୋନରେ ବିଭାଜନ କରାଯିବ। ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ ସମୟରେ ପ୍ରସ୍ତାବିତ ସୁରକ୍ଷିତ ଜୋନ (ଗ୍ରୀନ) ମଧ୍ୟରେ କେତେକ ସେବା ଓ କାର୍ୟ୍ୟକୁ ଅନୁମତି ଦିଆଯିବ। ରେଡ ଜୋନରେ କୌଣସି ପ୍ରକାର କାର୍ୟ୍ୟକୁ ଅନୁମତି ଦିଆଯିବ ନାହିଁ। ଯେଉଁସବୁ ଜିଲାରେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ମିଳିଥିବେ କିମ୍ବା ହଟସ୍ପଟ ଭାବେ ଘୋଷଣା କରାଯାଇଥିବ ତାକୁ ରେଡ ଜୋନ ଭାବେ ଚିହ୍ନଟ କରାଯିବ। ଯେଉଁସବୁ ଅଞ୍ଚଳରେ ଅଳ୍ପ କିଛି ସଂକ୍ରମିତ ଚିହ୍ନଟ ହୋଇଥିବେ ମାତ୍ର ସଂକ୍ରମଣ ବୃଦ୍ଧ ପାଇ ନଥିବ ତାକୁ ଅରେଞ୍ଜ ଜୋନ ଭାବେ ଚିହ୍ନଟ କରାଯିବ। ଏଠାରେ ଅଳ୍ପ କିଛି କାର୍ୟ୍ୟକ୍ରମ ଯଥା କମ୍‍ ପରିବହନ ବ୍ୟବସ୍ଥା ଓ କୃଷି ଉତ୍ପାଦନର ଅମଳକୁ ଅନୁମତି ଦିଆଯିବ। ଯେଉଁ ଅଞ୍ଚଳରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବେ ତାକୁ ଗ୍ରୀନ ଜୋନ ଭାବେ ଚିହ୍ନଟ କରାଯିବ। ସେଠାରେ ସମସ୍ତ ପ୍ରକାର କାର୍ୟ୍ୟକୁ ଅନୁମତି ଦିଆଯିବ।

prayash

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଲକଡାଉନ ଘୋଷଣା ବେଳେ ଦେଶ କେତେ ଆର୍ଥିକ କ୍ଷତି ସହିବ ତାକୁ ବିଚାର କରି ନଥିଲେ। ଦେଶର ଯାହା ବି କ୍ଷତି ଲୋକଙ୍କ ଜୀବନ ବଞ୍ଚାଇବାକୁ ପଡିବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ସେତେବେଳେ କହିଥିଲେ ଜାନ ହେ ତୋ ଜାହାନ ହେ’ ଅର୍ଥାତ ଜୀବନ ଅଛି ତ ପୃଥିବୀ ଅଛି। ମଣିଷ ବଞ୍ଚି ରହିଲେ ସବୁକିଛି କରିପାରିବ।

ମାର୍ଚ୍ଚ ୨୫ରୁ ଆରମ୍ଭ ୨୧ଦିନର ଲକଡାଉନ ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି। ଏହା ମଧ୍ୟରେ ସରକାର ଲକଡାଉନର ଅବଧି ଆଉ ୨ସପ୍ତାହ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ତେବେ ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନର ସମୟରେ ସରକାର ଜୀବନ ସହିତ ଅର୍ଥନୀତିକୁ ଗୁରୁତ୍ୱ ଦେଇଛନ୍ତି। ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ ଅବଧି ବୃଦ୍ଧି ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶର ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଏବେ ଆମକୁ ଜୀବନ ଓ ଅର୍ଥନୀତି ଉଭୟକୁ ବଞ୍ଚାଇବାକୁ ହେବ। ପ୍ରଧାନମନ୍ତ୍ରୀ କହିଥିଲେ ‘ଜାନ ଭି ଜାହାନ ଭି’ ଅର୍ଥାତ ଜୀବନ ଓ ଅର୍ଥନୀତି ଉଭୟ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ଯେତେବେଳେ କହିଥିଲେ ‘ଜାନ୍‌ ହେ ତୋ ଜାଁହାନ୍‌ ହେ’ ସେତେବେଳେ ଦେଶ ପାଇଁ ତାଙ୍କ କଥାକୁ ସମ୍ମାନ ଜଣାଇ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ତାଲାବନ୍ଦ ସମୟରେ ଲୋକମାନେ ଜୀବନ ବଞ୍ଚାଇବା ଲାଗି ଘରେ ରହିଥିଲେ। ଏବେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ‘ଜାନ୍‌ ଭି ଜାହାନ୍‌ ଭି’। ଅର୍ଥାତ ସରକାର ଲୋକଙ୍କ ଜୀବନ ବଞ୍ଚାଇବା ସହିତ ଅର୍ଥନୀତିକୁ ଗୁରୁତ୍ୱ ଦେବେ। ଏକ ସ୍ୱାସ୍ଥ୍ୟବାନ ଓ ଉଜ୍ଜଳ ଭାରତ ଗଠନ ଦିନରେ ରାଜ୍ୟ ସରକାରମାନେ କାର୍ୟ୍ୟ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.