ପୋଖରୀରେ ବୁଡିଗଲା କାର : ଶିଶୁକନ୍ୟା ମୃତ, ୪ଶିଶୁ ଗୁରୁତର 

ପିପିଲି :ପିପିଲି ଥାନା  କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡ଼କୁରଖି ଧଳସାହି ସ୍ଥିତ ଏକ ପୋଖରୀର ଗଭୀର ଜଳରେ ଶୁକ୍ରବାର ଅପରାହ୍ନରେ ଏକ ଅଲଟୋ କାର ବୁଡିଯିବା ଫଳରେ ଜଣେ ଅଢେଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ମୃତ ଶିଶୁକନ୍ୟାର ଘର ନିକଟବର୍ତ୍ତୀ ପାତ୍ରସାହି ମଲିକସାହିରେ ହୋଇଥିବା ବେଳେ ସମସ୍ତ ଆହତଙ୍କ ଘର ମଧ୍ୟ ସେହି ସାହିରେ ହୋଇଥିବା ସୂଚନା ମିଳିଛି। ଖବର ପାଇ ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ଓ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢେ ୪ଟାବେଳେ ନିଜିଗଡ଼କୁରଖି ଧଳସାହି ପିଏମଜିଏସୱାଇ ରାସ୍ତାରେ ଉକ୍ତ  କାରଟି ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଭଗବତୀପୋଖରୀ ର ଗଭୀର ଜଳ ମଧ୍ୟରେ ବୁଡି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଅଂଚଳର କିଛି ଯୁବକ ତତକ୍ଷଣାତ  ପୋଖରୀ ପାଣିରେ ପଶି କାରର କାଚ ଭାଙ୍ଗି କାର ମଧ୍ୟରେ ଥିବା ୫ଜଣ ଶିଶୁ ଏବଂ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିଥିଲେ । ଅଢେଇ ବର୍ଷର ଶିଶୁ କନ୍ୟାର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରିଥିଲେ। ସେଠାରେ ୩ଜଣ ଶିଶୁଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସମ୍ପର୍କରେ ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି।

Comments are closed.