ଫୁଲବାଣୀରେ ଠାକୁରାଣୀ ଯାତ୍ରା, ସାରା ସହରରେ ଉତ୍ସବର ମାହୋଲ

ଫୁଲବାଣୀ :  ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀ ଠାକୁରାଣୀଙ୍କ ୨୬ ତମ ଯାତ୍ରାର ୨୫ ଦିନରେ ପହଞ୍ଚିଛି। ସହର ସାରା ଏବେ ଉତ୍ସବର ମାହୋଲ। ଯାତ୍ରା ପଢିଆରେ ଭାବ ଓ ଭକ୍ତିମୟ ପରିବେଶ ଭିତରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ବିରାଟ ପଟୁଆର ସହ ପଞ୍ଚ ଠାକୁରାଣୀଙ୍କ ନଗର ଭ୍ରମଣ ଜାରୀ ରହିଛି। ମାନସିକ ଧାରୀ ମାନେ ବିଭିନ୍ନ ବେଶ ଧାରଣ କରି ବୁଲୁଥିବା ଦେଖିବାକୁ ମିଳୁଛି।
ଗୁରୁବାର ବିଶ୍ରାମ ଦିବସ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରି ସାନ୍ଧ୍ୟ ଆଳତୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ନାରାୟଣୀ ମନ୍ଦିରରୁ ଏକ ସ୍ୱତନ୍ତ୍ର ପଟୁଆରରେ ଆଳତୀ ବାହିନୀ ଆସି ମା’ଙ୍କର ଆଳତୀ କରିଥିଲେ। ଭାବ ଓ ଭକ୍ତିମୟ ପରିବେଶ ଭିତରର ହଜାର ହଜାର ଶ୍ରଦ୍ଧାଳୁ ମାଙ୍କର ଦର୍ଶନ ସହ କରୁଣା ଲାଭ କରିଥିଲେ। ଯାତ୍ରା ସରିବାକୁ ଆଉ ସପ୍ତାହେ ବାକି ଥିବା ବେଳେ ବିଭିନ୍ନ ବଜାର କମିଟି ଏବେ ଆୟୋଜନର ଦାୟିତ୍ୱ ନେଇଛନ୍ତି।
ବିଭିନ୍ନ ସ୍ଥାନରେ ସୁଦୃଶ୍ୟ ତୋରଣ ସହିତ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜ୍ଜିତ ହୋଇଛି ରାସ୍ତାଘାଟ। ସନ୍ଧ୍ୟା ପରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ପରିଚାଳନା କମିଟିର ସଭାପତି ପି. ସୁଧାଂଶୁ ସେନାପତି, ଉପସଭାପତି ସୁଜିତ କୁମାର ବେହେରା, ସମ୍ପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଭି.ଲୋକନାଥ ରାଜୁଙ୍କ ସମେତ କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ଦାୟିତ୍ବ ନିର୍ବାହ କରୁଛନ୍ତି।
prayash

Comments are closed.